ଯଥା ସନ୍ତାପହରଣଂ ଚନ୍ଦନେନାନୁଲେପନମ୍।
ତଥୋତ୍ସବୋଽୟଂ ମେ ଦକ୍ଷ ସନ୍ତାପତ୍ରୟନାଶନଃ।।
-ସ୍କନ୍ଦପୁରାଣ-ଶ୍ରୀପୁରୁଷୋତ୍ତମକ୍ଷେତ୍ରମାହାତ୍ମ୍ୟମ୍, ୪୮/୩୭
ଚନ୍ଦନଯାତ୍ରା ଶ୍ରୀମନ୍ଦିରର ଏକ ପ୍ରଧାନ ପର୍ବ। ଏହା ବୈଶାଖ ଶୁକ୍ଳ ତୃତୀୟା ବା ଅକ୍ଷୟ ତୃତୀୟା ଦିନ ଆରମ୍ଭ ହୁଏ। ଏହିଦିନ ମଧ୍ୟ ଶ୍ରୀଜଗନ୍ନାଥଙ୍କ ବିଶ୍ବପ୍ରସିଦ୍ଧ ରଥଯାତ୍ରା ନିମନ୍ତେ ତିନିଟି ରଥର ନିର୍ମାଣ କାର୍ଯ୍ୟ ବିଧିମତେ ଆରମ୍ଭ କରାଯାଇଥାଏ। ‘ସ୍କନ୍ଦପୁରାଣ-ଶ୍ରୀପୁରୁଷୋତ୍ତମ କ୍ଷେତ୍ରମାହାତ୍ମ୍ୟମ୍’ରେ ଅକ୍ଷୟତୃତୀୟାକୁ କୁହାଯାଇଛି ଅକ୍ଷୟ ଓ ମୋକ୍ଷଦାୟିନୀ ଯାତ୍ରା। ମହର୍ଷି ଜୈମିନୀ ଅନ୍ୟ ଋଷିମାନଙ୍କୁ କହିଛନ୍ତି- ଯେଉଁ ମୂଢ଼ ମନୁଷ୍ୟମାନଙ୍କର ଚିତ୍ତ ବାସନା ଦ୍ବାରା ଆବଦ୍ଧ, ସେମାନଙ୍କୁ ମଧ୍ୟ ଏହି ଯାତ୍ରା ଅକ୍ଷୟ ମୋକ୍ଷ ପ୍ରଦାନ କରିଥାଏ।
‘ସ୍କନ୍ଦପୁରାଣ’ର ୪୮ ଅଧ୍ୟାୟରେ ଏ ସଂପର୍କରେ କୁହାଯାଇଛି- ପୂର୍ବକାଳରେ ଦକ୍ଷ ନାମକ ପ୍ରଜାପତି, କଳିଯୁଗର ମାନବଗଣ ତ୍ରିତାପରେ ପ୍ରପୀଡ଼ିତ ହେଉଥିବା ଦେଖି କୃପା ପରବଶ ହୋଇ ଶ୍ରୀକ୍ଷେତ୍ରକୁ ଆଗମନ କରିଥିଲେ। ଏହି ତ୍ରିତାପ ହେଉଛି- ଆଧିଭୌତିକ, ଆଧିଦୈବିକ ଓ ଆଧ୍ୟାତ୍ମିକ ତାପ। ଦକ୍ଷ ପ୍ରଜାପତି ଏଠାକୁ ଆସି, ବୈଶାଖମାସ ଶୁକ୍ଳପକ୍ଷ ତୃତୀୟା ବା ଅକ୍ଷୟତୃତୀୟା ଦିନ ଆନନ୍ଦିତ ହୋଇ ଶ୍ରୀଜଗନ୍ନାଥଦେବଙ୍କର ସର୍ବାଙ୍ଗରେ ଚନ୍ଦନ ଲେପନ କରିଥିଲେ। ସେଥିପାଇଁ ଅକ୍ଷୟ ତୃତୀୟା ଦିନ ଶ୍ରୀଜଗନ୍ନାଥଙ୍କ ଚନ୍ଦନଯାତ୍ରାର ଶୁଭାରମ୍ଭ ହୋଇଥାଏ।
ଏହି ଚନ୍ଦନଯାତ୍ରାର ଦୁଇଟି ପର୍ଯ୍ୟାୟ- ବାହାର ଚନ୍ଦନ ଓ ଭିତର ଚନ୍ଦନ। ବାହାର ଚନ୍ଦନରେ ଶ୍ରୀଦେବୀ, ଭୂଦେବୀ ଓ ମଦନମୋହନ ଏବଂ ରାମ ଓ କୃଷ୍ଣ ଚନ୍ଦନ ପୁଷ୍କରିଣୀରେ ଜଳକ୍ରୀଡ଼ା କରିବା ସହିତ, ଚନ୍ଦନକୁଣ୍ଡରେ ବିଜେ ହୁଅନ୍ତି। ପଞ୍ଚପାଣ୍ଡବ (ପଞ୍ଚ ମହାଦେବ) ମଧ୍ୟ ଚନ୍ଦନକୁଣ୍ଡରେ ବିଜେ ହୋଇଥାନ୍ତି। ଏହି ବାହାର ଚନ୍ଦନ ୨୧ ଦିନ ଧରି ଅନୁଷ୍ଠିତ ହେବା ପରେ ଭିତରଚନ୍ଦନ ମଧ୍ୟ ୨୧ ଦିନ ଧରି ଅନୁଷ୍ଠିତ ହୋଇଥାଏ। ରତ୍ନସିଂହାସନରେ ବିରାଜିତ ଶ୍ରୀବିଗ୍ରହମାନଙ୍କୁ ମଧ୍ୟ ଏହି ଅବସରରେ ଚନ୍ଦନଲାଗି କରାଯାଇଥାଏ। ‘ସ୍କନ୍ଦପୁରାଣ’ ଅନୁସାରେ- ଦକ୍ଷ ପ୍ରଜାପତି ଶ୍ରୀଜଗନ୍ନାଥଦେବଙ୍କ ସର୍ବାଙ୍ଗରେ ଚନ୍ଦନଲାଗି କରିବା ସହିତ ତାଙ୍କୁ ସ୍ତୁତି କରିଥିଲେ। ସେଥିରେ ପ୍ରସନ୍ନ ହୋଇ ଶ୍ରୀଜଗନ୍ନାଥ ତାଙ୍କୁ କହିଥିଲେ- ହେ ଦକ୍ଷ! ଚନ୍ଦନ ବିଲେପନ ଯେପରି ସନ୍ତାପହାରକ, ମୋର ଏହି ଚନ୍ଦନଯାତ୍ରା ଉତ୍ସବ ମଧ୍ୟ ସେହିପରି ତ୍ରିତାପ ବିନାଶକ।
ସୌଜନ୍ୟ ସମ୍ବାଦ

