International cyber: ଅନ୍ତର୍ଜାତୀୟ ସାଇବର ଠକେଇ ସିଣ୍ଡିକେଟ୍‌ର ପର୍ଦ୍ଦାଫାସ

ନୂଆଦିଲ୍ଲୀ: ଦିଲ୍ଲୀ ପୁଲିସର ‘ଇଣ୍ଟେଲିଜେନ୍ସ୍ ଫ୍ୟୁଜନ୍ ଆଣ୍ଡ୍ ଷ୍ଟ୍ରାଟେଜିକ୍ ଅପରେସନ୍ସ (ଆଇଏଫ୍‌ଏସ୍‌ଓ) ୟୁନିଟ୍ ଏକ ବଡ଼ ଆନ୍ତର୍ଜାତୀୟ ସାଇବର୍ ଅପରାଧ ସିଣ୍ଡିକେଟ୍‌ର ପର୍ଦ୍ଦାଫାସ କରିଛି। ଏହି ଅପରାଧୀ ଗ୍ୟାଙ୍ଗ୍‌ର ସମ୍ପର୍କ ଚୀନ୍, ପାକିସ୍ତାନ, ତାଇୱାନ, କମ୍ବୋଡିଆ ଏବଂ ନେପାଳ ପର୍ଯ୍ୟନ୍ତ ବ୍ୟାପ୍ତ ଥିଲା। ‘ଡିଜିଟାଲ୍ ଆରେଷ୍ଟ୍’ ନାମରେ ଚାଲିଥିବା ଏହି ଠକେଇରେ ହଜାର ହଜାର ଭାରତୀୟଙ୍କୁ ପ୍ରାୟ ୧୦୦ କୋଟି ଟଙ୍କାର ଠକେଇ ହୋଇଛି।

ଏହି ସିଣ୍ଡିକେଟ୍ ନିଜକୁ ଆଣ୍ଟି-ଟେରରିଷ୍ଟ୍ ସ୍କ୍ୱାଡ୍ (ଏଟିଏସ୍) କିମ୍ବା ଅନ୍ୟ ଆଇନ ପ୍ରବର୍ତ୍ତନ   ଅଧିକାରୀ ବୋଲି ପରିଚୟ ଦେଇ ଲୋକଙ୍କୁ ଫୋନ୍ କରୁଥିଲେ। ପୀଡ଼ିତଙ୍କୁ ସେମାନେ କହୁଥିଲେ ଯେ ସେମାନଙ୍କ ମୋବାଇଲ୍ ନମ୍ବର ପହଲଗାମ୍ ଆକ୍ରମଣ କିମ୍ବା ଲାଲକିଲ୍ଲା ବିସ୍ଫୋରଣ ଭଳି ଆତଙ୍କବାଦୀ ଘଟଣା ସହ ଜଡ଼ିତ। ଗିରଫଦାରୀର ଭୟ ଦେଖାଇ ସେମାନେ ଟଙ୍କା ଟ୍ରାନ୍ସଫର୍ କରିବାକୁ ବାଧ୍ୟ କରୁଥିଲେ। ଠକମାନେ ଆନ୍ତର୍ଜାତୀୟ କଲ୍‌କୁ ଭାରତୀୟ ଲୋକାଲ୍ କଲ୍ ଭଳି ଦେଖାଇବା ପାଇଁ ଅବୈଧ ସିମ୍‌ବକ୍ସ୍ ଡିଭାଇସ୍ ବ୍ୟବହାର କରୁଥିଲେ, ଯାହା ମୁଖ୍ୟତଃ କମ୍ବୋଡିଆରୁ ରୁଟ୍ ହେଉଥିଲା। ୨ଜି ନେଟ୍‌ୱର୍କ ବ୍ୟବହାର କରି ‘ରିୟଲ୍-ଟାଇମ୍ ଟ୍ରାକିଂ’ ଏଡ଼ାଇବାକୁ ସେମାନେ ସକ୍ଷମ ହେଉଥିଲେ। ଏହି ଠକମାନଙ୍କ ମଧ୍ୟରେ ସମ୍ପର୍କ ଏନ୍‌କ୍ରିପ୍ଟେଡ୍ ଟେଲିଗ୍ରାମ୍ ଚ୍ୟାନେଲ୍ ମାଧ୍ୟମରେ ହେଉଥିଲା ଏବଂ ଠକେଇ ବାବଦ ଟଙ୍କା କ୍ରିପ୍ଟୋକରେନ୍ସି ମାଧ୍ୟମରେ ଲଣ୍ଡରିଂ ହେଉଥିଲା। ଏହି ସାଇବର ଅପରାଧ ନେଟ୍‌ୱର୍କର ଟେକ୍ନିକାଲ୍ ମାଷ୍ଟରମାଇଣ୍ଡ ଆଇ-ତ୍ସୁଙ୍ଗ୍ ଚେନ୍ (୩୦ ବର୍ଷୀୟ ତାଇୱାନନାଗରିକ) ସିମ୍‌ବକ୍ସ୍ ଡିଭାଇସ୍ ସପ୍ଲାଇ, ଇନ୍‌ଷ୍ଟଲ୍ ଏବଂ ସଂଚାଳନ କରୁଥିଲା। ଏହା ତାଇୱାନ୍‌ର ଗ୍ୟାଙ୍ଗଷ୍ଟର୍ ଶାଙ୍ଗମିନ୍ ୱି’ର କ୍ରାଇମ୍ ନେଟ୍‌ୱର୍କ ସହ ଜଡ଼ିତ।  ସିମ୍‌ବକ୍ସ୍ ଡିଭାଇସ୍ ଚୀନ୍‌ରୁ ଆସୁଥିବା ବେଳେ  ଫଣ୍ଡିଂ ଓ ନିର୍ଦ୍ଦେଶ ପାକିସ୍ତାନରୁ ଆସୁଥିଲା।  ଏହି ଠକଦଳ କମ୍ବୋଡିଆରୁ କଲ୍ ସେଣ୍ଟର୍ ଚଳାଉଥିଲେ ଏବଂ  ‘କମାଣ୍ଡ୍ ଆଣ୍ଡ୍ କଣ୍ଟ୍ରୋଲ୍ ସେଣ୍ଟର’

