ରାଜ୍ୟ

Income tax Deptt ଭୁବନେଶ୍ବର ଆଇଟି ଗୁଇନ୍ଦା ବିଭାଗ ନିର୍ଦ୍ଦେଶକ ହେଲେ ଆଶିଷ ଚନ୍ଦ୍ର ମହାନ୍ତି

ଭୁବନେଶ୍ୱର: ବରିଷ୍ଠ ଭାରତୀୟ ରାଜସ୍ୱ ସେବା ଅଧିକାରୀ ଆଶିଷ ଚନ୍ଦ୍ର ମହାନ୍ତି ଆୟକର ବିଭାଗର ଭୁବନେଶ୍ୱରସ୍ଥିତ କାର୍ଯ୍ୟାଳୟର ଗୁଇନ୍ଦା ଓ ଅପରାଧିକ ଅନୁସନ୍ଧାନ ବିଭାଗର ନୂତନ ନିର୍ଦ୍ଦେଶକ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଏହା ପୂର୍ବରୁ ସେ କଟକରେ ଆୟକର କମିସନର (ଅପିଲ, ୟୁନିଟ୍ ୧) ଭାବେ କାର୍ଯ୍ୟ କରୁଥିଲେ।

ଶ୍ରୀମହାନ୍ତି, ୨୦୦୫ ବ୍ୟାଚ୍‌ର ଭାରତୀୟ ରାଜସ୍ୱ ସେବା (ଆଇଆର୍‌ଏସ୍‌) ଅଧିକାରୀ। ଆୟକର ବିଭାଗରେ ତାଙ୍କର  ଦୁଇ ଦଶନ୍ଧିରୁ ଅଧିକ ବର୍ଷର  ଅଭିଜ୍ଞତା ରହିଛି।  ଏହି ନୂତନ ନିଯୁକ୍ତି ପୂର୍ବରୁ ସେ କେନ୍ଦ୍ରୀୟ ପ୍ରତ୍ୟକ୍ଷ କର ବୋର୍ଡ (ସିବିଡିଟି)ର ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ‘ଟିକସ ନୀତି ଡିଭିଜନ’ ଓ ନୂଆଦିଲ୍ଲୀର ‘ଅନୁସନ୍ଧାନ ନିର୍ଦ୍ଦେଶାଳୟ’ ଭଳି ପ୍ରମୁଖ ବିଭାଗରେ ଉଚ୍ଚ ପଦବିରେ କାର୍ଯ୍ୟ କରି ନିଜର ଦକ୍ଷତା ପ୍ରତିପାଦିତ କରିସାରିଛନ୍ତି।

ବର୍ତ୍ତମାନ ସମୟରେ ଟିକସ ଚୋରି ଓ କର ଫାଙ୍କି ରୋକିବା ପାଇଁ ସିବିଡିଟି ପକ୍ଷରୁ ସାରା ଦେଶରେ ବ୍ୟାପକ ଜନସମ୍ପର୍କ ଓ ସଚେତନତା କାର୍ଯ୍ୟକ୍ରମ ଚାଲୁରହିଛି। ଏହି ଅଭିଯାନ ମାଧ୍ୟମରେ ବିଭିନ୍ନ ଆର୍ଥିକ ରିପୋର୍ଟିଂ ଏଜେନ୍ସିଗୁଡ଼ିକ ସହ ସିଧାସଳଖ ଯୋଗାଯୋଗ ସ୍ଥାପନ କରାଯାଉଛି। ଫଳରେ କର ଫାଙ୍କୁଥିବା ବ୍ୟକ୍ତିବିଶେଷଙ୍କ ବିରୋଧରେ ଗୁରୁତ୍ୱପୂର୍ଣ୍ଣ ସୂଚନା ଓ ଗୋପନୀୟ ତଥ୍ୟ ଶୀଘ୍ର ହସ୍ତଗତ ହୋଇପାରିବ। ଶ୍ରୀ ମହାନ୍ତିଙ୍କ  ସୁଦୀର୍ଘ ଅଭିଜ୍ଞତା ଦ୍ୱାରା ଓଡ଼ିଶା ରାଜ୍ୟ ଟିକସ ପ୍ରଶାସନ ଅଧିକ କ୍ରିୟଶୀଳ ହେବା ସହିତ ଓ ଅର୍ଥନୈତିକ ଅପରାଧ ରୋକିବା ଦିଗରେ ଗୁରତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିବ ବୋଲି କୁହାଯାଉଛି।

 

 

 

ସୌଜନ୍ୟ ସମ୍ବାଦ

Show More
Back to top button