Education: ଆଇଟିଆଇ ପଢ଼ିବାକୁ ବି ଅମଙ୍ଗ; ଜିଲ୍ଲାରେ ୧୭% ସିଟ ଖାଲି
ମାଟ୍ରିକ୍ ପାସ୍ କଲାପରେ ସୁନ୍ଦରଗଡ଼ ଜିଲ୍ଲାର ଛାତ୍ରଛାତ୍ରୀ କେବଳ ଯୁକ୍ତଦୁଇ ଶିକ୍ଷାରୁ ବିମୁଖ ହେଉନାହାନ୍ତି; ବରଂ ଆଇଟିଆଇ ପ୍ରତି ବି ଅନାଗ୍ରହୀ। ଚଳିତ ୨୦୨୬-୨୭ ଶିକ୍ଷାବର୍ଷରେ ସୁନ୍ଦରଗଡ଼ ଜିଲ୍ଲାର ସରକାରୀ ଓ ଘରୋଇ ଶିଳ୍ପ ତାଲିମ ଅନୁଷ୍ଠାନ...

ରାଉରକେଲା: ମାଟ୍ରିକ୍ ପାସ୍ କଲାପରେ ସୁନ୍ଦରଗଡ଼ ଜିଲ୍ଲାର ଛାତ୍ରଛାତ୍ରୀ କେବଳ ଯୁକ୍ତଦୁଇ ଶିକ୍ଷାରୁ ବିମୁଖ ହେଉନାହାନ୍ତି; ବରଂ ଆଇଟିଆଇ ପ୍ରତି ବି ଅନାଗ୍ରହୀ। ଚଳିତ ୨୦୨୬-୨୭ ଶିକ୍ଷାବର୍ଷରେ ସୁନ୍ଦରଗଡ଼ ଜିଲ୍ଲାର ସରକାରୀ ଓ ଘରୋଇ ଶିଳ୍ପ ତାଲିମ ଅନୁଷ୍ଠାନ (ଆଇଟିଆଇ)ର ଖାଲିପଡ଼ିଥିବା ସିଟ୍ ସଂଖ୍ୟାକୁ ଦେଖିଲେ, ଏହା ସ୍ପଷ୍ଟ ହୁଏ। ଜିଲ୍ଲାରେ ୩ଟି ସରକାରୀ ଓ ୨୯ଟି ବେସରକାରୀ, ମୋଟ୍ ୩୨ଟି ଆଇଟିଆଇ କଲେଜ ରହିଛି। ଏସବୁ କଲେଜରେ ୬,୭୩୨ଟି ସିଟ୍ ଅନୁମୋଦିତ ହୋଇଥିବା ବେଳେ ଚଳିତ ଶିକ୍ଷାବର୍ଷରେ ୫,୫୬୧ଟି ସିଟ୍ରେ ଛାତ୍ରଛାତ୍ରୀ ନାଁ ଲେଖାଇଛନ୍ତି। ଅର୍ଥାତ୍ ୧,୧୭୧ଟି (୧୭.୩୯%) ସିଟ୍ ଖାଲିପଡ଼ିଛି।
ପରିସଂଖ୍ୟାନ ଅନୁଯାୟୀ, ସରକାରୀ ଆଇଟିଆଇଗୁଡ଼ିକରେ ଛାତ୍ରଛାତ୍ରୀଙ୍କ ଆଗ୍ରହ ଦେଖିବାକୁ ମିଳିଥଇବା ବେଳେ ବେସରକାରୀ ଆଇଟିଆଇରୁ କିନ୍ତୁ ମୁହଁ ଫେରାଇନେଉଛନ୍ତି। ରାଉରକେଲା ସରକାରୀ ଆଇଟିଆଇରେ ୧,୨୭୨ଟି ସିଟ୍ରୁ ୧,୨୭୧ଟି ପୂରଣ ହୋଇ ମାତ୍ର ଗୋଟିଏ ସିଟ୍ ଖାଲି ଅଛି। ସେହିଭଳି କୁତ୍ରା ସରକାରୀ ଆଇଟିଆଇରେ ୧୦୪ଟିରୁ ୯୯ଟି ସିଟ୍ ପୂରଣ ହୋଇଥିବା ବେଳେ କୋଇଡ଼ା ସରକାରୀ ଆଇଟିଆଇରେ ସମସ୍ତ ୨୪୦ଟି ସିଟ୍ ପୂରଣ ହୋଇଛି। ଅର୍ଥାତ୍ ୩ଟି ସରକାରୀ ଆଇଟିଆଇରେ ମୋଟ ୧,୬୧୬ଟି ସିଟ୍ରୁ ୧,୬୧୦ଟି ପୂରଣ ହୋଇଥିବା ବେଳେ ମାତ୍ର ୬ଟି ସିଟ୍ ବଳକା ରହିଛି।
