ଶେରଗଡ଼ ବ୍ଲକରୁ ଅମଳ କପା ଉନ୍ନତମାନର ହୋଇଥିବାରୁ ଜିଲ୍ଲା ବାହାର ବହୁ ବ୍ୟବସାୟୀ ଏଠାରୁ କପା ସଂଗ୍ରହ କରିଥା’ନ୍ତି। ଅରଖପଦା, ଗର୍ବଗଣ୍ଡା, ବାଦଗଡ଼, ଖିରିଡ଼ା, ହାଡ଼ିଚିରା, ପଦ୍ମପୁର, ଚିକିଲି, ଢିଙ୍କିଶାଳ, ସୁନାନ୍ତର, ଅଶୋକପୁର, କେ.ନୂଆଗଡ଼, ଲାଞ୍ଜିଆପଲ୍ଲୀ ଓ ନରେନ୍ଦ୍ରପୁର ଅଞ୍ଚଳରେ ବହୁଳ ମାତ୍ରାରେ କପାଚାଷ ହେଉଥିଲା। ମୁଖ୍ୟତଃ ସେପ୍ଟେମ୍ବରରୁ ଡିସେମ୍ବର ପର୍ଯ୍ୟନ୍ତ କପା ଅମଳ ହୋଇଥାଏ। କିନ୍ତୁ ଗତ କିଛିବର୍ଷ ହେଲା ଲଗାତାର ଭାବେ ଅମଳ ସମୟରେ ଲଘୁଚାପଜନିତ ବର୍ଷା ଯୋଗୁଁ ଚାଷୀ କ୍ଷତିଗ୍ରସ୍ତ ହେଉଛି। ସେହିପରି କପାର ସହାୟକ ମୂଲ୍ୟ ମଣ୍ଡିରେ କମିବାରେ ଲାଗିଛି। ଉନ୍ନତ ମାନର କପାର କିଲୋ ପିଛା ଦର ୮୨.୧୦ ଟଙ୍କା ଏବଂ ସାଧାରଣ କପାର କିଲୋ ପିଛା ଦର ରହିଛି ୭୭.୧୦ ଟଙ୍କା।
ଦିଗପହଣ୍ଡିରେ ଥିବା ମଣ୍ଡିକୁ ଚାଷୀ ନିଜେ କପା ଧରି ଯିବାକୁ ଯେତିକି ଖର୍ଚ୍ଚ ହେଉଛି ସେହି ପରିମାଣରେ ସରକାର ଦର ବୃଦ୍ଧି ନ କରିବା ଫଳରେ ସେମାନେ କ୍ଷତି ସହୁଛନ୍ତି। ପୂର୍ବରୁ ସରକାରୀ ଦର ୬୬ ଟଙ୍କା ଥିବା ବେଳେ ଜିଲ୍ଲା ବାହାରୁ ବ୍ୟବସାୟୀମାନେ ଆସି ୯୦ରୁ ୧୦୦ ଟଙ୍କାରେ ଗାଁରୁ କିଣିନେଉଥିଲେ। ହେଲେ କରୋନା ପରଠାରୁ ଆଉ ସେମାନେ ଆସୁନାହାନ୍ତି। ପାଞ୍ଚ ବର୍ଷ ପୂର୍ବେ ୯୦ରୁ ୯୫ ଟଙ୍କା ଦର ଥିବାବେଳେ ବର୍ତ୍ତମାନ ସରକାରୀ ଦର ରହିଛି ୮୨.୧୦ ଟଙ୍କା ଓ ୭୭.୧୦ ଟଙ୍କା। ସରକାର ଏହା ଉପରେ ଦୃଷ୍ଟି ନଦେଲେ ଆଗାମୀ ଦିନରେ କପାଚାଷ ଶୂନ୍ୟ ହୋଇଯିବ ବୋଲି ଚାଷୀ ପ୍ରକାଶ କରିଛନ୍ତି। ନରେନ୍ଦ୍ରପୁର ଗ୍ରାମର ଚାଷୀ ଗାଣ୍ଡୁ ପ୍ରଧାନ, ଯୋଗୀ ସ୍ୱାଇଁ, ଧୋବା ସ୍ୱାଇଁ, କୋରା ପୋଲାଇ ଓ ପ୍ରଭାକର ସାହୁ କହୁଛନ୍ତି, ବର୍ତ୍ତମାନ ବିକ୍ରିବଟାରେ ବଡ଼ ସମସ୍ୟା ଦେଖାଦେଉଛି। ଦିଗପହଣ୍ଡି ଯାଇ କପା ଦେବା କଷ୍ଟସାଧ୍ୟ ହେଉଛି। କପା ବି ଉନ୍ନତମାନର ହେବା ଦରକାର ବୋଲି ମଣ୍ଡି ପକ୍ଷରୁ କୁହାଯାଇଛି।
ସରକାର ଧାନଚାଷ ଭଳି କପାଚାଷ ପାଇଁ ସ୍ୱତନ୍ତ୍ର ଯୋଜନା ଆଣିବା ସହ ଅଧିକ ପ୍ରୋତ୍ସାହନ ପ୍ରଦାନ ଦିଗରେ ପଦକ୍ଷେପ ନେବା ଦରକାର। ଫଳରେ ଚାଷୀ ଏଥିପ୍ରତି ଆଗ୍ରହ ଦେଖାଇବେ ବୋଲି ମତପ୍ରକାଶ ପାଇଛି। ସେହିପରି ପାକିଡ଼ି ପାହାଡ଼ ନିକଟରେ କପାଚାଷ ହେଉଥିବା ବେଳେ ଏଠାରେ ମଣ୍ଡି ସୁବିଧା ନ ଥିବାରୁ ଚାଷୀମାନେ ନିୟମିତ ଅଭାବୀ ବିକ୍ରିର ସମ୍ମୁଖୀନ ହେଉଛନ୍ତି। ଏହି କାରଣରୁ ବି ଚାଷୀ କପାଚାଷରୁ ମୁହଁ ଫେରାଉଥିବା ଜଣାପଡ଼ିଛି।