Minor Girl Murder: ବାହାରେ ସ୍ତ୍ରୀ ୩ ଛୁଆଙ୍କୁ ନେଇ ଖଟୁଛି ଦାଦନ, ଗାଁରେ ସ୍ବାମୀ ନାବାଳିକା ସହ କଲା ଏମିତି କାଣ୍ଡ !
ଗଞ୍ଜାମ ଜିଲ୍ଲା ଜରଡ଼ା ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ହତ୍ୟା କରାଯାଇଛି। ସ୍ତ୍ରୀ ଦାଦନ ଖଟିବାକୁ ଯାଇଥିବା ବେଳେ ଅଭିଯୁକ୍ତ ଅଜୟ ନାୟକ ନାବାଳିକାଙ୍କୁ ପ୍ରେମ ଜାଲରେ ଫସାଇ ଘରେ ରଖିଥିଲା। ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିଛି।

ଗଞ୍ଜାମ:ବ୍ରହ୍ମପୁର ପୁଲିସ ଜରଡ଼ା ଥାନା ଅଞ୍ଚଳରେ ଏକ ଅତ୍ୟନ୍ତ ଲୋମହର୍ଷଣକାରୀ ଘଟଣା ସାମ୍ନାକୁ ଆସିଛି। ଜଣେ ବିବାହିତ ବ୍ୟକ୍ତି ସ୍ତ୍ରୀ ଦାଦନ ଖଟିବାକୁ ଯାଇଥିବା ବେଳେ ଜଣେ ନାବାଳିକାଙ୍କୁ ପ୍ରେମ ଜାଲରେ ଫସାଇ ଘରେ ରଖିଥିଲେ ଏବଂ ଶେଷରେ ତାଙ୍କୁ ନିର୍ମମ ଭାବେ ହତ୍ୟା କରିଥିବା ଅଭିଯୋଗ ହୋଇଛି।
ଅଭିଯୁକ୍ତ ଅଜୟ ନାୟକଙ୍କ ପତ୍ନୀ ନିଜର ୩ଟି କୁନି ଝିଅଙ୍କୁ ସାଙ୍ଗରେ ନେଇ ବାହାର ରାଜ୍ୟରେ ଦାଦନ ଖଟୁଥିଲେ। ଏହି ସୁଯୋଗର ଫାଇଦା ଉଠାଇ ଅଜୟ ଗାଁର ଜଣେ ନାବାଳିକାଙ୍କୁ ପ୍ରେମ ଜାଲରେ ଫସାଇ ଦୀର୍ଘ ୪ ମାସ ହେବ ନିଜ ଘରେ ରଖିଥିଲେ। ରବିବାର ଦିନ ଉଭୟଙ୍କ ମଧ୍ୟରେ କୌଣସି କଥାକୁ ନେଇ ପ୍ରବଳ କଳି ହୋଇଥିଲା। ଏଥିରେ ଉତକ୍ଷିପ୍ତ ହୋଇ ଅଜୟ ଏକ ଠେଙ୍ଗାରେ ନାବାଳିକାଙ୍କୁ ନିର୍ଦ୍ଦୟ ଭାବେ ପିଟିଥିଲେ, ଯାହା ଫଳରେ ତାଙ୍କର ମୃତ୍ୟୁ ହୋଇଥିଲା।
ସୋମବାର ସକାଳେ ଅଜୟଙ୍କ ଘରୁ ନାବାଳିକାଙ୍କ କ୍ଷତବିକ୍ଷତ ଶବ ଜବତ କରିବା ପରେ ପୁଲିସ ବ୍ୟବଚ୍ଛେଦ ପାଇଁ ଏମକେସିଜି (MKCG) ମେଡ଼ିକାଲକୁ ପଠାଇଛି। ଜରଡ଼ା ପୁଲିସ ଅଭିଯୁକ୍ତ ଅଜୟ ନାୟକଙ୍କୁ ଗିରଫ କରିଛି। ଜରଡ଼ା ଥାନା ଆଇଆଇସି ମାନସୀ ଦଳବେହେରାଙ୍କ ସୂଚନା ଅନୁଯାୟୀ, ଅଭିଯୁକ୍ତଙ୍କୁ ପଚରାଉଚରା ଜାରି ରହିଛି ଏବଂ ଆସନ୍ତା ମଙ୍ଗଳବାର ତାଙ୍କୁ କୋର୍ଟ ଚାଲାଣ କରାଯିବ। ପରିବାର ଲୋକଙ୍କ କହିବା ଅନୁଯାୟୀ ନାବାଳିକାଙ୍କ ବୟସ ପ୍ରାୟ ୧୭ ବର୍ଷ। ତାଙ୍କର କୌଣସି ଜନ୍ମଗତ ପ୍ରମାଣପତ୍ର ନଥିବାରୁ ପୁଲିସ ଘଟଣାର ଅଧିକ ତଦନ୍ତ କରୁଛି।
ଏକ ନାବାଳିକାଙ୍କୁ ହତ୍ୟା କରିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି।
ସୌଜନ୍ୟ Prameya News7