ତେବେ, ଘରୋଇ ଆଇଟିଆଇର ସ୍ଥିତି ଚିନ୍ତାଜନକ। ଜିଲ୍ଲାର ୨୯ଟି ଘରୋଇ ଆଇଟିଆଇରେ ଥିବା ୫,୧୧୬ଟି ସିଟ୍ରୁ ୩,୯୫୧ଟି ପୂରଣ ହୋଇଥିବା ବେଳେ ୧,୧୬୫ଟି ସିଟ୍ ଖାଲିପଡ଼ିଛି। ବିଶେଷକରି ଇସ୍ପାତ ଆଇଟିସିରେ ୧୭୬, ଇମାରତ ଉମର ଟେକ୍ନିକାଲ ଟ୍ରେନିଂ ସେଣ୍ଟର୍ରେ ୮୮, ଗୌରୀ ଆଇଟିସିରେ ୭୮, ଜଲଦା ଆଇଟିସିରେ ୭୭, ଇନ୍ଦିରା ମେମୋରିଆଲ ଆଇଟିଆଇରେ ୭୬ ଓ ଗ୍ଲୋବାଲ ଆଇଟିସିରେ ୮୦ରୁ ୭୪ ସିଟ୍ ଖାଲି ପଡ଼ିବା, ଶିକ୍ଷା ବିଭାଗର ଚିନ୍ତା ବଢ଼ାଇଦେଇଛି। ଘରୋଇ ଆଇଟିଆଇରେ ଏତେସଂଖ୍ୟକ ସିଟ୍ ଅପୂରଣୀୟ ରହିବା ପଛରେ ଏକାଧିକ ସାମାଜିକ ଓ ଅର୍ଥନୈତିକ କାରଣ ରହିଛି।
ସରକାରୀ ଅନୁଷ୍ଠାନ ତୁଳନାରେ ଘରୋଇ ଆଇଟିଆଇରେ ପାଠ୍ୟକ୍ରମ ଫି’ ଅତ୍ୟଧିକ ରହୁଥିବାରୁ ଜିଲ୍ଲାର ଆଦିବାସୀ ତଥା ଆର୍ଥିକ ଅନଗ୍ରସର ପରିବାରର ପିଲାମାନେ ସେଠାରେ ପଢ଼ିବାକୁ ଅସମର୍ଥ ହେଉଛନ୍ତି। ଏତଦ୍ବ୍ୟତୀତ ଅନେକ ଘରୋଇ ଅନୁଷ୍ଠାନରେ ଆବଶ୍ୟକୀୟ ଭିତ୍ତିଭୂମି, ଅତ୍ୟାଧୁନିକ ଯନ୍ତ୍ରପାତି ଓ ଦକ୍ଷ ପ୍ରଶିକ୍ଷକଙ୍କ ଅଭାବ ଯୋଗୁ ଛାତ୍ରଛାତ୍ରୀମାନେ ତାଲିମ ନେବା ପରେ ମଧ୍ୟ ଉପଯୁକ୍ତ ନିଯୁକ୍ତି ପାଇପାରୁନାହାନ୍ତି, ଯଦ୍ବାରା ସେମାନେ ଆଇଟିଆଇ ପ୍ରତି ଆକୃଷ୍ଟ ହେଉନଥିବା ପରିଲକ୍ଷିତ ହୁଏ। ମାଟ୍ରିକ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପରେ ବହୁସଂଖ୍ୟକ ଛାତ୍ରଛାତ୍ରୀ ଉଚ୍ଚଶିକ୍ଷା କିମ୍ବା ବୈଷୟିକ ଶିକ୍ଷା ପ୍ରତି ବିମୁଖ ହେଉଛନ୍ତି। ଅର୍ଥାଭାବ ଯୋଗୁ କଅଁଳ ବୟସରୁ ହିଁ ପାଠପଢ଼ାରେ ଡୋରି ବାନ୍ଧି ଅନ୍ୟ ରାଜ୍ୟକୁ ଦାଦନ ଖଟିବାକୁ ଯାଉଥିବା ଦେଖିବାକୁ ମିଳୁଛି।
ସୌଜନ୍ୟ ସମ୍ବାଦ




