Leh Ladakh News: ଲଦାଖ ପ୍ରସଙ୍ଗରେ ୱାଙ୍ଗଚୁକଙ୍କ ଚେତାବନୀ, ଅକ୍ଟୋବର ୨ ସୁଦ୍ଧା ନିଷ୍ପତ୍ତି ନ ହେଲେ ବିକ୍ଷୋଭ

ନୂଆଦିଲ୍ଲୀ,୨୮/୦୯: ଲଦାଖକୁ ରାଜ୍ୟ ମାନ୍ୟତା ଏବଂ ଷଷ୍ଠ ଅନୁସୂଚୀରେ ସାମିଲ କରିବା ଦାବିରେ ପରିବେଶକର୍ମୀ ସୋନମ ୱାଙ୍ଗଚୁକ ଅକ୍ଟୋବର ୨ ପର୍ଯ୍ୟନ୍ତ ସରକାରଙ୍କୁ ସମୟ ଦେଇଛନ୍ତି। ଏହି ମାମଲାରେ ସରକାର କୌଣସି ପଦକ୍ଷେପ ନ ନେଲେ ସେ ପୁଣି ଶାନ୍ତିପୂର୍ଣ୍ଣ ଢଙ୍ଗରେ ବିକ୍ଷୋଭ ପ୍ରଦର୍ଶନ କରିବେ ବୋଲି ଚେତାବନୀ ଦେଇଛନ୍ତି। ଗତ ବର୍ଷ ସେପ୍ଟେମ୍ବର ୨୪ରେ ହୋଇଥିବା ହିଂସା ପରେ ତାଙ୍କୁ ଗିରଫ କରିବାକୁ ବର୍ଷେ ପୂରିବା ଅବସରରେ ସେ ଏହା କହିଛନ୍ତି।
ୱାଙ୍ଗଚୁକ କହିଛନ୍ତି, ସ୍ଥାନୀୟ ଲୋକଙ୍କ ପରାମର୍ଶ ବିନା ସରକାର ନୀତିଗତ ଫଇସଲା ନେଉଛନ୍ତି। ଜମି, ଔଦ୍ୟୋଗିକ ନୀତି, ପର୍ଯ୍ୟଟନ ନୀତି କିମ୍ବା ସ୍ଥାନୀୟ ଶାସନ ସହ ଜଡ଼ିତ ସମସ୍ତ ନୀତିଗତ ନିଷ୍ପତ୍ତି ଆଗୁଆ କରାଯାଉଛି। ଯଦି ଏ ସବୁ ଏବେଠାରୁ ସ୍ଥିର କରାଯିବ ତେବେ ଗଣତାନ୍ତ୍ରିକ ଢାଞ୍ଚା ପାଇଁ ଆଉ କ’ଣ ବାକି ରହିବ ?
ସେହିପରି ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ସିଜେପି ପକ୍ଷରୁ ଅକ୍ଟୋବରରେ ହେବାକୁ ଥିବା ବିକ୍ଷୋଭକୁ ମଧ୍ୟ ୱାଙ୍ଗଚୁକ ସମର୍ଥନ କରିଛନ୍ତି। ଦେଶର ନାଗରିକଙ୍କ ପ୍ରତି ନିର୍ବାଚନ କମିଶନଙ୍କ ଉତ୍ତରଦାୟିତ୍ବ ରହିବା ଏବଂ ନିର୍ବାଚନ ପ୍ରକ୍ରିୟାକୁ ପାରଦର୍ଶିତାପୂର୍ଣ୍ଣ କରିବା ଲାଗି ହେଉଥିବା ଯେ କୌଣସି ଉଦ୍ୟମକୁ ସେ ସମର୍ଥନ କରନ୍ତି ବୋଲି କହିଛନ୍ତି।
ସୌଜନ୍ୟ ପ୍ରମେୟ




