ଦେଶ ବିଦେଶ

Smartphones Banned For Women : ରାଜସ୍ଥାନର ଜାଲୋରରେ ଝିଅ-ବୋହୂଙ୍କୁ କ୍ୟାମେରା ଫୋନ ମନା

ଝିଅ-ବୋହୂଙ୍କୁ କ୍ୟାମେରା ଫୋନ ମନା। ରାଜସ୍ଥାନର ଜାଲୋର ଜିଲ୍ଲାରେ ଏକ ପଞ୍ଚାୟତ ନେଇଥିବା ଏହି ନିଷ୍ପତ୍ତି ଏବେ ବିବାଦରେ। ଏହି ନିୟମ ଜାନୁଆରି ୨୬ ତାରିଖରୁ ଲାଗୁ ହେବ।

ଜାଲୋର: ଝିଅ-ବୋହୂଙ୍କୁ କ୍ୟାମେରା ଫୋନ ମନା। ରାଜସ୍ଥାନର ଜାଲୋର ଜିଲ୍ଲାରେ ଏକ ପଞ୍ଚାୟତ ନେଇଥିବା ଏହି ନିଷ୍ପତ୍ତି ଏବେ ବିବାଦରେ। ଚୌଧୁରୀ ସମାଜର ସୁନ୍ଧମାତା ପଟ୍ଟିର ପଞ୍ଚାୟତ ୧୫ଟି ଗାଁର ବୋହୂ ଏବଂ ଝିଅମାନଙ୍କ ପାଇଁ କ୍ୟାମେରା ଥିବା ସ୍ମାର୍ଟଫୋନ୍ ବ୍ୟବହାର ନିଷେଧ କରିବାକୁ ନିଷ୍ପତ୍ତି ନେଇଛି। ଏହି ନିୟମ ଜାନୁଆରି ୨୬ ତାରିଖରୁ ଲାଗୁ ହେବ।

ସ୍ମାର୍ଟଫୋନ୍ ବଦଳରେ କିପ୍ୟାଡ୍ ଫୋନ୍ ବ୍ୟବହାର କରିବେ

ପଞ୍ଚାୟତର ନିଷ୍ପତ୍ତି ଅନୁଯାୟୀ, ମହିଳାମାନେ ଏବେ ସ୍ମାର୍ଟଫୋନ୍ ବଦଳରେ କେବଳ କିପ୍ୟାଡ୍ ଫୋନ୍ ବ୍ୟବହାର କରିପାରିବେ। ବିବାହ, ସାମାଜିକ କାର୍ଯ୍ୟକ୍ରମ ଏବଂ ପଡ଼ୋଶୀଙ୍କ ଘରକୁ ଯିବା ସମୟରେ ସେମାନଙ୍କୁ ମୋବାଇଲ୍ ଫୋନ୍ ନେବାକୁ ମଧ୍ୟ ବାରଣ କରାଯିବ। ଏହି ନିଷ୍ପତ୍ତି ନିଆଯିବା ସମୟର ଏକ ଭିଡିଓ ଭାଇରାଲ ହେବା ପରେ ଏହାକୁ ନେଇ ବିବାଦ ଆରମ୍ଭ ହୋଇଛି।

କେଉଁଠାରେ ଏବଂ କେଉଁ ପଞ୍ଚାୟତ ଏହି ନିଷ୍ପତ୍ତି ନେଇଛି?

ରବିବାର ଦିନ ଗାଜିପୁର ଗ୍ରାମରେ ଅନୁଷ୍ଠିତ ଏକ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଏହି ବୈଠକର ଅଧ୍ୟକ୍ଷତା କରିଥିଲେ ୧୪ପଟ୍ଟିର ସଭାପତି ସୁଜନାରାମ ଚୌଧୁରୀ । ସୁଜନାରାମ କହିଛନ୍ତି ଯେ, ପଞ୍ଚ ହିମ୍ମତାରାମ ପ୍ରସ୍ତାବ ପାଠ କରିଥିଲେ। ଏହି ପ୍ରସ୍ତାବ ଦେବରାମ କର୍ଣ୍ଣୋଲ ପକ୍ଷରୁ ଦିଆଯାଇଥିଲା। ଆଲୋଚନା ପରେ, ସମସ୍ତ ପଞ୍ଚ ଏଥିରେ ସହମତ ହୋଇଥିଲେ। ଏହି ପଞ୍ଚାୟତ ନିଷ୍ପତ୍ତି ଜାଲୋର ଜିଲ୍ଲାର ଗାଜିପୁରା, ପାୱଲି, କାଲଡା, ମନୋଜିଆବାସ, ରାଜିକାୱାସ, ଦାତଲାୱାସ, ରାଜପୁରା, କୋଡି, ସିଦ୍ରୋଡି, ଆଲଡି, ରୋପସି, ଖାନଦେୱଲ, ସାବିଧର, ଭିନମାଲ ଏବଂ ଖାନପୁର ଗ୍ରାମ ଉପରେ ଲାଗୁ ହେବ।

ନିଷ୍ପତ୍ତି ନିଆଯିବା ପଛର କାରଣ

ସୁଜନାରାମ ଚୌଧୁରୀ କହିଛନ୍ତି ଯେ, ଆବଶ୍ୟକ ହେଲେ ସ୍କୁଲ ଯାଉଥିବା ଝିଅମାନେ ଘର ଭିତରେ ମୋବାଇଲ୍ ଫୋନ୍ ବ୍ୟବହାର କରିପାରିବେ। କିନ୍ତୁ ସେମାନଙ୍କୁ କୌଣସି ସାର୍ବଜନୀନ କିମ୍ବା ସାମାଜିକ କାର୍ଯ୍ୟକ୍ରମରେ ବାହାରକୁ ନେଇ ଯିବାକୁ ଅନୁମତି ଦିଆଯିବ ନାହିଁ। କାହିଁକି ପଞ୍ଚାୟତକୁ ଏହି ନିଷ୍ପତ୍ତି ନେବାକୁ ପଡିଲା, ତାହା ମଧ୍ୟ ଜଣାଇଛନ୍ତି ସୁଜନାରାମ। ସେ କହିଛନ୍ତି ଯେ, ମହିଳାଙ୍କ ପାଖରେ ମୋବାଇଲ୍ ଫୋନ୍ ରହିଲେ ପିଲାମାନେ ସେଗୁଡ଼ିକୁ ଅଧିକ ବ୍ୟବହାର କରୁଛନ୍ତି। ଏହା ସେମାନଙ୍କ ଆଖି ଉପରେ ନକାରାତ୍ମକ ପ୍ରଭାବ ପକାଉଛି। ତେଣୁ, ମୋବାଇଲ୍ ବ୍ୟବହାରକୁ ନିୟନ୍ତ୍ରଣ କରିବା ଆବଶ୍ୟକ ବୋଲି ବିବେଚନା କରାଯାଇ ଏହି ନିଷ୍ପତ୍ତି ନିଆଯାଇଛି। ହେଲେ ଏହି ନିଷ୍ପତ୍ତିର ଭିଡିଓ ଭାଇରାଲ ହେବା ପରେ ଏବେ ଏହାକୁ ବିରୋଧ କରୁଛନ୍ତି ଲୋକେ।

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button