Kharagpur-Jharsuguda: ଖଡ଼ଗପୁର-ଝାରସୁଗୁଡ଼ା ଚତୁର୍ଥ ରେଳଲାଇନ୍ ମଞ୍ଜୁର: ୩୬୭ କିମି ଲମ୍ବ, ୬୫୨୮ କୋଟି ଅଟକଳ
ଖଡ଼ଗପୁର-ଝାରସୁଗୁଡ଼ା (ବାଗଡ଼ିହି) ଚତୁର୍ଥ ରେଳ ଲାଇନ୍ ସମେତ ରେଳ ମନ୍ତ୍ରଣାଳୟର ୩ଟି ମଲ୍ଟି-ଟ୍ରାକିଂ ପ୍ରକଳ୍ପକୁ କେନ୍ଦ୍ର କ୍ୟାବିନେଟ୍ ଆଜି ମଞ୍ଜୁର କରିଛି। ଏହି ୩ଟି ପ୍ରକଳ୍ପ ପାଇଁ ମୋଟ ୧୦,୭୮୩ କୋଟି ଟଙ୍କା ଖର୍ଚ୍ଚ ହେବ।

ନୂଆଦିଲ୍ଲୀ: ଖଡ଼ଗପୁର-ଝାରସୁଗୁଡ଼ା (ବାଗଡ଼ିହି) ଚତୁର୍ଥ ରେଳ ଲାଇନ୍ ସମେତ ରେଳ ମନ୍ତ୍ରଣାଳୟର ୩ଟି ମଲ୍ଟି-ଟ୍ରାକିଂ ପ୍ରକଳ୍ପକୁ କେନ୍ଦ୍ର କ୍ୟାବିନେଟ୍ ଆଜି ମଞ୍ଜୁର କରିଛି। ଏହି ୩ଟି ପ୍ରକଳ୍ପ ପାଇଁ ମୋଟ ୧୦,୭୮୩ କୋଟି ଟଙ୍କା ଖର୍ଚ୍ଚ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଅର୍ଥନୈତିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍ କମିଟି ବୈଠକରେ ଏହି ପ୍ରକଳ୍ପଗୁଡ଼ିକ ମଞ୍ଜୁର ହୋଇଛି। ୨୦୨୯-୩୦ ସୁଦ୍ଧା ପ୍ରକଳ୍ପଗୁଡ଼ିକୁ ଶେଷ କରିବା ଲକ୍ଷ୍ୟ ରହିଛି। ଏହି ପ୍ରକଳ୍ପର ଲମ୍ବ ୩୬୭ କିଲୋମିଟର ଓ ଏହାର ମୋଟ ଅଟକଳ ହେଉଛି ୬୫୨୮ କୋଟି ଟଙ୍କା। ଏହି ପ୍ରକଳ୍ପ ଦ୍ବାରା ସୁନ୍ଦରଗଡ଼, ସମ୍ବଲପୁର ଓ ଝାରସୁଗୁଡ଼ା ଜିଲ୍ଲାବାସୀ ଉପକୃତ ହେବେ।
ଖଡ଼ଗପୁର-ଝାରସୁଗୁଡ଼ା ଚତୁର୍ଥ ରେଳଲାଇନ୍ ମଞ୍ଜୁର କରାଯାଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଧନ୍ୟବାଦ ଜଣାଇଛନ୍ତି। ଏହା ରାଜ୍ୟର ରେଳ କ୍ଷମତା ବଢ଼ାଇବା ସହ ରେଳପଥରେ ଭିଡ଼ କମ୍ କରିବ ଏବଂ ଯାତ୍ରୀ ଓ ମାଲ ପରିବହନକୁ ସୁଦୃଢ଼ କରିବ। ଏହା ରାଜ୍ୟର ଶିଳ୍ପ ଓ ଅର୍ଥନୈତିକ ଅଭିବୃଦ୍ଧିରେ ସହାୟକ ହେବ ବୋଲି ସେ କହିଛନ୍ତି।
