ଦେଶ ବିଦେଶ

Voyager-1: ଐତିହାସିକ ସଫଳତା ହାସଲ କଲା ଭଏଜର୍‌-୧, ପୃଥିବୀଠାରୁ ଏକ ଆଲୋକ ଦିବସ ଦୂରତା ଅତିକ୍ରମ କଲା

ମହାକାଶ ଅନୁସନ୍ଧାନ କ୍ଷେତ୍ରରେ ଆଉ ଏକ ଐତିହାସିକ ସଫଳତା ହାସଲ କରିଛି ଆମେରିକାର ମହାକାଶ ଗବେଷଣା ସଂସ୍ଥା ନାସାର ମହାକାଶଯାନ ଭଏଜର୍‌-୧। ପୃଥିବୀଠାରୁ ଏହାର ଦୂରତା ଏକ ଆଲୋକ ଦିବସରେ ପହଞ୍ଚିଛି।

ୱାସିଂଟନ: ମହାକାଶ ଅନୁସନ୍ଧାନ କ୍ଷେତ୍ରରେ ଆଉ ଏକ ଐତିହାସିକ ସଫଳତା ହାସଲ କରିଛି ଆମେରିକାର ମହାକାଶ ଗବେଷଣା ସଂସ୍ଥା ନାସାର ମହାକାଶଯାନ ଭଏଜର୍‌-୧। ପୃଥିବୀଠାରୁ ଏହାର ଦୂରତା ଏକ ଆଲୋକ ଦିବସରେ ପହଞ୍ଚିଛି। ଅର୍ଥାତ୍‌ ଏକ ସେକେଣ୍ଡକୁ ପ୍ରାୟ ୩ ଲକ୍ଷ କିମି ବେଗରେ ଆଲୋକକୁ ପୃଥିବୀରୁ ଏହି ମହାକାଶଯାନ ପାଖରେ ପହଞ୍ଚିବା ପାଇଁ ୨୪ ଘଣ୍ଟା ସମୟ ଲାଗିବ। ମାନବ ନିର୍ମିତ କୌଣସି ବସ୍ତୁ ଏହି ଦୂରତା ଅତିକ୍ରମ କରିବାରେ ଭଏଜର୍‌-୧ ପ୍ରଥମ। ନାସାର ହିସାବ ଅନୁଯାୟୀ, ନଭେମ୍ବର ୧୮ ତାରିଖ ବୁଧବାର ସକାଳ ୫ଟା ୧୬ ମିନିଟ୍‌ରେ ଏହା ଏହି ମାଇଲଖୁଣ୍ଟ ଅତିକ୍ରମ କରିଛି। ସେତେବେଳକୁ ଏହା ପୃଥିବୀଠାରୁ ପ୍ରାୟ ୨୫୯୦ କୋଟି କିଲୋମିଟର ଦୂରରେ ରହିଥିଲା।

ଭଏଜର୍‌-୧ ୧୯୭୭ ସେପ୍ଟେମ୍ବର ୫ ତାରିଖରେ ଆମେରିକାର ଫ୍ଲୋରିଡାସ୍ଥିତ କେପ୍‌ କାନାଭେରାଲ୍‌ରୁ ମହାକାଶକୁ ଉତ୍‌କ୍ଷେପଣ କରାଯାଇଥିଲା। ଏହାର ମୁଖ୍ୟ ଉଦ୍ଦେଶ୍ୟ ଥିଲା ବୃହସ୍ପତି ଓ ଶନି ଗ୍ରହ ସମ୍ପର୍କରେ ଅଧିକ ତଥ୍ୟ ସଂଗ୍ରହ କରିବା। ପରବର୍ତ୍ତୀ ସମୟରେ ଏହା ସୌରଜଗତର ସୀମା ଅତିକ୍ରମ କରି ଆନ୍ତଃନାକ୍ଷତ୍ରିକ ମହାକାଶରେ ପ୍ରବେଶ କରିଥିଲା। ୨୦୧୨ ଅଗଷ୍ଟରେ ଏହା ହେଲିଓସ୍ଫିୟର୍‌ ଅର୍ଥାତ୍‌ ସୂର୍ଯ୍ୟଙ୍କଠାରୁ ନିର୍ଗତ କଣିକା ଓ ଚୁମ୍ବକୀୟ କ୍ଷେତ୍ର ଦ୍ୱାରା ସୃଷ୍ଟ ସୁରକ୍ଷା ବଳୟ ଅତିକ୍ରମ କରି ଆନ୍ତଃନାକ୍ଷତ୍ରିକ ଅଞ୍ଚଳରେ ପହଞ୍ଚିଥିଲା। ଏହା ସେହି ଅଞ୍ଚଳରେ ପହଞ୍ଚିଥିବା ପ୍ରଥମ ମହାକାଶଯାନ।

ଏହି ମହାକାଶଯାନ ଘଣ୍ଟାପ୍ରତି ପ୍ରାୟ ୬୧ ହଜାର କିଲୋମିଟର ବେଗରେ ଯାତ୍ରା କରୁଛି। ଏତେ ଦୂରରେ ଥାଇ ମଧ୍ୟ ଏହା ନିୟମିତ ଭାବେ ପୃଥିବୀକୁ ବୈଜ୍ଞାନିକ ତଥ୍ୟ ପଠାଉଛି। ମହାକାଶରେ ଥିବା ଚୁମ୍ବକୀୟ କ୍ଷେତ୍ର, ବିଦ୍ୟୁତ୍‌ ଆବେଶଯୁକ୍ତ କଣିକା ଓ ପ୍ଲାଜ୍‌ମା ତରଙ୍ଗ ସମ୍ପର୍କରେ ଏହା ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଦେଉଛି। ଏହି ସଫଳତାର ଆଉ ଏକ ଗୁରୁତ୍ୱପୂର୍ଣ୍ଣ ଦିଗ ହେଉଛି ପୃଥିବୀ ସହ ଯୋଗାଯୋଗରେ ବିଳମ୍ବ। ଏବେ ପୃଥିବୀରୁ ଭଏଜର୍‌-୧କୁ ପଠାଯାଉଥିବା ରେଡିଓ ସଙ୍କେତ ପହଞ୍ଚିବାକୁ ପ୍ରାୟ ୨୪ ଘଣ୍ଟା ଲାଗିବ। ସେଠାରୁ ଉତ୍ତର ଫେରି ପୃଥିବୀରେ ପହଞ୍ଚିବାକୁ ଆଉ ୨୪ ଘଣ୍ଟା ଲାଗିବ। ଅର୍ଥାତ୍‌ କୌଣସି ନିର୍ଦ୍ଦେଶ ପଠାଇବା ପରେ ତାହାର ଉତ୍ତର ପାଇବାକୁ ପ୍ରାୟ ଦୁଇ ଦିନ ଅପେକ୍ଷା କରିବାକୁ ପଡ଼ିବ।

 

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button