Floods expose corruption: ବନ୍ୟା ଧରାପକାଇଦେଲା ଦୁର୍ନୀତି, ବନ୍ଧକୁ ପାଣି ଛୁଇଁଲେ ଘାଇ: ୭୦୩ କୋଟି ଖର୍ଚ୍ଚ, ତଥାପି ଦୁର୍ବଳ
ପୂର୍ତ୍ତ, ଗ୍ରାମ୍ୟ ଉନ୍ନୟନ (ଆରଡି) ପରେ ଏବେ ଯାଜପୁର ଜିଲ୍ଲାରେ ଜଳସେଚନ ବିଭାଗର ଦୁର୍ନୀତି ଦେଖିଲେ ଆଖି ଟେରା ହୋଇଯିବ। ଜିଲ୍ଲାରେ ଥିବା ବିଭିନ୍ନ ନଦୀବନ୍ଧଗୁଡ଼ିକର ମରାମତି ଓ ସୁଦୃଢ଼ୀକରଣରେ ଗତ ୧୧ଟି ଆର୍ଥିକ ବର୍ଷ...

ଯାଜପୁର: ପୂର୍ତ୍ତ, ଗ୍ରାମ୍ୟ ଉନ୍ନୟନ (ଆରଡି) ପରେ ଏବେ ଯାଜପୁର ଜିଲ୍ଲାରେ ଜଳସେଚନ ବିଭାଗର ଦୁର୍ନୀତି ଦେଖିଲେ ଆଖି ଟେରା ହୋଇଯିବ। ଜିଲ୍ଲାରେ ଥିବା ବିଭିନ୍ନ ନଦୀବନ୍ଧଗୁଡ଼ିକର ମରାମତି ଓ ସୁଦୃଢ଼ୀକରଣରେ ଗତ ୧୧ଟି ଆର୍ଥିକ ବର୍ଷ, ୨୦୧୩-୧୪ରୁ ୨୦୨୩-୨୪ ମଧ୍ୟରେ ୭୦,୩୯୩.୯୫ ଲକ୍ଷ ଟଙ୍କା ଅର୍ଥାତ ୭୦୩ କୋଟି ୯୪ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି। ଜିଲ୍ଲାର ଯାଜପୁର, ଜାରକା ଓ କେନ୍ଦ୍ରାପଡ଼ା (ପାର୍ଟ)ରେ ଏହି ଅର୍ଥ ଖର୍ଚ୍ଚ କରାଯାଇଛି। ତେବେ ବିପୁଳ ପରିମାଣର ଅର୍ଥ ବିନିଯୋଗ ପରେ ବି ଜିଲ୍ଲାର ନଦୀବନ୍ଧଗୁଡ଼ିକ ସେମିତି ଦୁର୍ବଳ ଅବସ୍ଥାରେ ରହିଛି। ସାମାନ୍ୟ ବନ୍ୟା ଆସିଲେ ବାରମ୍ବାର ଘାଇ ସୃଷ୍ଟି ହେଉଛି। ତଥ୍ୟ ଅନୁଯାୟୀ, ଜିଲ୍ଲାର ବ୍ରାହ୍ମଣୀ, ଖରସ୍ରୋତା, କେଲୁଅ, ତନ୍ତିଘାଇ, କୁଶେଇ, ଗଣ୍ଡା, ଦୁଧେଇ, ବିରୂପା, ବୈତରଣୀ, ବୁଢ଼ା, ପାଟିଆ ଆଦି ବିଭିନ୍ନ ନଦୀବନ୍ଧରେ ୨୦୧୩-୧୪ରେ ୩୪୦୫.୬୫ ଲକ୍ଷ, ୨୦୧୪-୧୫ରେ ୩୨୧୨.୬୦ ଲକ୍ଷ, ୨୦୧୫-୧୬ରେ ୧୭୧୫୯.୧୭ ଲକ୍ଷ, ୨୦୧୬-୧୭ରେ ୫୧୬୭ ଲକ୍ଷ ଓ ୨୦୧୭-୧୮ରେ ୧୭୨୦.୨୬ ଲକ୍ଷ ଟଙ୍କା ବ୍ୟୟ କରାଯାଇଛି। ସେହିପରି ୨୦୧୮-୧୯ରେ ୫୦୦୭.୩୪ ଲକ୍ଷ, ୨୦୧୯-୨୦ରେ ୧୪୨.୭୬ ଲକ୍ଷ, ୨୦୨୦-୨୧ରେ ୯୯୩୭.୨୯ ଲକ୍ଷ, ୨୦୨୧-୨୨ରେ ୧୧୫୮. ୬୭ ଲକ୍ଷ, ୨୦୨୨-୨୩ରେ ୭୭୨୭.୭୨ ଲକ୍ଷ ଓ ୨୦୨୩-୨୪ରେ ୧୫୭୫୫.୪୯ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି। ଗତ ୧୧ ବର୍ଷରେ ବନ୍ୟା ଦାଉରୁ ରକ୍ଷା ପାଇଁ ନଦୀବନ୍ଧ ମରାମତି ଓ ସୁଦୃଢ଼ୀକରଣ ନାମରେ ମୋଟ ୭୦୩୯୩.୯୫ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଛି।
ସୌଜନ୍ୟ ସମ୍ବାଦ




