ରାଜ୍ୟ

National Puppet Theatre: ‘ଜାତୀୟ କଣ୍ଢେଇ ନାଟ ଉତ୍ସବ’ ଉଦ୍‌ଘାଟିତ, କଣ୍ଢେଇ ନାଟରେ ଝଲସିଲା ଭାରତୀୟ ସଂସ୍କୃତି

ଭୁବନେଶ୍ୱର, ୨୮/୧୧ : ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ତଥା ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପକ୍ଷରୁ ‘ଜାତୀୟ କଣ୍ଢେଇ ନାଟ ଉତ୍ସବ’ ଆରମ୍ଭ ହୋଇଛି । ରବୀନ୍ଦ୍ର ମଣ୍ଡପରେ ଅନୁଷ୍ଠିତ ଉଦ୍‌ଘାଟନ ସମାରୋହରେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ମୁଖ୍ୟ ଅତିଥି ଭାବରେ ଯୋଗଦେଇ କହିଲେ, ଓଡ଼ିଶାର କଳା ଓ ସଂସ୍କୃତି ହେଉଛି ଆମର ପରିଚୟ । କଣ୍ଢେଇନାଟ ହେଉଛି ଏକ ସମୃଦ୍ଧ ଲୋକନାଟ୍ୟ । କାର୍ଯ୍ୟକ୍ରମରେ ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ଛାତ୍ରଛାତ୍ରୀ ଓ ଯୁବପିଢ଼ିଙ୍କ ଉପସ୍ଥିତି ଏହି ଉତ୍ସବକୁ ଆହୁରି ଆକର୍ଷଣୀୟ କରିଛି । କଣ୍ଢେଇ ନାଟ ଭଳି ସମୃଦ୍ଧ ନାଟ୍ୟ ପରମ୍ପରାକୁ ସଂରକ୍ଷଣ କରିବା ସହ ଏହାର ବହୁଳ ପ୍ରଚାର ଓ ପ୍ରସାର କରିବା ନିମନ୍ତେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପକ୍ଷରୁ ଜାତୀୟ କଣ୍ଢେଇ ନାଟ ଉତ୍ସବର ଆୟୋଜନ ହେବା ଏକ ପ୍ରଶଂସନୀୟ ପଦକ୍ଷେପ ବୋଲି ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଥିଲେ ।

ସମ୍ମାନିତ ଅତିଥି ବିଧାୟକ ବାବୁ ସିଂ କହିଲେ, କଣ୍ଢେଇ ନାଟକୁ ଯୁବପିଢ଼ିଙ୍କ ମଧ୍ୟରେ ଲୋକପ୍ରିୟ କରାଇବା ଦିଗରେ ଜାତୀୟ କଣ୍ଢେଇ ନାଟ ଉତ୍ସବ ଏକ ପ୍ରମୁଖ ଭୂମିକା ନିର୍ବାହ କରୁଛି । ଏ ଅବସରରେ ବେଙ୍ଗାଲୁରୁର ରଙ୍ଗପୁଥିଲୀ ପପେଟିୟର୍ସର ‘କାଠି ଓ ସୂତା କଣ୍ଢେଇ’, ଆନ୍ଧ୍ରପ୍ରଦେଶ ଶ୍ରୀନଟରାଜ ନିଳୟ ଚର୍ମଚିତ୍ର କଳା ପ୍ରଦର୍ଶନ କମିଟିର ‘ଥୋଲବୋମାଲଥ : ଛାୟା କଣ୍ଢେଇ ନାଟ’, କେନ୍ଦୁଝରର ଦେବଶିଳ୍ପୀ ବିଶ୍ୱକର୍ମା କଣ୍ଢେଇ ନାଚର ‘ରାମଲୀଳା କଣ୍ଢେଇ ନାଟ’, ଅନୁଗୋଳର ଶ୍ରୀରାମ ଛାୟାନାଟକ ଗବେଷଣା ପରିଷଦର ‘ରାବଣଛାୟା’, ଢେଙ୍କାନାଳ ଜୟ ଭାରତ କଣ୍ଢେଇ କଳା ପରିଷଦର ‘ଗୋପଲୀଳା କଣ୍ଢେଇ ନାଟ’ (ସୂତା କଣ୍ଢେଇ ନାଟ), ବୌଦ୍ଧର ବୁଦ୍ଧମ୍ ପପେଟ୍ରିର ‘ସମକାଳୀନ କଣ୍ଢେଇ ନାଟ’ ପରିବେଷଣ ହୋଇଥିଲା । ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପକ୍ଷରୁ “କଣ୍ଢେଇନାଟ : ଏକ ସଂସ୍କୃତିଯାତ୍ରା’ ପୁସ୍ତକ ଉନ୍ମୋଚିତ ହୋଇଥିଲା । ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀର ସଚିବ ଡ଼. ଚନ୍ଦ୍ର ଶେଖର ହୋତା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

 

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button