Elderly Pension Delays ବାର୍ଦ୍ଧକ୍ୟ ଭତ୍ତା ପ୍ରଦାନରେ ବିଳମ୍ବ, ବ୍ଲକ୍ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଲେ ନୟାନ୍ତ ହିତାଧିକାରୀ
ନୟାଗଡ଼ ଜିଲ୍ଲା ଦଶପଲ୍ଲାରେ ୩ ମାସ ଧରି ଭତ୍ତା ନମିଳିବାରୁ ହିତାଧିକାରୀ ବ୍ଲକ୍ କାର୍ଯ୍ୟାଳୟ ଆଗରେ ଧାରଣା ଦେଇଥିଲେ। ସଫ୍ଟୱେୟାର ଅପ୍ଡେଟ୍ ଯୋଗୁଁ ବିଳମ୍ବ ହେଉଥିବା କହିଛନ୍ତି ବିଡିଓ।

ଦଶପଲ୍ଲା(ପ୍ରଫୁଲ୍ଲ ପଣ୍ଡା): ‘ଛଅ ଟଙ୍କାର ଦାନାକୁ ନଅ ଟଙ୍କାର ଘୋଡ଼ା’ ନ୍ୟାୟରେ ଭତ୍ତାଧାରୀଙ୍କ ଜୀବନ ହୋଇଛି। ହଜାରେ ଟଙ୍କା ଭତ୍ତା ପାଇଁ ବ୍ୟାଙ୍କକୁ ଏକାଧିକ ଥର ଅଟୋ ଭଡ଼ାକରି ଯିବା ପାଇଁ ଭତ୍ତା ଅର୍ଥର ଅଧାଅଧି ଖର୍ଚ୍ଚ ହୋଇଯାଉଛି। ଏଭଳି ଅବ୍ୟବସ୍ଥାର ପ୍ରତିବାଦରେ ଆଜି ବାର୍ଦ୍ଧକ୍ୟଭତ୍ତାଧାରୀମାନେ ବ୍ଲକ୍ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି।
ଭତ୍ତାଧାରୀଙ୍କ ଅଭିଯୋଗ ଅନୁସାରେ, ପୂର୍ବରୁ ପ୍ରତି ମାସର ୧୫ ତାରିଖ ଦିନ ସିଧାସଳଖ ହାତକୁ ଭତ୍ତାଟଙ୍କା ଆସୁଥିଲା। ହେଲେ ବ୍ୟାଙ୍କ ବ୍ୟବସ୍ଥା ହେବା ଦିନଠାରୁ କୌଣସି ମାସରେ ଠିକ୍ ଭାବେ ଭତ୍ତା ମିଳୁନି। ଚାହୁଁଚାହୁଁ ଏବେ ୩ ମାସ ବିତି ଗଲାଣି। ଯାହାକୁ ପଚାରିଲେ ଠିକ୍ ଉତ୍ତର ମିଳୁନି। ଏଭଳି ସ୍ଥିତିରେ ଥରକୁ ୨ଶହ ଟଙ୍କା ଅଟୋଭଡ଼ା କରି ବ୍ୟାଙ୍କକୁ ଆସି ପୁଣି ନିରାଶ ହେବାକୁ ପଡୁଛି। ଆଜିକାଲି ଚାହିଁଚାହିଁ ୩ ମାସ ଭିତରେ ୫ରୁ ୭ଥର ବ୍ୟାଙ୍କକୁ ଧାଇଁଲୁଣି। ଏବେ ଆଉ କୌଣସି ଉପାୟ ନାହିଁ। ହାତରେ ଟଙ୍କା ମଧ୍ୟ ନାହିଁ। ଭତ୍ତା ମିଳିବା ଯାଏଁ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଶୋଇ ରହିବୁ ବୋଲି ହିତାଧିକାରୀମାନେ ଅଡ଼ି ବସିଥିଲେ।
ଧାରଣା ଦେଇଥିବା ହିତାଧିକାରୀମାନେ ହେଲେ, ଡିହଗାଁ ପଞ୍ଚାୟତ ଗଉଡ଼ ପଙ୍କାଳସାହି ଗ୍ରାମର ସମ୍ବାରି ବେହେରା, ରାଜନ ବେହେରା, ବୁଲି ବେହେରା, ଭାସ ପରିଡ଼ା, ଡିହଗାଁ ଗ୍ରାମର ଶ୍ୟାମ ସୁନ୍ଦର ରଣା, ବାମଦେବ ରଣା, ଶିଶୁଳା ରଣା, ଖମାରସାହି ପଞ୍ଚାୟତ କଉଡ଼ା ଗ୍ରାମର ଭାମା ପ୍ରଧାନ।
ସୌଜନ୍ୟ ସମ୍ବାଦ




