HCL Tech: ଖୋରଧାରେ ଖୋଲିବ ଏଚ୍ସିଏଲ୍ ଟେକ୍: ୪୫୭୩ କୋଟିର ୨୩ ପ୍ରକଳ୍ପ ମଞ୍ଜୁର କଲେ ସରକାର
ଦେଶର ଅଗ୍ରଣୀ ସୂଚନା ପ୍ରଯୁକ୍ତି (ଆଇଟି) କମ୍ପାନି ଏଚ୍ସିଏଲ୍ ଟେକ୍ନୋଲୋଜିସ୍ ଲିମିଟେଡ୍ ଖୋରଧାରେ ୭୩୦ କୋଟି ଟଙ୍କା ନିବେଶରେ ଏକ ଗ୍ଲୋବାଲ୍ ଡେଭଲପ୍ମେଣ୍ଟ୍ ସେଣ୍ଟର ସ୍ଥାପନ କରିବ।

ଭୁବନେଶ୍ବର: ଦେଶର ଅଗ୍ରଣୀ ସୂଚନା ପ୍ରଯୁକ୍ତି (ଆଇଟି) କମ୍ପାନି ଏଚ୍ସିଏଲ୍ ଟେକ୍ନୋଲୋଜିସ୍ ଲିମିଟେଡ୍ ଖୋରଧାରେ ୭୩୦ କୋଟି ଟଙ୍କା ନିବେଶରେ ଏକ ଗ୍ଲୋବାଲ୍ ଡେଭଲପ୍ମେଣ୍ଟ୍ ସେଣ୍ଟର ସ୍ଥାପନ କରିବ। ଗତବର୍ଷ ଏପ୍ରିଲରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନୋଏଡ଼ାରେ କମ୍ପାନି କାର୍ଯ୍ୟାଳୟ ପରିଦର୍ଶନ କରି ଓଡ଼ିଶାରେ ଏକ କ୍ୟାମ୍ପସ୍ ସ୍ଥାପନ କରିବାକୁ ଏଚ୍ସିଏଲ୍କୁ କହିଥିଲେ। ଆଜି ୧୪୮ତମ ରାଜ୍ୟସ୍ତରୀୟ ସିଙ୍ଗଲ୍ ୱିଣ୍ଡୋ କମିଟି ବୈଠକରେ ଏଚ୍ସିଏଲ୍ର ପ୍ରକଳ୍ପ ସମେତ ୪୫୭୩.୮୭ କୋଟି ଟଙ୍କା ନିବେଶରେ କାର୍ଯ୍ୟକାରୀ ହେବାକୁ ଥିବା ୨୩ଟି ପ୍ରକଳ୍ପକୁ ଅନୁମୋଦନ କରାଯାଇଛି। ପ୍ରକଳ୍ପଗୁଡ଼ିକ ପ୍ରତିଷ୍ଠା ହେଲେ ରାଜ୍ୟରେ ୨୨,୮୭୩ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ବୈଠକରେ ମଞ୍ଜୁର ହୋଇଥିବା ପ୍ରକଳ୍ପଗୁଡ଼ିକ ଅନୁଗୋଳ, ବଲାଙ୍ଗୀର, କଟକ, ଗଞ୍ଜାମ, ଯାଜପୁର, କେନ୍ଦୁଝର, ଖୋରଧା, ମୟୂରଭଞ୍ଜ, ନୂଆପଡ଼ା, ପୁରୀ ଓ ସୁନ୍ଦରଗଡ଼ ଜିଲ୍ଲାରେ କାର୍ଯ୍ୟକାରୀ ହେବ। ଗ୍ରୋଇଂ ଟ୍ରି ଅଏଲ୍ ଆଣ୍ଡ୍ ରିଫାଇନାରି ୨୫୦ କୋଟି ଟଙ୍କା ନିବେଶ କରି ନୂଆପଡ଼ାରେ ଏକ ଖାଇବା ତେଲ କାରଖାନା ଓ କଟକରେ ଏକ ଡେରି ପ୍ରକଳ୍ପ କରିବ। ପୋଷାକ ଉତ୍ପାଦନ କ୍ଷେତ୍ରରେ ରିଚା ଗ୍ଲୋବାଲ୍ ଏକ୍ସପୋର୍ଟସ୍ ୮୪.୪୫ କୋଟି ଟଙ୍କା, ଆସ୍ଥା କଟ୍ସ୍ପିନ୍ ୧୨୪.୫୦ କୋଟି ଟଙ୍କା, ଏସ୍ପିଏଲ୍ ଇଣ୍ଡଷ୍ଟ୍ରିଜ୍ ୫୦ କୋଟି ଟଙ୍କା ଓ ଏସ୍ଏପିଏଲ୍ ଇଣ୍ଡଷ୍ଟ୍ରିଜ୍ ୨୫୪ କୋଟି ଟଙ୍କା ନିବେଶ କରିବେ। ସେଥିରୁ ତିନିଟି ପ୍ରକଳ୍ପ ପୁରୀରେ ଓ ଗୋଟିଏ ବଲାଙ୍ଗୀରରେ ହେବ। ଏସିଏମ୍ଇ କ୍ଲିନ୍ଟେକ୍ ସଲ୍ୟୁସନ୍ସ ତରଫରୁ ୭୭୮ କୋଟି ଟଙ୍କା ନିବେଶରେ ଗଞ୍ଜାମ ଜିଲ୍ଲାରେ ଏକ ଆଲ୍କାଲାଇନ୍ ଇଲେକ୍ଟ୍ରୋଲାଇଜର୍ କାରଖାନା ମଧ୍ୟ ସ୍ଥାପନ କରାଯିବ।
ସୌଜନ୍ୟ ସମ୍ବାଦ




