ରାଜ୍ୟ

SIR: ଏସ୍‌ଆଇଆର ପରେ ବି ଦୁଇଟି ଭୋଟର କାର୍ଡ ରହିଲା କିପରି?

ଆନ୍ଧ୍ରପ୍ରଦେଶ ସରକାର ବିଭିନ୍ନ ପ୍ରଲୋଭନ ଦେଖାଇ କୋଟିଆବାସୀଙ୍କୁ ଆକର୍ଷିତ କରିବାକୁ ଚେଷ୍ଟା କରୁଛି। ଏହାକୁ ମୁକାବିଲା ପାଇଁ ଓଡ଼ିଶା ସରକାର କି ପଦକ୍ଷେପ ନେଉଛନ୍ତି, ତାହା ବୁଝାପଡ଼ୁନି। ଏସ୍‌ଆଇଆର୍‌ ପରେ ବି କୋଟିଆ ଲୋକଙ୍କ ପାଖରେ ଦୁଇଟି ଭୋଟର କାର୍ଡ ରହିଲା କିପରି?

ଭୁବନେଶ୍ବର: ଆନ୍ଧ୍ରପ୍ରଦେଶ ସରକାର ବିଭିନ୍ନ ପ୍ରଲୋଭନ ଦେଖାଇ କୋଟିଆବାସୀଙ୍କୁ ଆକର୍ଷିତ କରିବାକୁ ଚେଷ୍ଟା କରୁଛି। ଏହାକୁ ମୁକାବିଲା ପାଇଁ ଓଡ଼ିଶା ସରକାର କି ପଦକ୍ଷେପ ନେଉଛନ୍ତି, ତାହା ବୁଝାପଡ଼ୁନି। ଏସ୍‌ଆଇଆର୍‌ ପରେ ବି କୋଟିଆ ଲୋକଙ୍କ ପାଖରେ ଦୁଇଟି ଭୋଟର କାର୍ଡ ରହିଲା କିପରି? ଏହାର ଉତ୍ତର କିଏ ଦେବ? ଆଜି ବିଧାନସଭାରେ କୋଟିଆ ପ୍ରସଙ୍ଗରେ ଆସିଥିବା ମୁଲତବୀ ପ୍ରସ୍ତାବ ଆଲୋଚନା ବେଳେ ଏମିତି ପ୍ରଶ୍ନ କରିଛନ୍ତି ବିରୋଧୀ ଦଳର ବିଧାୟକମାନେ।

କୋଟିଆକୁ ନେଇ ବିଧାନସଭା ସରଗରମ 
ସମସ୍ୟାର ସମାଧାନ ପାଇଁ ସର୍ବଦଳୀୟ ରଣନୀତି ପ୍ରସ୍ତୁତ କରାଯାଉ
ପୂର୍ବ ସରକାରଙ୍କୁ ଦୋଷ ଠେଲିଲା ବିଜେପି

ଆଲୋଚନା ଆରମ୍ଭ କରି କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ କହିଥିଲେ, କୋଟିଆରେ ଲୋକମାନେ ମାନସିକ ଭାବେ ଓଡ଼ିଶା ସହ ଅଛନ୍ତି। କିନ୍ତୁ ଆନ୍ଧ୍ରପ୍ରଦେଶ ସେମାନଙ୍କୁ ପ୍ରଭାବିତ କରି ନିଜ ପଟକୁ ନେବାକୁ ଚେଷ୍ଟା କରୁଛି। ସେଠାରେ ଆନ୍ଧ୍ରର ଇନଫର୍ମର ଦରମା ନେଇ ରହୁଛନ୍ତି। କୋଟିଆ ଅଞ୍ଚଳରେ ଖଣିଜ ସମ୍ପଦ ଭରପୂର ରହିଛି। ତାହା ଉପରେ ପଡ଼ୋଶୀ ରାଜ୍ୟର ଲୋଲୁପ ଦୃଷ୍ଟି ପଡ଼ିଛି। କାଡ୍ରାକ ଆପାଲସ୍ବାମୀ କହିଲେ, ଓଡ଼ିଆ ଅସ୍ମିତାର ଦ୍ବାହି ଦେଇ ବିଜେପି ଶାସନକୁ ଆସିଛି। କିନ୍ତୁ କୋଟିଆର ସମସ୍ୟା ସମାଧାନ ‌ହୋଇପାରୁନି। ପୂର୍ବରୁ ମଧ୍ୟ ବିଜେଡି-ବିଜେପି ମେଣ୍ଟ ସରକାର ଥିଲା ବେଳେ ବିଜେପିର ଏପର ରାଜ୍ୟ ସଭାପତି ସେତେବେଳେ ରାଜସ୍ବ ମନ୍ତ୍ରୀ ଥିଲେ। ସେ ସମାଧାନ ପାଇଁ କ’ଣ କରିଥିଲେ? କୋଟିଆରେ ଲୋକଙ୍କ ପାଖରେ ଦୁଇଟି ଭୋଟର ଆଇକାର୍ଡ ରହିଲା କିପରି? ବିଜେଡି ବିଧାୟକ ମନୋହର ରନ୍ଧାରୀ କହିଥିଲେ, ଏ ମାଟିର ସୁରକ୍ଷା ପାଇଁ ଆମକୁ ମିଳିତ ଭାବେ ଲଢ଼େଇ କରିବାକୁ ପଡ଼ିବ। ଗଣେଶ୍ବର ବେହେରା କହିଥିଲେ, କୋଟିଆ ଏବେ ଓଡ଼ିଆ ଅସ୍ମିତାର ପ୍ରସଙ୍ଗ।

