ରାଜ୍ୟ

ସୃଷ୍ଟି ହେଲା ଲଘୁଚାପ ; ଦକ୍ଷିଣ-ପଶ୍ଚିମରେ ପ୍ରବଳ ବର୍ଷିବ

ଭୁବନେଶ୍ୱର : ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହୋଇଛି। ଆସନ୍ତା ଦୁଇଦିନ ପର୍ଯ୍ୟନ୍ତ ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାର ଜିଲାଗୁଡ଼ିକରେ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ କଳାହାଣ୍ଡି, ନରବଙ୍ଗପୁର ଏବଂ କୋରାପୁଟ ଜିଲାର କିଛି ଅଞ୍ଚଳରେ ବିଜୁଳି ଘଡ଼ଘଡ଼ି ସହ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗ ପକ୍ଷରୁ ଅରେଞ୍ଜ ୱାର୍ଣ୍ଣିଂ ଦିଆଯାଇଛି। ନୂଆପଡ଼ା, ବଲାଙ୍ଗିର, କନ୍ଧମାଳ, ରାୟଗଡ଼ା, ମାଲକାନଗିରି, ଗଜପତି ଏବଂ ଗଞ୍ଜାମ ଜିଲାର କିଛି ଅଞ୍ଚଳରେ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି। ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ସୁବର୍ଣ୍ଣପୁର, ବୌଦ୍ଧ, ପୁରୀ, ଖୋରଧା ଏବଂ ନୟାଗଡ଼ ଜିଲାକୁ ବିଜୁଳି ଘଡ଼ଘଡ଼ି ସହ ବର୍ଷା ନେଇ ସତର୍କ ସୂଚନା ଦିଆଯାଇଛି।
ପାଣିପାଗ ବିଶେଷଜ୍ଞ ଶରତ ସାହୁ କହିଛନ୍ତି, ସୃଷ୍ଟ ଲଘୁଚାପ ପ୍ରଭାବରେ ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାର ଜିଲାଗୁଡ଼ିକରେ ବର୍ଷା ପରିମାଣ ବଢ଼ିବ। ୧୨ ତାରିଖ ବେଳକୁ ବର୍ଷା ପରିମାଣ ଓଡ଼ିଶାରେ କମିଯିବ। କିନ୍ତୁ ୨୧ ତାରିଖ ମଧ୍ୟରେ ପୁଣି ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ହେଲେ ଏହା ଉପରେ ଏବେଠାରୁ ସ୍ପଷ୍ଟ ଆକଳନ କରାଯାଇପାରିବ ନାହିଁ।
ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ଉତ୍ତର ବଙ୍ଗୋପସାଗରରେ ଲଘୁଚାପ ଏବେ ସକ୍ରିୟ ରହିଛି। ଏହା ଲଘୁଚାପ ଭାବରେ ରହିବ କିମ୍ବା ସୁଦୃଶ୍ୟ ଲଘୁଚାପ ହେବାର ସମ୍ଭାବନା ଅଧିକ। କିନ୍ତୁ ଅବପାତ ହେବାର ସ୍ପଷ୍ଟ ସଙ୍କେତ ଏପର୍ଯ୍ୟନ୍ତ ନାହିଁ। ଲଘୁଚାପଟି ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗକୁ ଯାଇ ପଶ୍ଚିମବଙ୍ଗ-ଝାଡ଼ଖଣ୍ଡ ଓ ଉତ୍ତର ଓଡ଼ିଶା ଉପରେ ଅଧିକ ପ୍ରଭାବ ପକାଇପାରେ। ପରେ ଏହାର ପ୍ରଭାବ ଛତିଶଗଡ଼ ଓ ମଧ୍ୟ ଭାରତ ଆଡ଼କୁ ପଡିପାରେ। ୧୦ ଓ ୧୧ ତାରିଖ ଓଡ଼ିଶା ପାଇଁ ମୁଖ୍ୟ ବର୍ଷା ଦିନ ହୋଇପାରେ। ଉତ୍ତର ଓ ଉପକୂଳ ଓଡ଼ିଶାରେ ବର୍ଷା ଅଧିକ ହେବାର ସମ୍ଭାବନା ରହିଛି। ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା ସହ କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। ପରେ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାର କେତେକ ଅଞ୍ଚଳରେ ମଧ୍ୟ ବର୍ଷା ବଢ଼ିପାରେ। ୧୭ରୁ ୨୧ ତାରିଖ ମଧ୍ୟରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ଏବଂ ପରେ ଆଉ ଏକ ଲଘୁଚାପ ସୃଷ୍ଟି ହୋଇପାରେ। ଏହା ସୃଷ୍ଟି ହେଲେ ଓଡ଼ିଶାରେ ପୁଣି ଏକ ବର୍ଷା ପର୍ଯ୍ୟାୟ ଆସିପାରେ। କିନ୍ତୁ ଏବେଠାରୁ ଏହାର ସୃଷ୍ଟି ସମୟ, ସ୍ଥାନ, ଶକ୍ତି ଓ ଗତିପଥ ନିଶ୍ଚିତ କରିବା ବହୁତ ଆଗୁଆ ହେବ ବୋଲି ସେ ସ୍ପଷ୍ଟ କରିଛନ୍ତି।

 

 

 

 

 

 

ସୌଜନ୍ୟ ସମାଜ

Show More

Leave a Reply

Your email address will not be published. Required fields are marked *

Back to top button