ରାଜ୍ୟ

Helicopter: ହେଲିକପ୍ଟର୍‌ ବୁଲା ଓ ଆର୍ଥିକ ଅନିୟମିତତା ମାମଲା: ଜବାବ ଦାଖଲ କଲେ ନବୀନ ଓ ପାଣ୍ଡିଆନ

ବହୁଚର୍ଚ୍ଚିତ ହେଲିକପ୍ଟର୍‌ ବୁଲା ଓ ଆର୍ଥିକ ଅନିୟମିତତା ମାମଲାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ତାଙ୍କ ସହଯୋଗୀ ଭି.କେ.ପାଣ୍ଡିଆନ ନିଜ ନିଜ ଆଇନଜୀବୀଙ୍କ ମାଧ୍ୟମରେ ଖୋର୍ଦ୍ଧା ଜିଲ୍ଲା....

ଭୁବନେଶ୍ବର: ବହୁଚର୍ଚ୍ଚିତ ହେଲିକପ୍ଟର୍‌ ବୁଲା ଓ ଆର୍ଥିକ ଅନିୟମିତତା ମାମଲାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ତାଙ୍କ ସହଯୋଗୀ ଭି.କେ.ପାଣ୍ଡିଆନ ନିଜ ନିଜ ଆଇନଜୀବୀଙ୍କ ମାଧ୍ୟମରେ ଖୋର୍ଦ୍ଧାଜିଲ୍ଲା ଦୌରାଜଜ୍‌ଙ୍କ କୋର୍ଟରେ ପୃଥକ ପୃଥକ୍ ଭାବେ ଜବାବ ଦାଖଲ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଦପ୍ତରରୁ ଫାଇଲ୍‌ ହଜିବା ମାମଲାରେ ପାଣ୍ଡିଆନଙ୍କୁ କ୍ୟାପିଟାଲ ଥାନାରେ ହାଜର ହେବାକୁ ଗତକାଲି ନୋଟିସ୍‌ ଜାରି ହୋଇଥିଲା। ହେଲିକପ୍ଟର୍‌ ବୁଲା ଓ ରାଜ୍ୟ ରାଜକୋଷରୁ ପାଣ୍ଠି ଅପବ୍ୟୟ ମାମଲାରେ ଉଭୟ ନବୀନ ଓ ପାଣ୍ଡିଆନ କୋର୍ଟରେ ଜବାବ ଦାଖଲ କରିବାକୁ ନେଇ ରାଜ୍ୟ ରାଜନୀତିରେ ହଟଚମଟ ସୃଷ୍ଟି କରିଛି।

ଶ୍ରୀ ପଟ୍ଟନାୟକ ଓ ପାଣ୍ଡିଆନଙ୍କ ପକ୍ଷରୁ ମାମଲା ପରିଚାଳନା କରୁଥିବା ଆଇନଜୀବୀ ସୀତାଂଶୁ ମୋହନ ଦ୍ୱିବେଦୀ ଅଦାଲତଙ୍କୁ ଦେଇଥିବା ଜବାବରେ ଦର୍ଶାଇଛନ୍ତି, ଅଭିଯୋଗକାରୀଙ୍କ ପିଟିସନ୍‌ରେ ଶ୍ରୀ ପଟ୍ଟନାୟକଙ୍କ ବିରୋଧରେ କୌଣସି ନିର୍ଦ୍ଦିଷ୍ଟ ପ୍ରମାଣ କିମ୍ବା ତଥ୍ୟ ନାହିଁ। କେବଳ ରାଜନୈତିକ ଉଦ୍ଦେଶ୍ୟ ରଖି ଓ ତାଙ୍କର ସୁନାମ କ୍ଷୁଣ୍ଣ କରିବା ପାଇଁ ମାମଲାରେ ତାଙ୍କ ନାମ ଯୋଡ଼ାଯାଇଛି। ସେହିପରି ପାଣ୍ଡିଆନ ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ଭାରତୀୟ ପ୍ରଶାସନିକ ସେବାରେ ନିଷ୍ଠାର ସହ କାର୍ଯ୍ୟ କରିବା ପରେ ଜନସେବା ପାଇଁ ବିଜେଡିରେ ଯୋଗ ଦେଇଥିଲେ। ଅଭିଯୋଗକାରୀ ନିଜ ଆବେଦନରେ ହେଲିକପ୍ଟର୍‌ ଗସ୍ତର କୌଣସି ତାରିଖ, ସ୍ଥାନ, ଖର୍ଚ୍ଚ ବିବରଣୀ ଓ ଏଥିରେ ସଂପୃକ୍ତ ସଂସ୍ଥାର ନାଁ ଉଲ୍ଲେଖ କରିପାରିନାହାନ୍ତି। ପ୍ରତାରଣା, ଜାଲିଆତି କିମ୍ବା ବିଶ୍ୱାସଘାତକତା ଭଳି ଆଇନଗତ ଦଫାର କୌଣସି ଆଧାର ଏଠାରେ ଗ୍ରହଣଯୋଗ୍ୟ ନୁହେଁ। ତେଣୁ ଏସ୍‌ଡିଜେଏମ୍ କୋର୍ଟଙ୍କ ଆଦେଶ ସମ୍ପୂର୍ଣ୍ଣ ଆଇନସମ୍ମତ ଥିଲା ଓ ସୁପ୍ରିମକୋର୍ଟଙ୍କ ବିଭିନ୍ନ ସମୟର ରାୟ ଅନୁସାରେ ଅଭିଯୋଗର ସ୍ପଷ୍ଟତା ନଥିଲେ ପୁଲିସକୁ ତଦନ୍ତ ନିର୍ଦ୍ଦେଶ ଦିଆଯାଇପାରିବ ନାହିଁ। ତେଣୁ ସୁଧୀର ଚରଣ ମହାନ୍ତିଙ୍କ ଦ୍ୱାରା ଦାଖଲ ରିଭିଜନ୍ ପିଟିସନ୍‌କୁ ସମ୍ପୂର୍ଣ୍ଣ ଭିତ୍ତିହୀନ, ଅସ୍ପଷ୍ଟ, ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ଓ ଆଇନର ଅପବ୍ୟବହାର ବୋଲି ଦର୍ଶାଇ ଏହାକୁ ଖାରଜ କରିବା ପାଇଁ ଶ୍ରୀ ଦ୍ୱିବେଦୀ କୋର୍ଟଙ୍କୁ ନିବେଦନ କରିଛନ୍ତି। ନବୀନ ଓ ପାଣ୍ଡିଆନଙ୍କ ପକ୍ଷରୁ ଜବାବ ଦାଖଲ ପରେ ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ୩୧ ତାରିଖକୁ ଧାର୍ଯ୍ୟ ହୋଇଥିବା ଜଣାପଡ଼ିଛି।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button