ମୁମ୍ବାଇ: ୨୦୦୬ ମାଲେଗାଓଁ ବିସ୍ଫୋରଣ ମାମଲାରେ ବମ୍ବେ ହାଇକୋର୍ଟ ସମସ୍ତ ୪ ଅଭିଯୁକ୍ତଙ୍କୁ ଦୋଷମୁକ୍ତ କରିଛନ୍ତି। ପ୍ରମାଣ ଅଭାବରୁ ଦୁଇ ଦଶନ୍ଧି ତଳର ଏହି ମାମଲାରୁ ସମସ୍ତ ଅଭିଯୁକ୍ତ ଦୋଷମୁକ୍ତ ହୋଇଛନ୍ତି। ଏହାସହିତ ସେମାନଙ୍କ ବିରୋଧରେ ଚାର୍ଜଫ୍ରେମ୍ ପାଇଁ ସ୍ବତନ୍ତ୍ର ଅଦାଲତର ଆଦେଶକୁ ହାଇକୋର୍ଟ ରଦ୍ଦ କରିଦେଇଛନ୍ତି।
ମୁଖ୍ୟ ବିଚାରପତି ଚନ୍ଦ୍ରଶେଖର ଓ ବିଚାରପତି ଶ୍ୟାମ ଚଣ୍ଡକଙ୍କ ଦୁଇଜଣିଆ ଖଣ୍ଡପୀଠ, ଚାରି ଅଭିଯୁକ୍ତ ଯଥା ରାଜେନ୍ଦ୍ର ଚୌଧୁରୀ, ଧନ ସିଂହ, ମନୋହର ରାମ ସିଂହ ନରୱାରିଆ ଓ ଲୋକେଶ ଶର୍ମାଙ୍କ ଦ୍ୱାରା ଦାଖଲ ଆବେଦନକୁ ମଞ୍ଜୁର କରିଛନ୍ତି। ଏହି ଚାରି ଜଣ ବିଶେଷ ଅଦାଲତ ଦ୍ୱାରା ଦିଆଯାଇଥିବା ରାୟକୁ ଚ୍ୟାଲେଞ୍ଜ କରିଥିଲେ। ଏହି ଚାରି ଅଭିଯୁକ୍ତଙ୍କ ବିରୋଧରେ ଭାରତୀୟ ଦଣ୍ଡ ସଂହିତା (ଆଇପିସି) ଅନୁଯାୟୀ ହତ୍ୟା ଓ ଆପରାଧିକ ଷଡ୍ଯନ୍ତ୍ର ସହ ବିଭିନ୍ନ ଧାରା ଲାଗୁ କରାଯାଇଥିଲା। ଏଥିସହ ଗୁରୁତର ଅପରାଧ ସମ୍ବନ୍ଧୀୟ ଅବୈଧ କାର୍ଯ୍ୟକଳାପ (ନିବାରଣ) ଆଇନ (ୟୁଏପିଏ) ଅଧୀନରେ ମଧ୍ୟ ଆରୋପ ଲଗାଯାଇଥିଲା। ପୂର୍ବରୁ ଅନ୍ୟ ଅଭିଯୁକ୍ତମାନେ ଦୋଷମୁକ୍ତ ହୋଇସାରିଥିବା ବେଳେ ବର୍ତ୍ତମାନ ଏହି ମାମଲାରେ କେହି ବିଚାରାଧୀନ ନାହାନ୍ତି। ଫଳରେ ପୀଡ଼ିତଙ୍କ ପରିବାରକୁ କୌଣସି ଆଶ୍ବସ୍ତି ମିଳିପାରି ନାହିଁ। ସୂଚନାଯୋଗ୍ୟ, ମାଲେଗାଓଁ ବିସ୍ଫୋରଣରେ ୩୭ ଜଣଙ୍କ ମୃତ୍ୟୁ ହୋଇଥିଲା ଓ ଶତାଧିକ ଆହତ ହୋଇଥିଲେ।
