Iran currency: ଇରାନ ମୁଦ୍ରା ରେକର୍ଡସ୍ତରକୁ ଖସିଲା: ରାସ୍ତାକୁ ଓହ୍ଲାଇଲେ ଉତ୍ତ୍ୟକ୍ତ ଲୋକେ, କେନ୍ଦ୍ରୀୟ ବ୍ୟାଙ୍କ ମୁଖ୍ୟଙ୍କ ଇସ୍ତଫା
ଇରାନରେ ଅର୍ଥନୈତିକ ସଂକଟ ଦେଖାଦେଇଛି। ଦେଶର ମୁଦ୍ରା ‘ରିଆଲ’ ମୂଲ୍ୟ ଆମେରିକାର ଡଲାର ତୁଳନାରେ ରେକର୍ଡ ସ୍ତରକୁ ହ୍ରାସ ପାଇବା ପରେ ଲୋକମାନେ ରାସ୍ତାକୁ ଓହ୍ଲାଇଛନ୍ତି। ଏପରିକି ଇରାନ କେନ୍ଦ୍ରୀୟ ବ୍ୟାଙ୍କ ମୁଖ୍ୟ ମହମ୍ମଦ ରିଜା ଫରଜିନ୍ଙ୍କୁ ଇସ୍ତଫା ଦେବାକୁ ପଡ଼ିଛି।

ତେହରାନ: ଇରାନରେ ଅର୍ଥନୈତିକ ସଂକଟ ଦେଖାଦେଇଛି। ଦେଶର ମୁଦ୍ରା ‘ରିଆଲ’ ମୂଲ୍ୟ ଆମେରିକାର ଡଲାର ତୁଳନାରେ ରେକର୍ଡ ସ୍ତରକୁ ହ୍ରାସ ପାଇବା ପରେ ଲୋକମାନେ ରାସ୍ତାକୁ ଓହ୍ଲାଇଛନ୍ତି। ଏପରିକି ଇରାନ କେନ୍ଦ୍ରୀୟ ବ୍ୟାଙ୍କ ମୁଖ୍ୟ ମହମ୍ମଦ ରିଜା ଫରଜିନ୍ଙ୍କୁ ଇସ୍ତଫା ଦେବାକୁ ପଡ଼ିଛି। ଆନ୍ଦୋଳନକାରୀମାନଙ୍କୁ ଶାନ୍ତ କରିବା ପାଇଁ ଇରାନ ରାଷ୍ଟ୍ରପତି ପେଜେସ୍କିଆନ୍ ମାସୁଦ କହିଛନ୍ତି, ଲୋକଙ୍କ ଜୀବିକା ତାଙ୍କର ମୁଖ୍ୟ ଚିନ୍ତା। ଲୋକଙ୍କ ଦାବିକୁ ସେ ଯଥାର୍ଥ ବୋଲି କହିଛନ୍ତି।
ଆନ୍ଦୋଳନକାରୀମାନଙ୍କ ସହ ଆଲୋଚନା ପାଇଁ ସେ ଦେଶର ଆଭ୍ୟନ୍ତରୀଣ ମନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସରକାର ସମସ୍ତ ଶକ୍ତି ଖଟାଇ ସମସ୍ୟା ସମାଧାନ କରିପାରିବେ ବୋଲି ସେ କହିଛନ୍ତି। ୨୦୨୨ରେ ଫରଜିନ୍ କେନ୍ଦ୍ରୀୟ ବ୍ୟାଙ୍କ ମୁଖ୍ୟ ହେବା ସମୟରେ ୧ ଡଲାର ମୂଲ୍ୟ ୪,୩୦,୦୦୦ ‘ରିଆଲ’ ଥିଲା। କିନ୍ତୁ ସଂପ୍ରତି ଏହା ୧.୩୮ ନିୟୁତ ସ୍ତରକୁ ଖସିଆସିଛି। ମୁଦ୍ରା ଦୁର୍ବଳ ହେବା ପରେ ଲୋକଙ୍କ ଉପରେ ବଡ଼ଧରଣର ମୁଦ୍ରାସ୍ଫୀତି ଚାପ ସୃଷ୍ଟି ହୋଇଛି। ରବିବାରଠାରୁ ଆନ୍ଦୋଳନ ଆରମ୍ଭ ହୋଇ ଧୀରେ ଧୀରେ ଏହା ବଡ଼ ଆକାର ନେଉଛି। ବ୍ୟବସାୟୀମାନେ ତେହରାନର ସାଦି ଷ୍ଟ୍ରିଟ୍ ଏବଂ ଅନ୍ୟ ସ୍ଥାନରେ ରାଲି କରିଛନ୍ତି। ତେହରାନରେ ବ୍ୟବସାୟୀମାନେ ସୋମବାର ଦୋକାନ ବି ବନ୍ଦ କରିଥିଲେ। ଇରାନର ଜନସଂଖ୍ୟା ୯.୨ କୋଟି ହୋଇଥିବାବେଳେ ଉଚ୍ଚ ମୁଦ୍ରାସ୍ଫୀତି କାରଣରୁ ଖାଦ୍ୟଠାରୁ ଆରମ୍ଭ କରି ବିଭିନ୍ନ ସାମଗ୍ରୀର ଦରଦାମ ବଢ଼ିଯାଇଛି।
ସୌଜନ୍ୟ ସମ୍ବାଦ




