ଜାତୀୟ

ଇସ୍ରୋ-ଜାପାନର ମିଳିତ ମିଶନ: ଚନ୍ଦ୍ରର ଦକ୍ଷିଣ ମେରୁରେ ପାଣି ଖୋଜିବ ଚନ୍ଦ୍ରଯାନ-୫, ୩୫୦ କିଲୋର ରୋଭର୍‌ ପ୍ରଦର୍ଶନ

ନୂଆଦିଲ୍ଲୀ ୨୮/୧୧: ଭାରତ ଓ ଜାପାନ ମିଳିତ ଭାବେ ଚନ୍ଦ୍ରର ସେହି ରହସ୍ୟକୁ ବୁଝିବାକୁ ପ୍ରସ୍ତୁତି ଚଳାଇଛନ୍ତି, ଯାହାର ଉତ୍ତର ଭବିଷ୍ୟତର ମହାକାଶ ଅଭିଯାନ ଓ ମାନବ ବସତି ନିମନ୍ତେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଜାପାନର ମହାକାଶ ଏଜେନ୍ସି ଜାକ୍ସା ଭାରତ ଜାପାନର ମିଳିତ ଚନ୍ଦ୍ର ମିଶନ ଚନ୍ଦ୍ରଯାନ-୫ ଅର୍ଥାତ୍ ଲୁପେକ୍ସର ରୋଭର୍ର ପ୍ରୋଟୋଟାଇପ୍ ପ୍ରଦର୍ଶନ କରିଛି ।

ପ୍ରାୟ ୩୫୦ କିଲୋ ଓଜନର ଏହି ରୋଭର ଚନ୍ଦ୍ର ପୃଷ୍ଠରେ ଯାତ୍ରା କରି ଜଳ ଓ ବରଫର ଉପସ୍ଥିତି ଜାଣିବାରେ ସାହାଯ୍ୟ କରିବ । ଏହା କେବଳ ଚନ୍ଦ୍ରର ଫଟୋ ଉଠାଇବା କିମ୍ବା ଏହାର ମାଟିର ସାଧାରଣ ଅଧ୍ୟୟନରେ ସୀମିତ ରହିବ ନାହିଁ, ବରଂ ପୃଷ୍ଠ ତଳେ ପ୍ରାୟ ୧.୫ ମିଟର ଯାଏ ଖନନ କରି ନମୁନାର ବିଶ୍ଳେଷଣ କରିବ । ଏହି ମିଶନ ଭାରତର ଚନ୍ଦ୍ରଯାନ କାର୍ଯ୍ୟକ୍ରମ ଓ ଜାପାନର ମହାକାଶ ଟେକ୍ନୋଲୋଜି ମଧ୍ୟରେ ଏକ ବଡ଼ ଭାଗିଦାରୀର ଉଦାହରଣ । ଜାପାନ ରୋଭର ନିର୍ମାଣ କରୁଛି ଏବଂ ଲ୍ୟାଣ୍ଡର ନିର୍ମାଣ ଦାୟିତ୍ୱ ଇସ୍ରୋର । ୟୁରୋପୀୟ ମହାକାଶ ଏଜେନ୍ସି (ଇଏସ୍ଏ) ଓ ଆମେରିକା ମହାକାଶ ଏଜେନ୍ସି ନାସା ମଧ୍ୟ ବୈଜ୍ଞାନିକ ଉପକରଣ ଜରିଆରେ ଏଥିରେ ଯୋଗଦାନ ଦେଉଛନ୍ତି ।

ଚନ୍ଦ୍ରଯାନ-୫ ‘ଲୁପେକ୍ସ’ ଅର୍ଥାତ୍ ଲୁନାର ପୋଲାର ଏକ୍ସପ୍ଲୋରେସନ୍ ମିଶନ ନାମରେ ପରିଚିତ । ୨୦୨୮ରେ ଜାପାନର ଏଚ୍-୩ ରକେଟ୍ ସାହାଯ୍ୟରେ ଏହାର ଉତ୍‌କ୍ଷେପଣ ଯୋଜନା ରହିଛି । ଜାପାନର ତନେଗାଶିମା ସ୍ପେସ୍ ସେଣ୍ଟର୍ରୁ ଏହାର ଉତ୍‌କ୍ଷେପଣ ହେବ । ଏହି ସମୟରେ ପୂରା ମିଶନର ଓଜନ ହାରାହାରି ୬.୫ ଟନ୍ ହେବ । ଚନ୍ଦ୍ରରେ ଅବତରଣ ପରେ ଏହାର ସାଧାରଣ ପରିଚାଳନା ସମୟ ୩.୫ ଘଣ୍ଟା ରଖାଯାଇଛି । ପରିସ୍ଥିତି ଅନୁକୂଳ ରହିଲେ, ମିଶନକୁ ବର୍ଷେ ଯାଏ ବଢ଼ାଯାଇପାରେ । ମିଶନର ମୁଖ୍ୟ ଲକ୍ଷ୍ୟ ଚନ୍ଦ୍ରର ମେରୁ କ୍ଷେତ୍ରରେ ଜଳ ଓ ଜଳ ବରଫ ଚିହ୍ନଟ କରିବା । ବୈଜ୍ଞାନିକଙ୍କ ପାଇଁ ଚନ୍ଦ୍ରର ଦକ୍ଷିଣ ମେରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । କାରଣ ସେଠାରେ କିଛି ଏମିତି ଗର୍ତ୍ତ ଅଛି, ଯେଉଁଠି ସୂର୍ଯ୍ୟ ରଶ୍ମି ବହୁତ କମ୍ କିମ୍ବା ଆଦୌ ପହଞ୍ଚେ ନାହିଁ ।

