ରାଜ୍ୟ

Landslide Management ଭୂସ୍ଖଳନ ମୁକାବିଲା ପାଇଁ ଓଡ଼ିଶା ଓ ଉତ୍ତରାଖଣ୍ଡ ମଧ୍ୟରେ ସ୍ୱାକ୍ଷରିତ ହେବ ବୁଝାମଣାପତ୍ର

ଓଡ଼ିଶାର ପାହାଡ଼ିଆ ଜିଲ୍ଲାଗୁଡ଼ିକରେ ଭୂସ୍ଖଳନ ମୁକାବିଲା ଓ ଏହାର ସ୍ଥାୟୀ ପ୍ରତିକାର ପାଇଁ ଓସଡମା ଏବଂ ଉତ୍ତରାଖଣ୍ଡ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ମଧ୍ୟରେ ଖୁବ୍‌ଶୀଘ୍ର ଏମ୍‌ଓୟୁ ସ୍ୱାକ୍ଷର ହେବ। ଏହା ମାଧ୍ୟମରେ ବିପଦ ଆକଳନ, ନିରୀକ୍ଷଣ, ଆଗୁଆ ସତର୍କତା ଓ ଆଧୁନିକ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଜ୍ଞାନ ଓ ଅଭିଜ୍ଞତାର ବିନିମୟ ହେବ।

ଭୁବନେଶ୍ୱର: ରାଜ୍ୟର ପାହାଡ଼ିଆ ଜିଲ୍ଲାଗୁଡ଼ିକରେ ଦେଖାଦେଉଥିବା ଭୂସ୍ଖଳନ ସମସ୍ୟାର ସ୍ଥାୟୀ ପ୍ରତିକାର ପାଇଁ ଓଡ଼ିଶା ଓ ଉତ୍ତରାଖଣ୍ଡ ମିଳିତ ଭାବେ କାର୍ଯ୍ୟ କରିବେ। ଏନେଇ ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (ଓସଡମା) ଏବଂ ଉତ୍ତରାଖଣ୍ଡ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (ୟୁଏସଡିଏମଏ) ମଧ୍ୟରେ ଖୁବ୍‌ଶୀଘ୍ର ଏକ ବୁଝାମଣାପତ୍ର (ଏମ୍‌ଓୟୁ) ସ୍ବାକ୍ଷରିତ ହେବ। ଉତ୍ତରାଖଣ୍ଡ ବିପର୍ଯ୍ୟୟ ପରିଚାଳନା ଓ ଥଇଥାନ ସଚିବ ବିନୋଦ କୁମାର ସୁମନ ଏବଂ ଓସଡମା ଉପଦେଷ୍ଟା ତଥା ବରିଷ୍ଠ ଆଇଏଏସ୍ ଅଧିକାରୀ ଡକ୍ଟର କମଳ ଲୋଚନ ମିଶ୍ରଙ୍କ ମଧ୍ୟରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ଆଲୋଚନାରେ ଏହି ସହମତି ପ୍ରକାଶ ପାଇଛି।

ଡକ୍ଟର ମିଶ୍ର କହିଛନ୍ତି ଯେ, ନିକଟରେ ବାତ୍ୟା ‘ଅର୍ଣ୍ଣବ’ ପରବର୍ତ୍ତୀ ବନ୍ୟା ଗଞ୍ଜାମ, ଗଜପତି, କନ୍ଧମାଳ ଓ ରାୟଗଡ଼ା ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ଘଟାଇଥିଲା। ଏହି ଅଞ୍ଚଳଗୁଡ଼ିକରେ ଭୂସ୍ଖଳନ ଏବେ ଏକ ନୂଆ ଆହ୍ବାନ ଭାବେ ଉଭା ହୋଇଛି। ଭୂସ୍ଖଳନ ପରିଚାଳନାରେ ଉତ୍ତରାଖଣ୍ଡ ଦେଶରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବାରୁ ସେଠାକାର ଅଭିଜ୍ଞତା, ବୈଷୟିକ ଦକ୍ଷତା ଓ ନୂତନ ଉଦ୍ଭାବନ ଓଡ଼ିଶା ପାଇଁ ଅତ୍ୟନ୍ତ ଉପଯୋଗୀ ହେବ। ଓସଡମା ଦଳ ଏହାକୁ ଅନୁଧ୍ୟାନ କରି ଓଡ଼ିଶାର ଆବଶ୍ୟକତା ଅନୁଯାୟୀ କାର୍ଯ୍ୟକାରୀ କରିବାକୁ ପଦକ୍ଷେପ ନେବ।

ଅନ୍ୟପକ୍ଷରେ ଉତ୍ତରାଖଣ୍ଡ ବିପର୍ଯ୍ୟୟ ପରିଚାଳନା ସଚିବ ବିନୋଦ କୁମାର ସୁମନ କହିଛନ୍ତି ଯେ, ଉଭୟ ଓଡ଼ିଶା ଓ ଉତ୍ତରାଖଣ୍ଡ ପ୍ରାକୃତିକ ବିପର୍ଯ୍ୟୟ ପ୍ରବଣ ରାଜ୍ୟ ହୋଇଥିବାରୁ ପରସ୍ପର ମଧ୍ୟରେ ଜ୍ଞାନ, ଅଭିଜ୍ଞତା ଓ ପ୍ରଯୁକ୍ତିବିଦ୍ୟାର ବିନିମୟ ଅତ୍ୟନ୍ତ ଜରୁରୀ।
ଏହି ପଦକ୍ଷେପକୁ ସ୍ବାଗତ କରି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ  କହିଛନ୍ତି, ଉତ୍ତରାଖଣ୍ଡ ଭଳି ପାହାଡ଼ିଆ ରାଜ୍ୟର ଅଭିଜ୍ଞତା ଓ ଆଧୁନିକ ଜ୍ଞାନକୌଶଳକୁ ଆପଣାଇ ଓଡ଼ିଶାରେ ଏକ ସୁଦୃଢ଼ ଭୂସ୍ଖଳନ ପରିଚାଳନା ବ୍ୟବସ୍ଥା ଗଢ଼ି ତୋଳାଯିବ।

ଏହି ବୈଠକରେ ୟୁଏସଡିଏମଏର ଅତିରିକ୍ତ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ପ୍ରଶାସନ) ପ୍ରକାଶ ଚନ୍ଦ୍ର, ଅତିରିକ୍ତ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (କାର୍ଯ୍ୟାନ୍ବୟନ) ତଥା ଡିଆଇଜି ରାଜକୁମାର ନେଗୀ, ଯୁଗ୍ମ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଦିନେଶ କୁମାର ପୁନେଠା, ଓସଡମା ମହାପ୍ରବନ୍ଧକ ଅମ୍ବିକା ପ୍ରସାଦ ମିଶ୍ର, ଷ୍ଟ୍ରକ୍ଚରାଲ ମିଟିଗେସନ ବିଶେଷଜ୍ଞ ତଥା ଯନ୍ତ୍ରୀ ସରୋଜ କୁମାର ମହାପାତ୍ର, ରାଜ୍ୟ ପ୍ରକଳ୍ପ ପରିଚାଳକ ମେଘନାଦ ଏବଂ ୟୁଏସଡିଏମଏର ବରିଷ୍ଠ ବିଶେଷଜ୍ଞମାନେ ଉପସ୍ଥିତ ଥିଲେ।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button