ସୂଚନାଯୋଗ୍ୟ, ୨୦୦୬ ସେପ୍ଟେମ୍ବର ୮ ତାରିଖରେ ନାସିକ ଜିଲ୍ଲାର ମାଲେଗାଓଁ ସହରରେ ଚାରିଟି ବୋମା ବିସ୍ଫୋରଣ ଘଟିଥିଲା। ଏଥିମଧ୍ୟରୁ ହାମିଦିଆ ମସଜିଦ ଓ ବଡା କବରସ୍ତାନ ପରିସର ଭିତରେ ଶୁକ୍ରବାର ନମାଜ ପରେ ୩ଟି ଓ ମୁଶାୱାରତ ଚୌକରେ ଚତୁର୍ଥ ବୋମା ବିସ୍ଫୋରଣ ହୋଇଥିଲା। ଏହି ବିସ୍ଫୋରଣରେ ୩୧ ଜଣଙ୍କ ମୃତ୍ୟୁ ଘଟିଥିଲା ଓ ୩୧୨ ଜଣ ଆହତ ହୋଇଥିଲେ। ବିସ୍ଫୋରଣ ପରେ ମହାରାଷ୍ଟ୍ର ଏଟିଏସ୍ ୯ ଜଣ ମୁସଲମାନଙ୍କୁ ଗିରଫ କରିଥିଲା। ପରେ ଜାତୀୟ ତଦନ୍ତ ଏଜେନ୍ସି (ଏନ୍ଆଇଏ) ମାମଲାର ତଦନ୍ତ କରି ବିସ୍ଫୋରଣରେ ଦକ୍ଷିଣପନ୍ଥୀ ବା ହିନ୍ଦୁ ଉଗ୍ରବାଦୀଙ୍କ ହାତ ଥିବା ଦାବି କରିଥିଲା। ଏହି ଘଟଣା ପାଇଁ ସେତେବେଳର ବିଜେପି ସାଂସଦ ପ୍ରଜ୍ଞା ସିଂହ ଠାକୁର ଏବଂ ସେବାରେ ଥିବା ସେନାର ଲେଫଟନାଣ୍ଟ କର୍ଣ୍ଣେଲ ପ୍ରସାଦ ପୁରୋହିତଙ୍କୁ ଦାୟୀ କରାଯାଇଥିଲା। ଏମାନଙ୍କ ସହ ମୋଟ ୭ ଜଣ ହିନ୍ଦୁ ଉଗ୍ରବାଦୀ ଏହି ଘଟଣାରେ ଅଭିଯୁକ୍ତ ବୋଲି କୁହାଯାଇଥଲା। ପୂର୍ବରୁ ଠାକୁର ଓ ପୁରୋହିତଙ୍କ ସହ ତିନିଜଣଙ୍କୁ ଦୋଷମୁକ୍ତ କରାଯାଇଥିଲା। ନଅ ଜଣ ମସୁଲମାନ ଅଭିଯୁକ୍ତଙ୍କୁ ସ୍ବତନ୍ତ୍ର ଅଦାଲତ ଦ୍ୱାରା ପୂର୍ବରୁ ହିଁ ଦୋଷମୁକ୍ତ କରାଯାଇଥିଲା। ଗତବର୍ଷ ସେପ୍ଟେମ୍ବର ମାସରେ ସ୍ବତନ୍ତ୍ର ଅଦାଲତ ଅବଶିଷ୍ଟ ଚାରି ଅଭିଯୁକ୍ତଙ୍କ ବିରୋଧରେ ଚାର୍ଜଫ୍ରେମ୍ କରିଥିଲେ, ଯାହାକୁ ଚ୍ୟାଲେଂଜ୍ କରି ସେମାନେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ଅଭିଯୁକ୍ତ ତାଙ୍କ ଆବେଦନରେ ଦାବି କରିଥିଲେ ଯେ ଜାତୀୟ ତଦନ୍ତ ଏଜେନ୍ସି (ଏନ୍ଆଇଏ) ସେମାନଙ୍କ ବିରୋଧରେ କୌଣସି ପ୍ରମାଣ ଉପସ୍ଥାପନରେ ବିଫଳ ହୋଇଛି।