ଏହି କ୍ଷେତ୍ରରେ ତାପମାତ୍ରା ଖୁବ୍ କମ୍ ରହେ । ବୈଜ୍ଞାନିକଙ୍କ ଅନୁମାନ, କୋଟି କୋଟି ବର୍ଷ ଧରି ଏଭଳି ଥଣ୍ଡା ଓ ଅନ୍ଧାରିଆ ଅଞ୍ଚଳରେ ପାଣିର ବରଫ ସୁରକ୍ଷିତ ରହିପାରେ । ତେବେ ଏହାର ବାସ୍ତବ ମାତ୍ରା, ଗଭୀରତା ଓ ବିତରଣ ଜାଣିବା ପାଇଁ ବୈଜ୍ଞାନିକ ଅଧ୍ୟୟନ ଜରୁରି । ଜାକ୍ସା ଟୋକିଓର ଚୋଫୁ ଏରୋସ୍ପେସ୍ ସେଣ୍ଟର୍ରେ ରୋଭର୍ର ପ୍ରୋଟୋଟାଇପ୍ ପ୍ରଦର୍ଶନ କରିଛି । ଏହା ସାଧାରଣ କାର୍ ବା ରୋଭର ଭଳି ଚକରେ ଗଡୁଥିବା ବାହନ ନୁହେଁ ।

ଏଥିରେ ବେଲ୍ଟ ଭଳି କ୍ରଲର୍ ଟ୍ରାକ୍ ପ୍ରଣାଳୀ ରହିଛି, ଯାହା ଆବଡ଼ାଖାବଡ଼ା ଓ ଅସମାନ ଚନ୍ଦ୍ର ପୃଷ୍ଠରେ ଆଗକୁ ଯିବାରେ ସାହାଯ୍ୟ କରିବ । ପ୍ରଦର୍ଶନ ସମୟରେ ବୈଜ୍ଞାନିକମାନେ କୃତ୍ରିମ ଚନ୍ଦ୍ର ପୃଷ୍ଠରେ ଏହାର ଗତି ଦେଖାଇଲେ । ରୋଭର୍ରେ ୭ ବୈଜ୍ଞାନିକ ଉପକରଣ ଲାଗିବ । ଏହା ଅବତରଣ ସ୍ଥଳ ଆଖପାଖରେ ପୂର୍ବ ନିର୍ଦ୍ଧାରିତ ମାର୍ଗରେ ଚାଲିବ । ଇସ୍ରୋ ଓ ନାସା ମିଳିତ ଭାବେ ଏହାର ମାର୍ଗ ନିର୍ଦ୍ଧାରଣ କରିବେ, ଯାହା ଦ୍ୱାରା ବୈଜ୍ଞାନିକ ପ୍ରୟୋଗ, ମାପ ଓ ବ୍ୟାଟେରୀ ରିଚାର୍ଜ ପାଇଁ ଉପଯୁକ୍ତ ସ୍ଥାନ ଚୟନ ହୋଇପାରିବ ।

ରୋଭର ଭିନ୍ନ ଭିନ୍ନ ସ୍ଥାନକୁ ଯାଇ ତାପମାତ୍ରା, ସୂର୍ଯ୍ୟାଲୋକ ଓ ଭୂଗର୍ଭୀୟ ଗଠନ ସମ୍ପର୍କିତ ତଥ୍ୟ ସଂଗ୍ରହ କରିବ । ଏହି ଆଧାରରେ ବୈଜ୍ଞାନିକମାନେ ସ୍ଥିର କରିବେ, କେଉଁଠି ଖନନ କରିବା ଉପଯୁକ୍ତ ହେବ । ଚୟନ ସ୍ଥଳରୁ ମାଟିର ନମୁନା ବିଶ୍ଳେଷଣ ପାଇଁ ନିଆଯିବ ।

 

 

 

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button