BRICS Media Kit : ବ୍ରିକ୍ସ ମିଡିଆ କିଟ୍ରେ ପ୍ରସିଦ୍ଧ କୋରାପୁଟ କଫି… ବିହାର ଛତୁଆ, ଅନ୍ତର୍ଜାତୀୟ ଦର୍ଶକଙ୍କ ସମ୍ମୁଖରେ ଭାରତ ବଖାଣିବ ବିବିଧତାର କାହାଣୀ

ଭୁବନେଶ୍ୱର, ୧୧/୯ : ବ୍ରିକ୍ସ ମିଡିଆ କିଟ୍ରେ ସ୍ଥାନ ପାଇଛି ଓଡ଼ିଶାର ପ୍ରସିଦ୍ଧ କୋରାପୁଟ କଫି । ଯାହା ପୁଣିଥରେ ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ ଓଡ଼ିଶା ଓ ଓଡ଼ିଶାର କଫିକୁ ସ୍ୱତନ୍ତ୍ର ପରିଚୟ ଦେଇଛି । କିଟ୍ରେ ବିହାରର ପାରମ୍ପରିକ ଛତୁଆ, ମଖାନା, ଗୁଜରାଟର ପ୍ରସିଦ୍ଧ ହସ୍ତଶିଳ୍ପ ସହିତ ଭାରତର ବିବିଧ ସାଂସ୍କୃତିକ ରାନ୍ଧଣାଗତ ଦୃଶ୍ୟପଟ୍ଟର କିଛି ଉପାଦାନ ସ୍ଥାନ ପାଇଛି ।
ନୂଆଦିଲ୍ଲୀ ସ୍ଥିତି ଭାରତ ମଣ୍ଡପମ୍ରେ ଆସନ୍ତା ୧୨ ଓ ୧୩ ତାରିଖରେ ଅନୁଷ୍ଠିତ ହେଉଛି ୧୮ତମ ବ୍ରିକ୍ସ ସମ୍ମିଳନୀ । ଏଠାକୁ ଭାରତ ତଥା ବିଶ୍ୱର ନିମନ୍ତ୍ରିତ ସାମ୍ବାଦିକମାନେ ଆସୁଥିବା ବେଳେ ସେମାନଙ୍କ ଦୃଷ୍ଟି ଆକର୍ଷଣ ପୂର୍ବକ ଦେଶର ବିବିଧ ପରମ୍ପରା, ସ୍ଥାନୀୟ ଉତ୍ପାଦ ଏବଂ ହସ୍ତଶିଳ୍ପକୁ ମିଡିଆ କିଟ୍ରେ ସାମିଲ କରାଯାଇଛି । ଅନ୍ତର୍ଜାତୀୟ ଗଣମାଧ୍ୟମ ଆଗରେ ବିଦେଶ ମନ୍ତ୍ରଣାଳୟ ଦ୍ୱାରା ବିଭିନ୍ନ ରାଜ୍ୟର ପ୍ରସ୍ତୁତ ପ୍ରସିଦ୍ଧ ଉତ୍ପାଦକୁ ସାମିଲ କରିବାକୁ ଏହା ଏକ ପ୍ରୟାସ । ଯେମିତି ଏହା ଭାରତର କାହାଣୀ ସହ ବିବିଧତାକୁ ପ୍ରଦର୍ଶନ କରିବ, ସେହିଭଳି ଭାବେ ତା’ର ପରିକଳ୍ପନା କରାଯାଇଥିବା ବିଦେଶ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି । ଓଡ଼ିଶା ସରକାରଙ୍କ ସହଭାଗିତାରେ କୋରାପୁଟ କଫିର ବ୍ରାଣ୍ଡିଂ ସହ ତା’ର ସ୍ୱାଦ ଓ ବାସ୍ନାକୁ ଅନୁଭବ କରିବାର ସୁଯୋଗ ବି ସମ୍ମିଳନୀରେ ମିଳିବ । ତେବେ ଅନ୍ତର୍ଜାତୀୟ ଦର୍ଶକଙ୍କ ସମ୍ମୁଖରେ ଭାରତ ତା’ର ବିବିଧତା, ନବସୃଜନ ଏବଂ ବିକାଶ କାହାଣୀକୁ ଉଜ୍ଜ୍ୱଳ କରିବା ପାଇଁ ଏଭଳି ଏକ ପରିକଳ୍ପନାକୁ ରୂପ ଦେଇଛି ।
ଓଡ଼ିଶାର ଶିଳ୍ପୀ ଚକ୍ ଖଡ଼ିରେ ପ୍ରସ୍ତୁତ କଲେ ବ୍ରିକ୍ସ ସମ୍ମିଳନୀରେ ଯୋଗ ଦେଉଥିବା ୫ ରାଷ୍ଟ୍ରମୁଖ୍ୟଙ୍କ ପ୍ରତିକୃତି । ଏଥି ସହିତ ବ୍ରିକ୍ସ ଲେଖାଥିବା ଇଂରାଜୀ ଅକ୍ଷର ପ୍ରତିକୃତି । ଓଡ଼ିଶାର ଗିନିଜ୍ ୱାର୍ଲ୍ଡ ରେକର୍ଡ ବିଜେତା ଶିଳ୍ପୀ ବିଜୟ କୁମାର ତାଙ୍କ ସୂକ୍ଷ୍ମ କଳା କାରିଗରରେ ଚମତ୍କାରିତା ପ୍ରଦର୍ଶନ କରିଛନ୍ତି । ଏହି ୨୩ ବର୍ଷିୟ ଶିଳ୍ପୀ ତଥା ଇଲେକ୍ଟ୍ରିକାଲ୍ ଇଞ୍ଜିନିୟର ବିଜୟଙ୍କୁ ଏହାକୁ ନିର୍ମାଣ କରିବାକୁ ଦୀର୍ଘ ମାସେ ସମୟ ଲାଗିଛି । ସେ ସ୍ୱତନ୍ତ୍ର ଭାବେ ସୂକ୍ଷ୍ମ ଯନ୍ତ୍ରାଂଶ ବ୍ୟବହାର କରି ଏହାକୁ ପ୍ରସ୍ତୁତ କରିଛନ୍ତି । ପ୍ରତି ପ୍ରତିକୃତିର ଉଚ୍ଚ ଗୋଟିଏ ସେଣ୍ଟିମିଟର ରହିଛି । ଏଥିରେ ସେ ବ୍ରାଜିଲ, ଋଷିଆ, ଭାରତ, ଚୀନ ଏବଂ ସାଉଥ ଆଫ୍ରିକାର ମୁଖ୍ୟଙ୍କ ପ୍ରତିକୃତି ପ୍ରସ୍ତୁତି ସହ ବ୍ରିକ୍ସ ଲେଖାଥିବା ଅକ୍ଷର, ଜାତୀୟ ପତାକା ଏବଂ ୨୦୨୬ ସମ୍ମିଳନୀ ଲୋଗୋ ତିଆରି କରିଛନ୍ତି । ଦକ୍ଷିଣ ଆଫ୍ରିକା ଦୂତାବାସ ବିଦେଶକୁ କଳାକୃତି ପଠାଇବା ପାଇଁ ଶିଳ୍ପୀ ବିଜୟ କୁମାରଙ୍କ ସହିତ ଯୋଗାଯୋଗ କରିଥିବା ଜଣାପଡ଼ିଛି । ପୂର୍ବରୁ ବିଜୟ ବିଶ୍ୱକପ୍ କଳାକୃତିଠୁ ନେଇ ଅନେକ କିଛି କରି ଚର୍ଚ୍ଚାରେ ରହିବା ସହ ପ୍ରଶଂସା ବହୁ ଜାତୀୟ ଓ ଅନ୍ତର୍ଜାତୀୟ ରେକର୍ଡ ସାଙ୍ଗକୁ ପୁରସ୍କାର ସାଉଁଟି ଚାଲିଛନ୍ତି ।
ସୌଜନ୍ୟ ପ୍ରମେୟ




