College Election : ନିର୍ବାଚନୀ ହିଂସା ରୋକିବାକୁ ପୁଲିସର ବ୍ଲୁ-ପ୍ରିଣ୍ଟ, ସବୁ କ୍ୟାମ୍ପସରେ କଡ଼ା ପାଟ୍ରୋଲିଂ ଓ ଫ୍ଲାଗ୍ମାର୍ଚ୍ଚ
ଭୁବନେଶ୍ୱର, ୭/୧୦ : ନିର୍ବାଚନ ପାଇଁ ସରଗରମ ହେଲାଣି ଶିକ୍ଷାନୁଷ୍ଠାନ କ୍ୟାମ୍ପସ । ଛାତ୍ରଗୋଷ୍ଠୀ ଭିତରେ ଛକାପଞ୍ଝା ଆରମ୍ଭ ହେଲାଣି । ଗତକାଲି ମହର୍ଷି କଲେଜରେ ମୁହାଁମୁହିଁ ହୋଇଛନ୍ତି ଗୋଟିଏ ରାଜନୈତିକ ଦଳର ୨ ଛାତ୍ରଗୋଷ୍ଠୀ । ଆଜି ଉତ୍କଳ ବିଶ୍ୱବିଦ୍ୟାଳୟରେ ୨ଟି ଛାତ୍ର ଗୋଷ୍ଠୀ ଆନ୍ଦୋଳନ ପାଇଁ ସଜବାଜ ହେଲେଣି । ଏପରିସ୍ଥଳେ ନିର୍ବାଚନୀ ହିଂସାକୁ ଏଡ଼ାଇ ଦିଆଯାଇ ନପାରେ । ଡିଜିପି ବିନୟତୋଷ ମିଶ୍ରଙ୍କ ନିର୍ଦ୍ଦେଶକ୍ରମେ କମିଶନରେଟ୍ ପୁଲିସ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତରେ ଲାଗିପଡ଼ିଛି । ନିଷ୍ପତ୍ତି ନେଇଛି, ପ୍ରତି ଶିକ୍ଷାନୁଷ୍ଠାନ ପାଇଁ ନିକଟସ୍ଥ ଥାନାରେ ସ୍ୱତନ୍ତ୍ର ଭାବେ ପୁଲିସ ଫୋର୍ସ ରଖାଯିବ । କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତି ଘଟିଲେ, ଏହି ଫୋର୍ସ ଯଥାଶୀଘ୍ର କ୍ୟାମ୍ପସକୁ ମାଡି଼ ଯାଇ ଅଘଟଣକୁ ଏଡ଼ାଇବ । ଆଗକୁ ଦିନରାତି ଘନଘନ ପାଟ୍ରୋଲିଂ କରାଯିବ । ଦରକାର ପଡି଼ଲେ, ବନ୍ଧୁକଧାରୀ ପୁଲିସ ଫୋର୍ସ ଜରିଆରେ କ୍ୟାମ୍ପସରେ ଫ୍ଲାଗମାର୍ଚ୍ଚ କରାଯିବ ।
ନିର୍ବାଚନୀ ହିଂସାକୁ ଦୃଷ୍ଟିରେ ରଖି ଗତକାଲିଠୁ କିଛି କଲେଜ କ୍ୟାମ୍ପସରେ ପାଟ୍ରୋଲିଂ ଆରମ୍ଭ ହୋଇଛି । ଉତ୍କଳ ବିଶ୍ୱବିଦ୍ୟାଳୟର କୁଳପତିଙ୍କ କାର୍ଯ୍ୟାଳୟ ସାମ୍ନାରେ ସନ୍ଧ୍ୟାରୁ ଏକ ସେକ୍ସନ ପୁଲିସ ଫୋର୍ସ ଜଗି ରହିଛନ୍ତି । ଆଉ ଏକ ପ୍ଲାଟୁନ୍ ପୁଲିସ ଫୋର୍ସ ସହିଦ୍ନଗର ଥାନାରେ ସଜାର ଅଛନ୍ତି । ସନ୍ଧ୍ୟାରୁ ୨ଟି ପିସିଆର ଭ୍ୟାନ୍ କ୍ୟାମ୍ପସ ଭିତରେ ପଇଁତରା ମାରୁଛି । ବିଶେଷକରି, ବିଭିନ୍ନ ହଷ୍ଟେଲ, କ୍ୟାଣ୍ଟିନ୍ ସହ କିଛି ଖଟି ସ୍ଥଳ ଉପରେ ପୁଲିସର ତୀକ୍ଷ୍ମ ନଜର ରହିଛି । ସେହିପରି ରମାଦେବୀ ବିଶ୍ୱବିଦ୍ୟାଳୟ ଓ ମହର୍ଷି କଲେଜ ପାଇଁ ଏକ ସେକ୍ସନ ଲେଖାଏଁ ପୁଲିସ ଫୋର୍ସକୁ ସହିଦ୍ନଗର ଥାନାରେ ସଜାଗ ରଖାଯାଇଛି । ବିଜେବି କଲେଜରେ ଦୀର୍ଘ ୩-୪ ବର୍ଷ ଧରି ଏକାଧିକ ଛାତ୍ରଗୋଷ୍ଠୀ ଭିତରେ ରକ୍ତପାତ ଲାଗି ରହିଛି । ଏସବୁ ଛାତ୍ରଗୋଷ୍ଠୀଙ୍କ ଗତିବିଧି ଉପରେ ତୀକ୍ଷ୍ମ ନଜର ରଖିଛି ବଡ଼ଗଡ଼ ଥାନା ପୁଲିସ ।
ସୌଜନ୍ୟ ପ୍ରମେୟ




