Hummingbird’s: ୩୮ ଦିନରେ ହମିଙ୍ଗ୍ବାର୍ଡର ୬୫୦୦ କିମି ଉଡ଼ାଣ
ହମିଙ୍ଗ୍ବାର୍ଡ ନାମକ ଘରଚଟିଆ ପରି ଛୋଟ ଚଢ଼େଇଟିଏ ମାତ୍ର ୩୮ ଦିନରେ ଉଡ଼ି ଉଡ଼ି ୬,୫୨୬ କିଲୋମଟର୍ ଅଞ୍ଚଳ ଅତିକ୍ରମ କରି ରେକର୍ଡ କରିଛି। ନାଲିଆ-ବାଦାମୀ ରଙ୍ଗର ଏହି ଅଣ୍ଡିରା ହମିଙ୍ଗ୍ବାର୍ଡ ଆଲବାମାରୁ ବାହାରି ଆଲସ୍କାରେ ପହଞ୍ଚି ଏହି ରେକର୍ଡ କରିଛି।

ହମିଙ୍ଗ୍ବାର୍ଡ ନାମକ ଘରଚଟିଆ ପରି ଛୋଟ ଚଢ଼େଇଟିଏ ମାତ୍ର ୩୮ ଦିନରେ ଉଡ଼ି ଉଡ଼ି ୬,୫୨୬ କିଲୋମଟର୍ ଅଞ୍ଚଳ ଅତିକ୍ରମ କରି ରେକର୍ଡ କରିଛି। ନାଲିଆ-ବାଦାମୀ ରଙ୍ଗର ଏହି ଅଣ୍ଡିରା ହମିଙ୍ଗ୍ବାର୍ଡ ଆଲବାମାରୁ ବାହାରି ଆଲସ୍କାରେ ପହଞ୍ଚି ଏହି ରେକର୍ଡ କରିଛି। ହମିଙ୍ଗ୍ବାର୍ଡ ଯେ ଏତେ ଦୂର ଉଡ଼ିପାରେ, ଏହା ଆଗରୁ ଗବେଷକମାନଙ୍କର ଧାରଣା ନ ଥିଲା। ହମିଙ୍ଗ୍ବାର୍ଡମାନଙ୍କର ଓଜନ ୫ ଗ୍ରାମ୍ରୁ କମ୍ ହୋଇଥିବାରୁ ସେମାନଙ୍କୁ ଟ୍ରାକ୍ କରିବା ବଡ଼ କଷ୍ଟ। ଅନ୍ୟାନ୍ୟ ପକ୍ଷୀଙ୍କ ଦେହରେ ଯେଉଁ ଫ୍ଲାଇଟ୍ ଟ୍ରାକର୍ ଲଗାଯାଏ, ହମିଙ୍ଗ୍ବାର୍ଡ ପାଇଁ ତାହା ଖୁବ୍ ଓଜନିଆ ହୋଇଥାଏ।
ମେମ୍ଫିସ୍ ବିଶ୍ବବିଦ୍ୟାଳୟରେ କାର୍ଯ୍ୟରତ ପ୍ରାଣୀ ଶରୀର ବୈଜ୍ଞାନିକ ଇମା ରୋଡ୍ସ୍ଙ୍କ ନେତୃତ୍ବରେ ତାଙ୍କ ଟିମ୍ ହମିଙ୍ଗ୍ବାର୍ଡ ପାଇଁ ମାତ୍ର ୦.୦୬ ଗ୍ରାମ୍ ଓଜନର ଟ୍ରାକିଂ ଡିଭାଇସ୍ଟିଏ ତିଆରି କଲେ। ଚାଉଳ ଦାନା ଆକାରର ଟ୍ରାକିଂ ଡିଭାଇସ୍ଟି ସେହି ହମିଙ୍ଗ୍ବାର୍ଡ ଦେହରେ ଲଗାଯାଇଥିଲା। ତାହାକୁ ସିଧା ବିଜୁଳିଶକ୍ତି ଯୋଗାଉଥିଲା ଏକ କ୍ଷୁଦ୍ର ସୋଲାର୍ ସେଲ୍। ଡିଭାଇସ୍ରେ ବ୍ୟାଟେରି ନ ଥିଲା କି, ଡେଟା ଷ୍ଟୋରେଜ୍ ବି ନ ଥିଲା। ସେଥିରେ ଥିବା ଟ୍ରାନ୍ସ୍ମିଟର୍ ପ୍ରତି ୩ ସେକେଣ୍ଡ୍ରେ ସିଗ୍ନାଲ୍ ଛାଡୁଥିଲା। ଚଢ଼େଇଟି ଯେକୌଣସି ଅଞ୍ଚଳର ୨୦୦ ମିଟର୍ ମଧ୍ୟରେ ଥିଲେ ଉକ୍ତ ସିଗ୍ନାଲ୍କୁ ଏକ ବ୍ଲୁଟୁଥ୍ ମାଧ୍ୟମରେ ସ୍ମାର୍ଟଫୋନ୍ ଅଥବା କମ୍ପ୍ୟୁଟର୍ରେ ସଂଗ୍ରହ କରିହେଉଥିଲା। ସେମାନେ ଟ୍ରାକ୍ କରିଥିବା ଚଢ଼େଇର ଉଡ଼ାଣ ଏବଂ ଉଡ଼ାଣ କଥା ‘ଇକୋଲୋଜି ଆଣ୍ଡ୍ ଇଭଲ୍ୟୁସନ୍’ ଜର୍ଣ୍ଣାଲ୍ରେ ପ୍ରକାଶ ପାଇଛି।
ଏବେ ହମିଙ୍ଗ୍ବାର୍ଡଙ୍କ ସଂଖ୍ୟା କମି କମି ଯାଉଛି। କାହିଁକି ସେମାନଙ୍କ ବଂଶ ବୁଡ଼ିଆସୁଛି ତା’ର ସଠିକ୍ କାରଣ ନିରୂପଣ କରିବା ପାଇଁ ଆଗରୁ ବୈଜ୍ଞାନିକମାନେ ଅଲଗା ପ୍ରକାର ଫ୍ଲାଇଂ ଟ୍ରାକର୍ ବ୍ୟବହାର କରୁଥିଲେ। କିନ୍ତୁ, ତାହା ଜରିଆରେ ପ୍ରକୃତ ତଥ୍ୟ ସଂଗ୍ରହ ହୋଇପାରୁ ନ ଥିଲା। ୨୦୨୫ ମାର୍ଚ୍ଚ ଓ ଏପ୍ରିଲ୍ ମାସରେ ରୋଡ୍ସ୍ ଏବଂ ତାଙ୍କ ଟିମ୍ ୪ଟି ନାଲିଆ-ବାଦାମୀ ହମିଙ୍ଗ୍ବାର୍ଡ ଓ ୭ଟି ପଦ୍ମରାଗ-କଣ୍ଠିଆ ହମିଙ୍ଗ୍ବାର୍ଡଙ୍କ ପିଠିରେ ଟ୍ରାକର୍ ଲଗାଇଥିଲେ। ଏହି ସମୟ ହେଉଛି ପକ୍ଷୀମାନଙ୍କ ବସନ୍ତକାଳୀନ ଦେଶାନ୍ତର ଯାତ୍ରା କାଳ।
ସୌଜନ୍ୟ ସମ୍ବାଦ




