ବିଶେଷ

Lal Bahadur Shastri: ଆଜି ଜନ୍ମଦିନ: ଲାଲ ବାହାଦୁର ଶାସ୍ତ୍ରୀ

ସ୍ବାଧୀନ ଭାରତର ଦ୍ବିତୀୟ ପ୍ରଧାନମନ୍ତ୍ରୀ ସ୍ବର୍ଗତ ଲାଲ ବାହାଦୁର ଶାସ୍ତ୍ରୀ ୧୯୦୪ ମସିହା ଆଜି ଦିନରେ ଉତ୍ତରପ୍ରଦେଶର ମୁଗଲସରାଇଠାରେ ଜନ୍ମଲାଭ କରିଥିଲେ। ଲାଲ ବାହାଦୁର ଉତ୍କଟ ଦାରିଦ୍ର୍ୟ ମଧ୍ୟରେ ଶିକ୍ଷା ଲାଭ କରିଥିଲେ।

ସ୍ବାଧୀନ ଭାରତର ଦ୍ବିତୀୟ ପ୍ରଧାନମନ୍ତ୍ରୀ ସ୍ବର୍ଗତ ଲାଲ ବାହାଦୁର ଶାସ୍ତ୍ରୀ ୧୯୦୪ ମସିହା ଆଜି ଦିନରେ ଉତ୍ତରପ୍ରଦେଶର ମୁଗଲସରାଇଠାରେ ଜନ୍ମଲାଭ କରିଥିଲେ। ଲାଲ ବାହାଦୁର ଉତ୍କଟ ଦାରିଦ୍ର୍ୟ ମଧ୍ୟରେ ଶିକ୍ଷା ଲାଭ କରିଥିଲେ। ମାତ୍ର ଷୋଳ ବର୍ଷ ବୟସରେ ସେ ନିଜର ପଢ଼ା ଛାଡ଼ି ଗାନ୍ଧୀଜୀଙ୍କ ଅସହଯୋଗ ଆନ୍ଦୋଳନରେ ଯୋଗ ଦେଇଥିଲେ। ପରେ ସେ ବାରାଣସୀ ସ୍ଥିତ କାଶୀ ବିଦ୍ୟାପୀଠରୁ ସ୍ନାତକ ଡିଗ୍ରି ହାସଲ କରି ଶାସ୍ତ୍ରୀ ଉପାଧିରେ ଭୂଷିତ ହୋଇଥିଲେ। ସେଠାରେ ସେ ଦେଶର ଶ୍ରେଷ୍ଠ ବୁଦ୍ଧିଜୀବୀ ଓ ସ୍ବଦେଶପ୍ରେମୀଙ୍କ ସଂସ୍ପର୍ଶରେ ଆସିଥିଲେ। ୧୯୩୦ରେ ସେ ଗାନ୍ଧୀଜୀଙ୍କ ଲବଣ ଆଇନ ବିରୋଧୀ ଦାଣ୍ଡିଯାତ୍ରାରେ ଯୋଗ ଦେଇଥିଲେ ଏବଂ ଏହା ପରେ ଅନେକ ଆନ୍ଦୋଳନର ନେତୃତ୍ବ ନେଇ ୭ ବର୍ଷ କାରାବରଣ କରିଥିଲେ। ଏହି ସଂଘର୍ଷର ନିଆଁରେ ତାଙ୍କ ମନୋବଳ ଇସ୍ପାତ ପରି ଦୃଢ଼ ହୋଇଥିଲା ଏବଂ ସେ ରାଜନେତା ଭାବରେ ଲୋକପ୍ରିୟ ହୋଇଥିଲେ।

ସ୍ବାଧୀନ ଭାରତ‌େର କ୍ଷମତାକୁ କଂଗ୍ରେସ ଆସିବା ପରେ ଲାଲ ବାହାଦୁରଙ୍କ ନିର୍ମଳ ଭାବମୂର୍ତ୍ତିକୁ ଜାତୀୟ ସଂଗ୍ରାମର ନେତାମାନେ ସ୍ବୀକୃତି ପ୍ରଦାନ କରିଥିଲେ। ୧୯୫୧ରେ ତାଙ୍କୁ ନିଜ ରାଜ୍ୟ ଉତ୍ତରପ୍ରଦେଶର ଗୃହମନ୍ତ୍ରୀ ଦାୟିତ୍ବରୁ ଆଣି କେନ୍ଦ୍ର ସରକାର ରେଳବାଇ, ସଡ଼କ ଓ ପରିବହନ, ବାଣିଜ୍ୟ ଓ ଉଦ୍ୟୋଗ ଏବଂ ସୌରାଷ୍ଟ୍ର ବିଭାଗ ପରି ଗୁରୁତ୍ବପୂର୍ଣ୍ଣ ମନ୍ତ୍ରାଳୟଗୁଡ଼ିକର ଦାୟିତ୍ବ ଦେଇଥିଲେ। ୧୯୬୨ ଭାରତ-ଚୀନ ଯୁଦ୍ଧ ବେଳେ ଗୃହମନ୍ତ୍ରୀ ଥିବା ଲାଲ ବାହାଦୁର ଦେଶର ଆଭ୍ୟନ୍ତରୀଣ ସୁରକ୍ଷାକୁ ଯଥାସାଧ୍ୟ ସମ୍ଭାଳି ରଖିଥିଲେ। ୧୯୬୪ରେ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହରୁଙ୍କ ମୃତ୍ୟୁ ପରେ ସେ ଦେଶର ଦ୍ବିତୀୟ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ବ ନେଇଥିଲେ ଏବଂ ୧୯୬୫ରେ ପାକିସ୍ତାନ ଯୁଦ୍ଧ ବେଳେ ‘ଜୟ ଯବାନ, ଜୟ କିଷାନ’ ପରି ସ୍ଲୋଗାନ ଦେଇ ଦେଶର ଖାଦ୍ୟ ସଂକଟକୁ ଦୂର କରିଥିଲେ। ଭାରତ-ପାକିସ୍ତାନ ଯୁଦ୍ଧର ଅବସାନ ପରେ ତାସକେଣ୍ଟ ଶାନ୍ତି ରାଜିନାମାରେ ସ୍ବାକ୍ଷର ପାଇଁ ସେ ତାସକେଣ୍ଟ ଯାଇଥିଲେ। ସେଠାରେ ୧୯୬୬ ଜାନୁଆରି ୧୧ ତାରିଖରେ ଏହି ମହାନ ଜନନାୟକଙ୍କର ସନ୍ଦିଗ୍ଧ ପରିସ୍ଥିତିରେ ତିରୋଧାନ ଘଟିଥିଲା।

 

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button