Ceasefire: ଇସ୍ରାଏଲ-ଲେବାନନ୍‌ ମଧ୍ୟରେ ୧୦ ଦିନିଆ ଯୁଦ୍ଧବିରତି- ଇସ୍ରାଏଲ ଯୁଦ୍ଧବିରତି ଉଲ୍ଲଂଘନ କରିଥିବା ଲେବାନନ୍‌ ସେନାର ଅଭିଯୋଗ

ଇସ୍ତାନବୁଲ: ମଧ୍ୟପ୍ରାଚ୍ୟରେ ଶାନ୍ତି ପ୍ରତିଷ୍ଠା ଦିଗରେ ବିଭିନ୍ନ ପକ୍ଷରୁ ଉଦ୍ୟମ ଚାଲିଥିବାବେଳେ ପାକିସ୍ତାନରେ ଇରାନ ଓ ଆମେରିକା ମଧ୍ୟରେ ପୁଣି ଥରେ ଆଲୋଚନା ଆରମ୍ଭ ହୋଇପାରେ। ତେବେ ଶାନ୍ତି ଆଲୋଚନା ବିଫଳ ହେବାରେ ଲେବାନନ୍‌ ଉପରେ ଇସ୍ରାଏଲର ଆକ୍ରମଣ ଗୋଟିଏ କାରଣ ଥିଲା। ଆମେରିକା ଓ ଇରାନ ମଧ୍ୟରେ ଯୁଦ୍ଧବିରତି ଲାଗୁ ହୋଇଥିବାବେଳେ ଲେବାନନ୍‌ ଉପରେ ଇସ୍ରାଏଲର ଆକ୍ରମଣ ବନ୍ଦକୁ ଇରାନ ଶାନ୍ତି ଆଲୋଚନାର ଏକ ପ୍ରସଙ୍ଗ କରିଥିଲା। ଇତିମଧ୍ୟରେ ଇସ୍ରାଏଲ ଓ ଲେବାନନ୍‌ ମଧ୍ୟରେ ୧୦ ଦିନିଆ ଯୁଦ୍ଧବିରତି ଲାଗୁ ହୋଇଥିବା ଆ‌ମେରିକା ରା‌ଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଘୋଷଣା କରିଛନ୍ତି। ଭାରତୀୟ ସମୟ ଅନୁସାରେ ଗୁରୁବାର-ଶୁକ୍ରବାର ମଧ୍ୟରାତ୍ରି ୨ଟା ୩୦ ମିନିଟରେ ଏହି ଯୁଦ୍ଧବିରତି ଲାଗୁ ହୋଇଥିଲା। ଟ୍ରମ୍ପ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତାନ୍ୟାହୁ ଓ ଲେବାନନ୍‌ର ରାଷ୍ଟ୍ରପତି ଯୋଶେଫ ଆଉନ୍‌ଙ୍କ ସହିତ କଥା ହୋଇ ଯୁଦ୍ଧବିରତି ଘୋଷଣା କରିଥିଲେ।

ତେବେ ଲେବାନନ୍‌ ଓ ଇସ୍ରାଏଲ ମଧ୍ୟରେ ଯୁଦ୍ଧବିରତି ହେବାର ମାତ୍ର କିଛି ଘଣ୍ଟା ମଧ୍ୟରେ ଏହାର ଉଲ୍ଲଂଘନ ହୋଇଥିବା ଅଭିଯୋଗ ହୋଇଛି। ଇସ୍ରାଏଲ ପକ୍ଷରୁ ଦକ୍ଷିଣ ଲେବାନନ୍‌ ଗାଁ ଉପରେ ଆକ୍ରମଣ ହୋଇଥିବା ଲେବାନନ୍‌ ସେନା ପକ୍ଷରୁ ଅଭିଯୋଗ କରାଯାଇଛି। ଲେବାନିଜ୍ ସେନା ଶୁକ୍ରବାର ପ୍ରତ୍ୟୁଷରେ କହିଛି ଯେ, ଇସ୍ରାଏଲ ଦ୍ୱାରା ଯୁଦ୍ଧବିରତି ଉଲ୍ଲଂଘନ ହେବାର ଅନେକ ପ୍ରମାଣ ରେକର୍ଡ କରାଯାଇଛି। ଦକ୍ଷିଣ ଲେବାନନର ଅନେକ ଗାଁକୁ ଟାର୍ଗେଟ କରି ଇସ୍ରାଏଲ ପକ୍ଷରୁ ବିକ୍ଷିପ୍ତ ଗୁଳିବର୍ଷଣ କରାଯାଇଛି। ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ଏକ ପୋ‌ଷ୍ଟ କରି ଲେବାନନ୍‌ କହିଛି ଯେ, ମଧ୍ୟରାତ୍ରିରେ ଯୁଦ୍ଧବିରତି ଲାଗୁ ହେବା ପରଠାରୁ ଇସ୍ରାଏଲୀ ଅନେକ ଥର ଆକ୍ରମଣ କରିବାର ଏହା ପ୍ରମାଣ ରଖିଛି। ଇସ୍ରାଏଲ ଆକ୍ରମଣ ଯୋଗୁ ନାଗରିକଙ୍କ ଜୀବନ ପ୍ରତି ବିପଦ ରହିଛି।

ଇସ୍ରାଏଲର ଆକ୍ରମଣ ବନ୍ଦ ନହେବା ପର୍ଯ୍ୟନ୍ତ ସେନା ଲୋକମାନଙ୍କୁ ଦକ୍ଷିଣ ଲେବାନନ୍‌ର ଗାଁଗୁଡ଼ିକୁ ନ ଫେରିବା ପାଇଁ ନିବେଦନ କରିଛନ୍ତି। ସେନା ଆହୁରି ମଧ୍ୟ ସ୍ଥାନୀୟ ଅଞ୍ଚଳର ଲୋକମାନଙ୍କୁ ଏହାର ନିର୍ଦ୍ଦେଶ ମାନିବାକୁ ପରାମର୍ଶ ଦେଇଛନ୍ତି। ବିଶେଷକରି ରାତି ସମୟରେ ବିପଜ୍ଜନକ ସ୍ଥାନକୁ ନ ଯିବାକୁ ପରାମର୍ଶ ଦିଆଯାଇଛି। ଗୁରୁବାର ସନ୍ଧ୍ୟାରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଲେବାନନ୍‌ ରାଷ୍ଟ୍ରପତି ଆଉନ୍ ଏବଂ ଇସ୍ରାଏଲ ପ୍ରଧାନମନ୍ତ୍ରୀ ନେତାନ୍ୟାହୁଙ୍କ ସହିତ ଆପୋଷ ଆଲୋଚନା ହୋଇଥିଲା ବୋଲି ବର୍ଣ୍ଣନା କରିବା ପରେ ସହିତ ଯୁଦ୍ଧବିରତି ଘୋଷଣା କରିଥିଲେ।

 

 

ସୌଜନ୍ୟ ସମ୍ବାଦ