ଏପର୍ଯ୍ୟନ୍ତ ଏହି ଗ୍ୟାଙ୍କର ୭ ଜଣଙ୍କୁ ଗିରଫ କରାଯାଇଛି। ସେମାନଙ୍କ ମଧ୍ୟରେ ତାଇୱାନ ନାଗରିକ ଆଇ-ତ୍ସୁଙ୍ଗ୍ ଚେନ୍, ଶଶି ପ୍ରସାଦ (୫୩), ପରବିନ୍ଦର ସିଂହ (୩୮), ସରବଦୀପ ସିଂହ, ଜସପ୍ରୀତ କୌର , ଦିନେଶ କେ. ଏବଂ ଅବ୍‌ଦୁସ୍ ସଲାମ  ଅନ୍ତର୍ଭୁକ୍ତ। ଦିଲ୍ଲୀ, ମୁମ୍ବାଇ ଓ ମୋହାଲିରେ ଚଢ଼ଉ କରାଯାଇ ୨୨ଟି ସିମ୍‌ବକ୍ସ୍ ଡିଭାଇସ୍, ମୋବାଇଲ୍ ଫୋନ୍, ଲାପ୍‌ଟପ୍, ରାଉଟର୍, ସିସିଟିଭି କ୍ୟାମେରା, ପାସପୋର୍ଟ ଓ ବିଦେଶୀ ସିମ୍ କାର୍ଡ ଜବତ ହୋଇଛି।  ଏହି ମାମଲା ସେପ୍ଟେମ୍ବର ୨୦୨୫ରେ ଅନେକ ଅଭିଯୋଗ ପରେ ଅକ୍ଟୋବରରେ ଆରମ୍ଭ ହୋଇଥିଲା।   ଏହି ଘଟଣା ସାଇବର ଅପରାଧର ବଢ଼ୁଥିବା ଅନ୍ତର୍ଜାତୀୟ ସ୍ୱରୂପକୁ ପ୍ରକାଶ କରୁଛି, ଯେଉଁଠାରେ ଆତଙ୍କ ଓ ଭୟ ଦେଖାଇ ଲୋକଙ୍କୁ ଠକାଯାଉଛି।

ସୌଜନ୍ୟ ସମ୍ବାଦ