ଦେଶ ବିଦେଶ

Chief Minister in the UAE: ୟୁଏଇରେ ମୁଖ୍ୟମନ୍ତ୍ରୀ: ଆଦାନୀ, ଆଇଏଚ୍‌ସି ସହ ଏମ୍‌ଓୟୁ, ୧୪ ପ୍ରକଳ୍ପ, ୨.୧ ଲକ୍ଷ କୋଟି ନିବେଶ ସମ୍ଭାବନା

ସଂଯୁକ୍ତ ଆରବ ଏମିରେଟ୍‌ସ (ୟୁଏଇ) ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଆବୁଧାବିସ୍ଥିତ ଇଣ୍ଟରନ୍ୟାସନାଲ୍‌ ହୋଲ୍‌ଡିଂ କର୍ପୋରେସନ୍‌ (ଆଇଏଚ୍‌ସି) ମୁଖ୍ୟ କାର୍ଯ୍ୟାଳୟ ପରିଦର୍ଶନ କରି ନିବେଶ ସମ୍ପର୍କ ଅଭିଯାନ ଆରମ୍ଭ କରିଛନ୍ତି।

ଭୁବନେଶ୍ବର: ସଂଯୁକ୍ତ ଆରବ ଏମିରେଟ୍‌ସ (ୟୁଏଇ) ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଆବୁଧାବିସ୍ଥିତ ଇଣ୍ଟରନ୍ୟାସନାଲ୍‌ ହୋଲ୍‌ଡିଂ କର୍ପୋରେସନ୍‌ (ଆଇଏଚ୍‌ସି) ମୁଖ୍ୟ କାର୍ଯ୍ୟାଳୟ ପରିଦର୍ଶନ କରି ନିବେଶ ସମ୍ପର୍କ ଅଭିଯାନ ଆରମ୍ଭ କରିଛନ୍ତି। ଆରବୀୟ ଲୋକନୃତ୍ୟ ମାଧ୍ୟମରେ ତାଙ୍କୁ ସ୍ୱାଗତ କରାଯାଇଥିଲା। ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଓଡ଼ିଶା ସରକାର, ଆଇଏଚ୍‌ସି ଗ୍ରୁପ୍‌ ଓ ଆଦାନୀ ଗ୍ରୁପ୍‌ ମଧ୍ୟରେ ୧୪ଟି ପ୍ରକଳ୍ପ ପାଇଁ ଚୁକ୍ତି ସ୍ବାକ୍ଷର ହୋଇଛି। ଏହି ପ୍ରକଳ୍ପଗୁଡ଼ିକରେ ୨,୧୦,୫୦୦ କୋଟି ଟଙ୍କାର ପୁଞ୍ଜିନିବେଶ ଓ ୮.୭ ଲକ୍ଷ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟିର ସମ୍ଭାବନା ରହିଛି।