ଆନ୍ଧ୍ରପ୍ରଦେଶର କଲ୍ୟାଣକାରୀ ଯୋଜନା ଆମ ଠାରୁ ତିନି ଗୁଣ ଅଧିକ। ତାହାକୁ ଦେଖାଇ ପଡ଼ୋ‌ଶୀ ରାଜ୍ୟ କୋଟିଆବାସୀଙ୍କୁ ଆକ‌ର୍ଷିତ କରିବାକୁ ଚେଷ୍ଟା କରୁଛି। ଦିବ୍ୟଶଙ୍କର ମିଶ୍ର କହିଥିଲେ, ଓଡ଼ିଶାର ସବୁ ସୀମା ସମ୍ପର୍କରେ ସରକାର ରାଜ୍ୟବାସୀଙ୍କ ନିକଟରେ ସ୍ପଷ୍ଟ ଚିତ୍ର ରଖନ୍ତୁ। ମୁଖ୍ୟମନ୍ତ୍ରୀ ଦିଲ୍ଲୀ ଯାଇ ପ୍ରଧାନମନ୍ତ୍ରୀଙ୍କୁ ଭେଟନ୍ତୁ। କେନ୍ଦ୍ର ସରକାରଙ୍କ ପକ୍ଷରୁ ଉଭୟ ରାଜ୍ୟର ବୈଠକ ଡକାଯାଉ। ଓଡ଼ିଶାର ସାଂସଦମାନେ ଏ ନେଇ ସଂସଦରେ ଲଢ଼ନ୍ତୁ। ବିଜେପି ପକ୍ଷରୁ ପାଲଟା ଆକ୍ରମଣ କରାଯାଇଥିଲା। ବିଧାୟକ ବାବୁ ସିଂହ କହିଥିଲେ, କୋଟିଆ ଆମର ଥିଲା ଓ ରହିବ। ପୂର୍ବରୁ ଯେଉଁ ଦଳ ସବୁ ଶାସନ କରୁଥିଲେ, ସେମାନେ କରୁଥିଲେ କ’ଣ? ପୂର୍ବରୁ ବି କୋଟିଆରେ ଆନ୍ଧ୍ରପ୍ରଦେଶ ପଶି ନିର୍ବାଚନ କରିଥିଲା। ସେତେବେଳେ ପୂର୍ବ ମୁଖ୍ୟମନ୍ତ୍ରୀ କ’ଣ କରୁଥିଲେ? ସେ ନିଜେ ତ ଓଡ଼ିଆ ଜାଣି ନଥିଲେ, ଲୋକଙ୍କ କଥା ବୁଝିଥା’ନ୍ତେ କିପରି? ବିଜେପି ପକ୍ଷରୁ ରଘୁରାମ ମାଛ, ରୁପୁ ଭାତ୍ରା ଓ ନରସିଂହ ମାଡ଼କାମୀ ପ୍ରମୁଖ ଆଲୋଚନାରେ ଭାଗ ନେଇଥିଲେ।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button