ରାଜ୍ୟ

Highcourt: ହାଇକୋର୍ଟରେ ଅନୁଦାନପ୍ରାପ୍ତ ଶିକ୍ଷାନୁଷ୍ଠାନର କର୍ମଚାରୀଙ୍କୁ ପେନସନ୍ ପ୍ରସଙ୍ଗ, ଆଡଭୋକେଟ ଜେନେରାଲଙ୍କ ଯୁକ୍ତି ଉପସ୍ଥାପନ ଅଧା ରହିଲା

ହାଇକୋର୍ଟରେ ଅନୁଦାନପ୍ରାପ୍ତ ସ୍କୁଲ ଓ କଲେଜର ଅବସରପ୍ରାପ୍ତ କର୍ମଚାରୀଙ୍କୁ ପେନସନ୍ ସଂପର୍କିତ ମାମଲାର ଆଜି ଦୀର୍ଘ ସମୟ ଶୁଣାଣି ହୋଇଛି।

କଟକ: ହାଇକୋର୍ଟରେ ଅନୁଦାନପ୍ରାପ୍ତ ସ୍କୁଲ ଓ କଲେଜର ଅବସରପ୍ରାପ୍ତ କର୍ମଚାରୀଙ୍କୁ ପେନସନ୍ ସଂପର୍କିତ ମାମଲାର ଆଜି ଦୀର୍ଘ ସମୟ ଶୁଣାଣି ହୋଇଛି। ଜଷ୍ଟିସ ବି.ପି.ରାଉତରାୟ ଓ ଜଷ୍ଟିସ ସାବିତ୍ରୀ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠରେ ଏ ସଂପର୍କିତ ମାମଲାର ଶୁଣାଣି ବେଳେ ସରକାରଙ୍କ ତରଫରୁ ଆଡଭୋକେଟ ଜେନେରାଲ ପୀତାମ୍ବର ଆଚାର୍ଯ୍ୟ ଯୁକ୍ତି ଉପସ୍ଥାପନ କରିଥିଲେ। ପ୍ରତିପକ୍ଷ ଅବସରପ୍ରାପ୍ତ କର୍ମଚାରୀମାନେ ପେନସନ ପାଇବା ପାଇଁ ଆଇନ ଅନୁସାରେ ଯୋଗ୍ୟ ନୁହେଁ ବୋଲି ସରକାରଙ୍କ ତରଫରୁ ଦର୍ଶାଯାଇଥିଲା। ଆଜି ଆଡଭୋକେଟ ଜେନେରାଲଙ୍କ ଯୁକ୍ତି ଉପସ୍ଥାପନ ଅଧା ରହିଥିଲା। ପରବର୍ତ୍ତୀ ଶୁଣାଣି ନଭେମ୍ବର ୨କୁ ଧାର୍ଯ୍ୟ କରାଯାଇଛି।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ବ୍ଲକ୍ ଗ୍ରାଣ୍ଟ ଓ ଏବେର ଅନୁଦାନପ୍ରାପ୍ତ ଶିକ୍ଷାନୁଷ୍ଠାନରୁ ଅବସର ଗ୍ରହଣ କରୁଥିବା କର୍ମଚାରୀଙ୍କୁ ପେନସନ୍ ଓ ଅନ୍ୟାନ୍ୟ ଅବସରକାଳୀନ ପ୍ରାପ୍ୟ ମିଳୁ ନାହଁ। ପୂର୍ବରୁ ଏହି ପ୍ରସଂଗ ନେଇ ଶରତଚନ୍ଦ୍ର ପରିଡାଙ୍କ ପକ୍ଷରୁ ଦାୟର ମାମଲାର ଶୁଣାଣି କରି ୨୦୧୫ରେ ହାଇକୋର୍ଟ ବ୍ଲକ୍‌ ଗ୍ରାଣ୍ଟ ସ୍କୁଲର ଅବସରପ୍ରାପ୍ତ ଶିକ୍ଷକ, ଅଧ୍ୟାପକ, କର୍ମଚାରୀଙ୍କୁ ପେନସନ ଓ ଅବସରକାଳୀନ ପ୍ରାପ୍ୟ ପ୍ରଦାନ ସପକ୍ଷରେ ରାୟ ପ୍ରଦାନ କରିଥିଲେ। ଏହି ରାୟକୁ ଚାଲେଞ୍ଜ କରି ରାଜ୍ୟ ସରକାର ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ସୁପ୍ରିମକୋର୍ଟ ହାଇକୋର୍ଟଙ୍କ ରାୟ କାଏମ ରଖିଥିଲେ। ଏଭଳି ସ୍ଥିତିରେ ପେନସନ୍ ଓ ଅବସରକାଳୀନ ପ୍ରାପ୍ୟ ଅବସର ପର ଦିନଠାରୁ ପ୍ରଦାନ କରାଯାଉ ବୋଲି ଦର୍ଶାଇ ଅନୁଦାନପ୍ରାପ୍ତ ଶିକ୍ଷାନୁଷ୍ଠାନର ଶତାଧିକ କର୍ମଚାରୀ ସରକାରଙ୍କ ନିକଟରେ ଦରଖାସ୍ତ କରିଥିଲେ।

କିନ୍ତୁ ସରକାର ସେମାନଙ୍କ ଦରଖାସ୍ତ ଖାରଜ କରିବା ପରେ ଅବସରପ୍ରାପ୍ତ କର୍ମଚାରୀମାନେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ଜଣିକିଆ ବିଚାରପତିଙ୍କ ଖଣ୍ଡପୀଠ ଅବସରପ୍ରାପ୍ତ କର୍ମଚାରୀଙ୍କ ପେନସନ୍ ପ୍ରଦାନ ଦରଖାସ୍ତକୁ ଖାରଜ ନେଇ ସରକାର ପ୍ରଦାନ କରିଥିବା ନିର୍ଦ୍ଦେଶକୁ ରଦ୍ଦ କରିଥିଲେ। ତିନି ମାସ ଭିତରେ ଅନୁଦାନପ୍ରାପ୍ତ ଶିକ୍ଷାନୁଷ୍ଠାନର ଶିକ୍ଷକ, ଅଧ୍ୟାପକ ଓ ର୍କମଚାରୀଙ୍କୁ ପେନସନ ଓ ଅବସରକାଳୀନ ପ୍ରାପ୍ୟ ପ୍ରଦାନ କରାଯିବ ବୋଲି ହାଇକୋର୍ଟ କହିଥିଲେ।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button