Odisha industrial projects: ୩,୮୧୦ କୋଟିର ୧୯ ଶିଳ୍ପ ପ୍ରକଳ୍ପକୁ ମଞ୍ଜୁରି; ୧୧ ହଜାରରୁ ଅଧିକ ନିଯୁକ୍ତି ସମ୍ଭାବନା
ରାଜ୍ୟରେ ଶିଳ୍ପ ଓ ପୁଞ୍ଜିନିବେଶ କ୍ଷେତ୍ରକୁ ନୂଆଗତି ଦେବା ପାଇଁ ୧୯ଟି ନୂତନ ପ୍ରକଳ୍ପକୁ ଅନୁମୋଦନ ମିଳିଛି। ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ୧୫୨ତମ ରାଜ୍ୟସ୍ତରୀୟ ସିଙ୍ଗଲ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି...

ଭୁବନେଶ୍ୱର: ରାଜ୍ୟରେ ଶିଳ୍ପ ଓ ପୁଞ୍ଜିନିବେଶ କ୍ଷେତ୍ରକୁ ନୂଆଗତି ଦେବା ପାଇଁ ୧୯ଟି ନୂତନ ପ୍ରକଳ୍ପକୁ ଅନୁମୋଦନ ମିଳିଛି। ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ୧୫୨ତମ ରାଜ୍ୟସ୍ତରୀୟ ସିଙ୍ଗଲ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି (ଏସ୍ଏଲ୍ଏସ୍ଡବ୍ଲ୍ୟୁସିଏ) ବୈଠକରେ ମୋଟ ୩,୮୧୦.୨୫ କୋଟି ଟଙ୍କାର ପ୍ରସ୍ତାବକୁ ମଞ୍ଜୁରି ମିଳିଛି। ଏହି ପ୍ରକଳ୍ପଗୁଡ଼ିକ ମାଧ୍ୟମରେ ୧୧,୨୫୧ ଜଣଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବାର ଆକଳନ କରାଯାଇଛି।
ଏହି ନିବେଶ ୧୦ଟି ଜିଲ୍ଲାରେ ହେବ। ଏଥିରେ କେନ୍ଦ୍ରାପଡ଼ାଜିଲ୍ଲା ମଧ୍ୟ ସାମିଲ ରହିଛି। ଇଭି ଇନୋଭେଜିକ୍ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍ ପକ୍ଷରୁ କେନ୍ଦ୍ରାପଡ଼ାରେ ସୌରଶକ୍ତି ଚାଳିତ ବୈଦ୍ୟୁତିକ ଡଙ୍ଗା ନିର୍ମାଣ କାରଖାନା ସ୍ଥାପନ ପାଇଁ ୫୨ କୋଟି ଟଙ୍କା ନିବେଶ ପ୍ରସ୍ତାବ ରହିଛି। ଏହାଦ୍ୱାରା ୧୦୦ ଜଣଙ୍କୁ ନିଯୁକ୍ତି ମିଳିବାର ସମ୍ଭାବନା ଅଛି। ଜିଲ୍ଲାରେ ସବୁଜ ଶକ୍ତି ଓ ଜଳପଥ ପରିବହନ ସମ୍ପର୍କିତ ଶିଳ୍ପ ବିକାଶ ପାଇଁ ଏହା ଏକ ନୂଆ ସୁଯୋଗ ସୃଷ୍ଟି କରିବ।
ଅନ୍ୟପକ୍ଷରେ ପର୍ଯ୍ୟଟନ କ୍ଷେତ୍ରରେ ୭ଟି ପ୍ରକଳ୍ପ ପାଇଁ ୬୦୭ କୋଟି ଟଙ୍କା ନିବେଶ ସହ ୧,୫୦୦ ନିଯୁକ୍ତି ସୁଯୋଗ ରହିଛି। ଖୋର୍ଦ୍ଧାରେ ପୋଷାକ ନିର୍ମାଣ କାରଖାନା ପାଇଁ ୨୨୫ କୋଟି ଟଙ୍କା ନିବେଶ ହେବ ଏବଂ ୫,୫୦୦ ନିଯୁକ୍ତି ସୃଷ୍ଟି ହେବାର ଆକଳନ ରହିଛି।
ଏହାବ୍ୟତୀତ ଶକ୍ତି, ଇସ୍ପାତ, ଧାତୁ, ସ୍ୱାସ୍ଥ୍ୟସେବା, ଔଷଧ, ପ୍ଲାଷ୍ଟିକ୍ ଓ ପୁନଃଚକ୍ରଣ କ୍ଷେତ୍ରରେ ମଧ୍ୟ ନିବେଶ ପ୍ରସ୍ତାବ ରହିଛି। ଅନୁମୋଦିତ ପ୍ରକଳ୍ପଗୁଡ଼ିକର ତ୍ୱରିତ କାର୍ଯ୍ୟାନ୍ୱୟନ ସହ ସ୍ଥାନୀୟ ଶିଳ୍ପ ଓ ପର୍ଯ୍ୟଟନ କ୍ଷେତ୍ରରେ ପରୋକ୍ଷ ନିଯୁକ୍ତି ସୃଷ୍ଟି ଉପରେ ମୁଖ୍ୟ ଶାସନ ସଚିବ ଗୁରୁତ୍ୱ ଦେଇଛନ୍ତି।
ସୌଜନ୍ୟ ସମ୍ବାଦ




