‘Kapas Kranti’ Mission ପିଏମ୍-ଆରକେଭିଓ୍ୱାଇର ସମୀକ୍ଷା: ରାଜ୍ୟରେ କପା ବୃଦ୍ଧି ପାଇଁ ହେବ ‘କପାସ କ୍ରାନ୍ତି’
ପିଏମ୍-ଆରକେଭିଓ୍ୱାଇ ଯୋଜନା ଅଧୀନରେ ଓଡ଼ିଶା ସରକାର ରାଜ୍ୟର ୮ଟି ଜିଲ୍ଲାରେ କପା ଉତ୍ପାଦନ ବୃଦ୍ଧି ପାଇଁ ‘କପାସ କ୍ରାନ୍ତି’ ମିଶନ ଆରମ୍ଭ କରିବେ। ପ୍ରାୟ ୧୫.୦୧ କୋଟି ଟଙ୍କା ବ୍ୟୟରେ ଆଧୁନିକ କୃଷି ପ୍ରଯୁକ୍ତି, କୃଷକ ପ୍ରଶିକ୍ଷଣ ଓ ଉତ୍ପାଦକତା ବୃଦ୍ଧି ଉପରେ ବିଶେଷ ଗୁରୁତ୍ୱ ଦିଆଯିବ।

ଭୁବନେଶ୍ୱର: ରାଜ୍ୟରେ କୃଷି ଓ କୃଷକର ଉନ୍ନତି ନିମନ୍ତେ ରାଜ୍ୟ ସରକାର ଲାଭଦାୟକ କୃଷିର ପ୍ରଚାରପ୍ରସାର ଉପରେ ଗୁରୁତ୍ବ ଦେଇଛନ୍ତି। ଏହି କ୍ରମରେ ଖୁବ୍ଶୀଘ୍ର ରାଜ୍ୟରେ କପା ଉତ୍ପାଦନ ବୃଦ୍ଧି ପାଇଁ ‘କପାସ କାନ୍ତି’ ନାମକ ନୂତନ ମିଶନ ଅଧୀନରେ ପ୍ରାୟ ୧୫.୦୧ କୋଟିର ବାର୍ଷିକ ବ୍ୟୟ କରାଯିବ।
ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ କୃଷି ବିକାଶ(ପିଏମ୍–ଆରକେଭିଓ୍ୱାଇ) ଏକୀକୃତ ଛତ୍ର ଯୋଜନା ଅଧିନରେ ୩୯ତମ ରାଜ୍ୟସ୍ତରୀୟ ଅନୁମୋଦନ କମିଟି (ଏସ୍ଏଲ୍ଏସ୍ସି) ବୈଠକ ଅନୁଷ୍ଠିତ ହୋଇଛି। ଏଥିରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତା କରିଥିଲେ। ବୈଠକରେ ୨୦୨୬–୨୭ ଆର୍ଥିକ ବର୍ଷ ପାଇଁ ପିଏମ୍–ଆରକେଭିଓ୍ୱାଇ ଅଧୀନରେ ରାଜ୍ୟ-ସଂଯୁକ୍ତ ବିଭିନ୍ନ ଯୋଜନାର ବାର୍ଷିକ କାର୍ଯ୍ୟଯୋଜନା ଏବଂ କୃଷି ଓ ଆନୁଷଙ୍ଗିକ କ୍ଷେତ୍ରର ପ୍ରକଳ୍ପଗୁଡ଼ିକ ଉପରେ ବିସ୍ତୃତ ଆଲୋଚନା ଓ ସମୀକ୍ଷା କରାଯାଇଥିଲା।
୨୦୨୫-୨୬ ମସିହାରୁ ଆରକେଭିଓ୍ୱାଇ କାଫେଟେରିଆର ନାମ ପରିବର୍ତ୍ତନ କରାଯାଇ ପ୍ରଧାନମନ୍ତ୍ରୀ–ରାଷ୍ଟ୍ରୀୟ କୃଷି ବିକାଶ ଯୋଜନା ( ପିଏମ୍-ଆରକେଭିଓ୍ୱାଇ) ରଖାଯାଇଛି ବୋଲି କୃଷି ବିଭାଗ କମିସନର ତଥା ଶାସନ ସଚିବ ସଚିନ ରାମଚନ୍ଦ୍ର ଯାଦବ କହିଥିଲେ। ରାଜ୍ୟପାଇଁ ୨୦୨୬–୨୭ ଆର୍ଥିକ ବର୍ଷର ୧,୦୩୭.୧୯ କୋଟିର ସଂଶୋଧିତ ବାର୍ଷିକ କାର୍ଯ୍ୟଯୋଜନା ଉପସ୍ଥାପନ କରାଯାଇଥିଲା। ଏହା ଅଧୀନରେ ଆତ୍ମନିର୍ଭରତା ଓ ଖାଦ୍ୟ ସୁରକ୍ଷା ପାଇଁ ନୂତନ ମିସନ, ଜଳବାୟୁ ସହନଶୀଳତା ସମ୍ପର୍କିତ ପଦକ୍ଷେପ, ପ୍ରଯୁକ୍ତି ଓ କୃଷି ସମ୍ପ୍ରସାରଣ ଏବଂ ଜାତୀୟ ପ୍ରାଥମିକତାଭିତ୍ତିକ ଯୋଜନାଭଳି ଚାରିଟି ବ୍ୟାପକ ବର୍ଗରେ ୧୬ଟି ରାଜ୍ୟସଂଯୁକ୍ତ ଯୋଜନା କାର୍ଯ୍ୟକାରୀ କରାଯିବ।
ରାଜ୍ୟରେ କପା ଉତ୍ପାଦନ ବୃଦ୍ଧି ପାଇଁ ‘କପାସ କାନ୍ତି’ ନାମକ ନୂତନ ମିଶନ ଅଧୀନରେ ପ୍ରାୟ ୧୫.୦୧ କୋଟିର ବାର୍ଷିକ କାର୍ଯ୍ୟଯୋଜନା ଉପରେ ମଧ୍ୟ ଆଲୋଚନା କରାଯାଇଥିଲା। ଏହି ମିଶନ ମାଧ୍ୟମରେ ରାଜ୍ୟର ୮ଟି ଜିଲ୍ଲାରେ ଆଧୁନିକ କୃଷି ପ୍ରଯୁକ୍ତି, ଏକୀକୃତ ଫସଲ ପରିଚାଳନା, କୃଷକ ପ୍ରଶିକ୍ଷଣ ଏବଂ ଉତ୍ପାଦକତା ବୃଦ୍ଧି ଉପରେ ବିଶେଷ ଗୁରୁତ୍ୱ ଦିଆଯିବାକୁ ଆଲୋଚନା ହୋଇଛି । ଆରକେଭିଓ୍ୱାଇ–ଡିପିଆର ଅଧୀନରେ ପୂର୍ବରୁ ପ୍ରସ୍ତାବିତ ୧୫ଟି ପ୍ରକଳ୍ପ ମଧ୍ୟରୁ ୧୨ଟି ପ୍ରକଳ୍ପକୁ କେନ୍ଦ୍ର ସରକାରଙ୍କ ଅନୁମୋଦନ ପାଇଁ ପଠାଯାଇଥିଲା।
ସୌଜନ୍ୟ ସମ୍ବାଦ




