ଦେଶ ବିଦେଶ

Judgement: ଆସ୍ଥା ଫେରାଇବାକୁ ପ୍ରତିଶ୍ରୁତି ଦେଲେ ସର୍ବୋଚ୍ଚ ଅଦାଲତ

ବାରମ୍ବାର ସୁପ୍ରିମ୍‌କୋର୍ଟଙ୍କ ଦ୍ୱାରସ୍ଥ ହୋଇ ଥକିଗଲିଣି। ନ୍ୟାୟ ପାଇବା ଆଶାରେ ଆଉ ଅଦାଲତ ଯିବାରେ କିଛି ଲାଭ ଅଛି ବୋଲି ମନେ ହେଉନାହିଁ। ସୁପ୍ରିମ୍‌କୋର୍ଟ ଉପରେ ଆଉ ଭରସା ନାହିଁ। ନିର୍ବାଚନୀ ଭୋଟର ତାଲିକାରେ ଅନିୟମିତତା...

ନୂଆଦିଲ୍ଲୀ: ବାରମ୍ବାର ସୁପ୍ରିମ୍‌କୋର୍ଟଙ୍କ ଦ୍ୱାରସ୍ଥ ହୋଇ ଥକିଗଲିଣି। ନ୍ୟାୟ ପାଇବା ଆଶାରେ ଆଉ ଅଦାଲତ ଯିବାରେ କିଛି ଲାଭ ଅଛି ବୋଲି ମନେ ହେଉନାହିଁ। ସୁପ୍ରିମ୍‌କୋର୍ଟ ଉପରେ ଆଉ ଭରସା ନାହିଁ। ନିର୍ବାଚନୀ ଭୋଟର ତାଲିକାରେ ଅନିୟମିତତା ଏବଂ ଦିଲ୍ଲୀରେ ପ୍ରତିବାଦକାରୀଙ୍କୁ ଅଟକ ରଖାଯିବା ପ୍ରସଙ୍ଗରେ ଏଭଳି କହିଛନ୍ତି ବରିଷ୍ଠ ଆଇନଜୀବୀ ତଥା ରାଜ୍ୟସଭା ସାଂସଦ କପିଲ ସିବଲ। ତେବେ ରବିବାର ଏହି ପ୍ରସଙ୍ଗରେ ଶୁଣାଣି କରି ସୁପ୍ରିମ୍‌କୋର୍ଟ ଶାନ୍ତିପୂର୍ଣ୍ଣ ପ୍ରତିବାଦକାରୀଙ୍କୁ ବେଆଇନ ଭାବେ ଅଟକ ନ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥି ସହ ସିବଲଙ୍କୁ ଭରସା ଫେରାଇଦେବାର ଆଶ୍ବାସନା ଦେଇଛନ୍ତି।

ଶନିବାର ନୂଆଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମିଳନୀରେ ସିବଲ ନିଜର ମତ ରଖିଥିଲେ। ମୁଖ୍ୟ ନିର୍ବାଚନ ଆୟୁକ୍ତ ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି ଏବଂ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌) ପ୍ରକ୍ରିୟାକୁ ବିରୋଧ କରି ଦିଲ୍ଲୀର ଯନ୍ତରମନ୍ତରଠାରେ ପ୍ରତିବାଦ କରାଯାଉଥିଲା। ଏହି ଆନ୍ଦୋଳନରେ ଯୋଗଦେବାକୁ ଆସୁଥିବା ଲୋକଙ୍କୁ ଅଟକ ରଖାଯିବାର ଆଇନଗତ ଆଧାର କ’ଣ ବୋଲି ସେ ପ୍ରଶ୍ନ କରିଥିଲେ। ସିବଲଙ୍କ ଅଭିଯୋଗ ଅନୁସାରେ, ଭୋଟର ତାଲିକାରୁ ଯୋଗ୍ୟ ଭୋଟରଙ୍କ ନାମ ବାଦ୍‌ ପଡ଼ିବା ଓ ଅନ୍ୟ ନାମ ସାମିଲ ହେବା ନେଇ ସୁପ୍ରିମ୍‌କୋର୍ଟଙ୍କୁ ଦୀର୍ଘଦିନ ଧରି ଅବଗତ କରାଯାଇଥିଲେ ମଧ୍ୟ ଆଶାନୁରୂପ ପ୍ରତିକାର ମିଳିନାହିଁ। ପଶ୍ଚିମବଙ୍ଗରେ ଆବେଦନର ଶୁଣାଣି କରୁଥିବା ଅପିଲ୍‌ ଟ୍ରିବ୍ୟୁନାଲଗୁଡ଼ିକରେ ଏ ପର୍ଯ୍ୟନ୍ତ ନିଷ୍ପତ୍ତି ହୋଇଥିବା ମାମଲା ମଧ୍ୟରୁ ୯୩ ପ୍ରତିଶତରେ ଭୋଟରଙ୍କ ନାମ ପୁନଃସ୍ଥାପିତ ହୋଇଥିବା ସେ ଦର୍ଶାଇଥିଲେ।

ଆଇନଜୀବୀଙ୍କ କାମ ହେଉଛି ଲୋକଙ୍କ ପାଇଁ ଲଢ଼ିବା
ପ୍ରଧାନ ବିଚାରପତିଙ୍କ ଉପରେ ଅସନ୍ତୁଷ୍ଟ କି ବୋଲି ପଚରାଯିବାରୁ ସିବଲ କହିଥିଲେ ଯେ ଆଇନଜୀବୀଙ୍କ କାମ ହେଉଛି ଲୋକଙ୍କ ପାଇଁ ଲଢ଼ିବା। ଅନ୍ୟାୟ ହେଲେ ଅଦାଲତରେ ମାମଲା ଦାୟର କରିବାକୁ ହେବ, ଅଦାଲତ ଶୁଣିବେ କି ନାହିଁ ତାହା ଅଲଗା କଥା। ସମ୍ବିଧାନର ସୁରକ୍ଷା କରିବାରେ ସୁପ୍ରିମ୍‌କୋର୍ଟଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ମଧ୍ୟ ସେ କହିଥିଲେ। ଅନ୍ୟପକ୍ଷରେ, ଦିଲ୍ଲୀରେ ପ୍ରତିବାଦ ପୂର୍ବରୁ ଭାରତୀୟ ନାଗରିକ ସୁରକ୍ଷା ସଂହିତାର ଧାରା ୧୬୩ ଅନୁଯାୟୀ ଲାଗୁ କଟକଣା, ଟ୍ରେନ୍‌ ଓ ମେଟ୍ରୋ ସେବାରେ ବାଧା ଏବଂ ପ୍ରତିବାଦକାରୀଙ୍କୁ ଅଟକ ରଖାଯିବାକୁ ସେ ସମାଲୋଚନା କରିଥିଲେ। ଶାନ୍ତିପୂର୍ଣ୍ଣ ଭାବେ ପ୍ରତିବାଦ କରୁଥିବା ଲୋକଙ୍କ ଦ୍ୱାରା ସମାଜ ପ୍ରତି କେଉଁ ବିପଦ ରହିଛି ବୋଲି ସେ ପ୍ରଶ୍ନ କରିଥିଲେ।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button