ଆଲୋଚନା ବେଳେ ନିକଟରେ ଆଦାନୀ-ଆଇଏଚ୍‌ସିର ପ୍ରସ୍ତାବିତ ପ୍ରକଳ୍ପ ପାଇଁ କଲ୍ୟାଣସିଂହପୁର ତହସିଲରେ ଆଲୁମିନା ରିଫାଇନାରି ଓ ସୁନ୍ଦରଗଡ଼ର ସଦର ତହସିଲରେ ଆଲୁମିନିୟମ ସ୍ମେଲଟର ପାଇଁ ଜମି ଯୋଗାଇ ଦେବାକୁ ପ୍ରସ୍ତାବ ଦିଆଯାଇଥିଲା। ପ୍ରସ୍ତାବିତ ପ୍ରକଳ୍ପରେ ଧାତବ ଆନୁଷଙ୍ଗିକ ଶିଳ୍ପ, ସ୍ଲରି ପାଇପ୍‌ଲାଇନ୍‌, କ୍ରିଟିକାଲ୍‌ ମିନେରାଲ୍‌, ବିରଳ ମୃତ୍ତିକା, ରସାୟନ ଓ ପେଟ୍ରୋରସାୟନ ଡେରିଭେଟିଭ୍‌ସ, ଅକ୍ଷୟ ଶକ୍ତି ଉପକରଣ, ସ୍ବାସ୍ଥ୍ୟସେବା, ଶିଳ୍ପ ଭିତ୍ତିଭୂମି, ପର୍ଯ୍ୟଟନ, ଦକ୍ଷତା ବିକାଶ ଓ କ୍ରୀଡ଼ା ଭିତ୍ତିଭୂମି ବିକାଶ କରିବା ଯୋଜନା ରହିଛି। ନିବେଶ ସୁଯୋଗ ସନ୍ଧାନ କରିବା ଲାଗି ଓଡ଼ିଶା ଆସିବାକୁ ଆଇଏଚ୍‌ସି ଗ୍ରୁପ୍‌ ଓ ଏହାର ସହାୟକ କମ୍ପାନିଗୁଡ଼ିକୁ ମୁଖ୍ୟମନ୍ତ୍ରୀ ଆମନ୍ତ୍ରଣ କରିଥିଲେ। ଏହି ଅବସରରେ ଆଇଏଚ୍‌ସିର ସିଇଓ ତଥା ପରିଚାଳନା ନିର୍ଦ୍ଦେଶକ ସୟଦ ବାସର ସୁଏବ, ଚିଫ୍ ଷ୍ଟ୍ରାଟେଜିକ୍ ଆଣ୍ଡ ଗ୍ରୋଥ୍ ଅଫିସର ପିଟର୍‌ ଆବ୍ରାମ୍‌, ଆଇଆର୍‌ଏଚ୍‌ର ସିଇଓ ଅଲି ଅଲରାସଦି ଓ ୨ପଏଣ୍ଟ ଜିରୋ ଗ୍ରୁପ୍‌ର ସିଇଓ ସାମିଆ ବୁଆଜା ଓ ଆଦାନୀ ଗ୍ରୁପ୍‌ ତରଫରୁ କରନ ଆଦାନୀ, ସାଗର ଆଦାନୀ ଉପସ୍ଥିତ ଥିଲେ।

୧୪ ପ୍ରକଳ୍ପ, ୨.୧ ଲକ୍ଷ କୋଟି ନିବେଶ ସମ୍ଭାବନା
ଆଇବିପିଜି ସହ ସହଯୋଗିତା ଚୁକ୍ତି
ଓଡ଼ିଶା ଆସିବାକୁ ‘ବୋରଗ’କୁ ଆମନ୍ତ୍ରଣ

ଅନ୍ୟପକ୍ଷରେ, ‘ବୋରଗ’ର ସିିଇଓ ହଜିମ ସୁଲତାନ ଅଲ ସୁୱାଇଦିଙ୍କ ସହ ଆଲୋଚନା ବେଳେ ଓଡ଼ିଶାର ରସାୟନ କ୍ଷେତ୍ରରେ ନିବେଶ କରିବାକୁ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କମ୍ପାନିକୁ ଆମନ୍ତ୍ରଣ କରିଥିଲେ। ପାରାଦୀପରେ ଆଇଓସିଏଲ୍‌ର ପ୍ରସ୍ତାବିତ ନାପ୍‌ଥା କ୍ରାକର୍‌ ପ୍ରକଳ୍ପ ସହ ଯୋଡ଼ି ହେବାକୁ କମ୍ପାନିକୁ ପ୍ରସ୍ତାବ ଦିଆଯାଇଥିଲା। ଅନ୍ୟ ଏକ ବୈଠକରେ ଇଣ୍ଡିଆନ ବିଜନେସ୍‌ ଆଣ୍ଡ ପ୍ରଫେସନାଲ ଗ୍ରୁପ୍‌ (ଆଇବିପିଜି) ସହ ଓଡ଼ିଶାର ହଳଦୀ, ଅଦା, ସାମୁଦ୍ରିକ ଖାଦ୍ୟ, ଖାଦ୍ୟ ପ୍ରକ୍ରିୟାକରଣ ଉତ୍ପାଦଗୁଡ଼ିକର ରପ୍ତାନି ବଢ଼ାଇବା, ଓଡ଼ିଶାର କୁଶଳୀ ମାନବ ସମ୍ବଳ ପାଇଁ ସୁଯୋଗ ସୃଷ୍ଟି ଓ ପ୍ରମୁଖ ୟୁଏଇ ବ୍ରାଣ୍ଡ ପାଇଁ କଣ୍ଟ୍ରାକ୍ଟ ମ୍ୟାନୁଫାକ୍‌ଚରିଂ କ୍ଷେତ୍ରରେ ସୁଯୋଗ ସୃଷ୍ଟି ବିଷୟରେ ମୁଖ୍ୟମନ୍ତ୍ରୀ ଆଲୋଚନା କରିଥିଲେ। ଓଡ଼ିଶା ସରକାର ଓ ଆଇବିପିଜି ମଧ୍ୟରେ ଏକ ସହଯୋଗିତା ବୁଝାମଣା ହୋଇଥିଲା। ଏହି ଅବସରରେ ଆଇବିପିଜି ସଭାପତି ରାଜୀବ ଶାହ, ସାଧାରଣ ସମ୍ପାଦକ ବରୁଣ ୱାହି, ଓଡ଼ିଶାର କମ୍ପାନି ଯଥା ରୁଚି, ଫାର୍ମ ବି, ବି ୱାନ୍‌, ଓରି କ୍ଲିନ୍ ଭଳି କମ୍ପାନିର ପ୍ରତିନିଧି ଯୋଗ ଦେଇଥିଲେ।

ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଅନ୍ୟ ଏକ ରାଉଣ୍ଡ ଟେବୁଲ୍‌ ବୈଠକରେ ୟୁଏଇର ନିବେଶ ଅନୁଷ୍ଠାନଗୁଡ଼ିକ ସହ ଆଲୋଚନା କରି ରାଜ୍ୟର ଭିତ୍ତିଭୂମି, ପ୍ରକଳ୍ପ ମୂଲ୍ୟାଙ୍କନ ଓ ଦୀର୍ଘକାଳୀନ ନିବେଶ ସହଯୋଗିତାରେ ଅଂଶଗ୍ରହଣ କରିବାକୁ ଆହ୍ବାନ ଦେଇଥିଲେ। ଘରୋଇ ସରକାରୀ ସହଭାଗିତାରେ ସରକାରୀ ପ୍ରକଳ୍ପ ବିକାଶ କରିବାକୁ ମଧ୍ୟ ସେମାନଙ୍କୁ କହିଥିଲେ। ଏହି ବୈଠକରେ ଆଇଏଫ୍‌ସିର ଡିଭିଜନାଲ୍ ଡାଇରେକ୍ଟର ଅବଦୁଲା ଜେଇନି ଜାଫ୍ରି, ଆଇଆର୍‌ଏଚ୍‌ ଗ୍ଲୋବାଲ୍‌ ଟ୍ରେଣ୍ଡିଂର କ୍ବାରାଣ୍ଟାଇନ୍‌ ରିସର୍ଚ୍ଚ ଡେଭଲପ୍‌ମେଣ୍ଟ ମୁଖ୍ୟ ଜିଓଲିଓ ଓଚୋନେରେଓ ଏବଂ ଏଲିପ୍‌ଟିକ୍‌ ଏଫ୍‌ଜେଡ୍‌ର ପରିଚାଳନା ନିର୍ଦ୍ଦେଶକ ଫ୍ରାନ୍‌ସେସ୍କା ମାରିଆ ଯୋଗ ଦେଇଥିଲେ। ୟୁଏଇ ଗସ୍ତରେ ମୁଖ୍ୟମନ୍ତ୍ରୀଙ୍କ ସହ ଶିଳ୍ପମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ, ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ଶିଳ୍ପ, ଗୃହ, ସୂଚନା ଓ ଲୋକସମ୍ପର୍କ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମାଙ୍କ ସମେତ ଉଚ୍ଚସ୍ତରୀୟ ପ୍ରତିନିଧିମଣ୍ଡଳୀ ରହିଛନ୍ତି। ଆବୁଧାବି କାର୍ଯ୍ୟକ୍ରମ ଶେଷ କରି ମୁଖ୍ୟମନ୍ତ୍ରୀ ଦୁବାଇରେ ପହଞ୍ଚିଛନ୍ତି। ସେଠାରେ ତାଙ୍କୁ ବ୍ୟାବସାୟିକ ପ୍ରତିନିଧି ଓ ପ୍ରବାସୀ ଓଡ଼ିଆ ସଦସ୍ୟମାନେ ସ୍ବାଗତ କରିଥିଲେ। ଆସନ୍ତାକାଲି ସେଠାରେ ନିବେଶକ ଓ ଶିଳ୍ପ ପ୍ରତିନିଧିଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button