୩୬୭ କିମି ଲମ୍ବ, ୬୫୨୮ କୋଟି ଅଟକଳ
ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ
ଆଜିର କ୍ୟାବିନେଟ୍ ବୈଠକରେ ଖଡ଼ଗପୁର-ଝାରସୁଗୁଡ଼ା ଚତୁର୍ଥ ଲାଇନ୍ ସମେତ କଟନୀ-ପେଣ୍ଡ୍ରା ରୋଡ୍ ଚତୁର୍ଥ ଲାଇନ୍ ଓ ବିଳାସପୁର (ଉସଲାପୁର)–ପେଣ୍ଡ୍ରା ରୋଡ୍ ତୃତୀୟ ଲାଇନ୍ ମଧ୍ୟ ମଞ୍ଜୁର ହୋଇଛି। ଏହି ପ୍ରକଳ୍ପଗୁଡ଼ିକ ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ଓଡ଼ିଶା, ମଧ୍ୟପ୍ରଦେଶ ଓ ଛତିଶଗଡ଼ର ୧୪ଟି ଜିଲ୍ଲା ଦେଇ ଯିବ। ତିନି ପ୍ରକଳ୍ପରେ ୬୫୬ କିମି ରେଳପଥ ନିର୍ମାଣ କରାଯିବ, ଯାହାଦ୍ବାରା ୪,୭୯୦ଟି ଗାଁ ଉପକୃତ ହେବେ। ରେଳ କ୍ଷମତା ବଢ଼ିବା ଫଳରେ ତାରାତାରିଣୀ ମନ୍ଦିର, ଝାରସୁଗୁଡ଼ା ନିକଟସ୍ଥ ପ୍ରାଚୀନ ଜଗନ୍ନାଥ ମନ୍ଦିର ସମେତ ବିଭିନ୍ନ ପର୍ଯ୍ୟଟନସ୍ଥଳୀକୁ ଯୋଗାଯୋଗ ଉନ୍ନତ ହେବ। ଏହା ସହିତ ମଧ୍ୟପ୍ରଦେଶ ଓ ଛତିଶଗଡ଼ର ବାନ୍ଧବଗଡ଼ ବ୍ୟାଘ୍ର ଅଭୟାରଣ୍ୟ, ଅମରକଣ୍ଟକ, ଅଚାନକମାର ବ୍ୟାଘ୍ର ଅଭୟାରଣ୍ୟ, ରତନପୁର ମହାମାୟା ମନ୍ଦିର ଆଦି ସ୍ଥାନକୁ ମଧ୍ୟ ଯୋଗାଯୋଗ ସୁବିଧା ବଢ଼ିବ।
ସରକାରଙ୍କ ଆକଳନ ଅନୁଯାୟୀ, ଏହି ପ୍ରକଳ୍ପଗୁଡ଼ିକ ଫଳରେ ବାର୍ଷିକ ପ୍ରାୟ ୨୭ ନିୟୁତ ଟନ୍ ଅତିରିକ୍ତ ମାଲ ପରିବହନ ସମ୍ଭବ ହେବ। ରେଳ ପରିବହନ ଅଧିକ ହେବାରୁ ପ୍ରାୟ ୧୨ କୋଟି ଲିଟର ତେଲ ଆମଦାନି କମିବା ସହିତ ପ୍ରାୟ ୬୨ କୋଟି କିଲୋଗ୍ରାମ୍ ସିଓ୨ ନିର୍ଗମନ ହ୍ରାସ ପାଇବ ବୋଲି ସରକାର କହିଛନ୍ତି। ପ୍ରକଳ୍ପଗୁଡ଼ିକୁ ପିଏମ୍ ଗତିଶକ୍ତି ନ୍ୟାସନାଲ୍ ମାଷ୍ଟର ପ୍ଲାନ୍ ଅନୁସାରେ ଯୋଜନା କରାଯାଇଛି।
ସୌଜନ୍ୟ ସମ୍ବାଦ




