ନ୍ୟୁଚଣ୍ଡିଗଡ଼: ଆଇପିଏଲ୍ ୨୦୨୬ର ଏଲିମିନେଟର ମ୍ୟାଚରେ ବୈଭବ ସୂର୍ଯ୍ୟବଂଶୀଙ୍କ ବିଧ୍ଵଂସୀ ଇନିଂସ। ୨୪୩ ରନର ବିଶାଳ ସ୍କୋର କରିଛି ରାଜସ୍ଥାନ। ବୈଭବ ସୂର୍ଯ୍ୟବଂଶୀ ୨୯ ବଲରୁ ୯୭ ରନର ଧୂଆଁଧାର ଇନିଂସ ଖେଳିଥିବା ବେଳେ ଧ୍ରୁବ ଜୁରେଲ ୫୦ ରନ କରିଛନ୍ତି। ତେବେ ବୈଭବଙ୍କ ଏମିତି ଇନିଂସ ସତ୍ତ୍ଵେ ରାଜସ୍ଥାନ ୨୫୦ ସ୍କୋର ବି କରି ପାରିନି। ହାଇଦ୍ରାବାଦ ସମ୍ମୁଖରେ ରହିଛି ୨୪୪ ରନର ବିଜୟ ଲକ୍ଷ୍ୟ। ଶେଷ ୪ ଓଭରରେ ରାଜସ୍ଥାନ ୪ ଓ୍ଵିକେଟ୍ ହରାଇ ମାତ୍ର ୨୯ ରନ କରି ପାରିଛି।
ମ୍ୟାଚ୍ ଆରମ୍ଭରୁ ବୈଭବ ଏମିତି ତାଣ୍ଡବ ରଚିଥିଲେ ଯେ ହାଇଦ୍ରାବାଦର ସବୁ ରଣନୀତି ଫେଲ୍ ମାରିଥିଲା। ପ୍ରଥମ ୮ ଓଭର ମଧ୍ୟରେ ହିଁ ରାଜସ୍ଥାନ ରୟାଲ୍ସ ୧୨୫ ରନ ସଂଗ୍ରହ କରି ସାରିଥିଲା। ବୈଭବ ମାତ୍ର ୨୯ଟି ବଲରୁ ୫ଟି ଚୌକା ଓ ୧୨ଟି ଗଗନଚୁମ୍ବୀ ଛକା ସହାୟତାରେ ୯୭ ରନର ଇନିଂସ ଖେଳି ଆଉଟ୍ ହୋଇଥିଲେ। ସେ ଆଉଟ୍ ହେବା ପରେ ରନ୍ ଗତି ସାମାନ୍ୟ ଧିମେଇ ଯାଇଥିଲା। ଦଳ ପ୍ରଥମ ୮ ଓଭରରେ ୧୨୫ ରନ କରିଥିବା ବେଳେ ବାକି ୧୨ ଓଭରରେ ମାତ୍ର ୧୧୮ ରନ ଯୋଡ଼ିବାକୁ ସକ୍ଷମ ହୋଇଥିଲା।
ପ୍ଲେ-ଅଫ୍ ଇତିହାସର ଦ୍ୱିତୀୟ ସର୍ବାଧିକ ସ୍କୋର
ଆଇପିଏଲ୍ ପ୍ଲେ-ଅଫ୍ରେ ସର୍ବାଧିକ ସ୍କୋର କରିବାର ରେକର୍ଡ ଗତକାଲି ହିଁ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ନିଜ ନାମରେ କରିଥିଲା। କ୍ୱାଲିଫାୟର୍ରେ ଗୁଜରାଟ ଟାଇଟନ୍ସ ବିପକ୍ଷରେ ଆରସିବି ୨୫୪ ରନ କରିଥିବା ବେଳେ ଆଜି ରାଜସ୍ଥାନ ୨୪୩ ରନ କରି ଏହି ତାଲିକାର ଦ୍ୱିତୀୟ ସ୍ଥାନରେ ପହଞ୍ଚିଛି। ଏହି ମ୍ୟାଚ୍ ପରେ ଚଳିତ ସିଜିନ୍ରେ ସର୍ବାଧିକ ୬୮୦ ରନ କରି ବୈଭବ ସୂର୍ଯ୍ୟବଂଶୀଙ୍କ ମୁଣ୍ଡରେ ‘ଅରେଞ୍ଜ କ୍ୟାପ୍’ ଶୋଭା ପାଉଛି।
ପ୍ୟାଟ୍ କମିନ୍ସଙ୍କ କ୍ୟାରିୟରର ସବୁଠାରୁ ମହଙ୍ଗା ସ୍ପେଲ୍
ସର୍ବଦା ବ୍ୟାଟରଙ୍କ ଉପରେ ଭାରି ପଡ଼ୁଥିବା ହାଇଦ୍ରାବାଦ ଅଧିନାୟକ ପ୍ୟାଟ୍ କମିନ୍ସଙ୍କୁ ଆଜି ବୈଭବ ନିର୍ଧୁମ ଛେଚିଥିଲେ। କମିନ୍ସ ତାଙ୍କର ୪ ଓଭର ସ୍ପେଲ୍ରେ ମାତ୍ର ୩ଟି ଡଟ୍ ବଲ୍ ପକାଇବାକୁ ସକ୍ଷମ ହୋଇଥିବା ବେଳେ ୬୪ ରନ ଦେଇ ମହଙ୍ଗା ସାବ୍ୟସ୍ତ ହୋଇଛନ୍ତି। ଏହା ତାଙ୍କ ଆଇପିଏଲ୍ କ୍ୟାରିୟରର ସବୁଠାରୁ ମହଙ୍ଗା ବୋଲିଂ ସ୍ପେଲ୍ ସାବ୍ୟସ୍ତ ହୋଇଛି। ସୂଚନାଯୋଗ୍ୟ, ହାଇଦ୍ରାବାଦ ପାଇଁ ସବୁଠାରୁ ମହଙ୍ଗା ଓ ଅଲୋଡ଼ାବୋଲିଂ ରେକର୍ଡ ମହମ୍ମଦ ଶାମିଙ୍କ ନାମରେ ରହିଛି।
ସୌଜନ୍ୟ Prameya News7

