Teachers for ‘Shishu Vatika’: ‘ଶିଶୁ ବାଟିକା’ ପାଇଁ ୭,୩୪୪ ଶିକ୍ଷକ ନିଯୁକ୍ତ କରିବେ ସରକାର, ଦରମା ମାସିକ ୨୭,୨୦୦ ଟଙ୍କା
ଓଡ଼ିଶାର ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଖାଲି ପଡ଼ିଥିବା 'ଶିଶୁ ବାଟିକା' ପାଇଁ ୭,୩୪୪ ଜଣ ଶିକ୍ଷକ ନିଯୁକ୍ତ ହେବେ। ପ୍ରତି ଶିକ୍ଷକଙ୍କୁ ମାସିକ ୨୭,୨୦୦ ଟଙ୍କା ପାରିଶ୍ରମିକ ମିଳିବ। ଏଥିପାଇଁ ଅର୍ଥ ବିଭାଗ ଅନୁମୋଦନ ଦେଇଛି।

ଭୁବନେଶ୍ୱର:ରାଜ୍ୟର ଶିକ୍ଷା ବ୍ୟବସ୍ଥାରେ ଏକ ବଡ଼ ପରିବର୍ତ୍ତନ ଆଣିବାକୁ ଯାଉଛନ୍ତି ରାଜ୍ୟ ସରକାର। ରାଜ୍ୟର ସରକାରୀ ପ୍ରାଥମିକ ବିଦ୍ୟାଳୟଗୁଡ଼ିକରେ ଚାଲିଥିବା ‘ଶିଶୁ ବାଟିକା’ ପାଇଁ ସରକାର ୭ ହଜାର ୩୪୪ ଜଣ ଶିକ୍ଷକ ନିଯୁକ୍ତ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ଅର୍ଥ ବିଭାଗ ପକ୍ଷରୁ ମିଳିଛି ସବୁଜ ସଙ୍କେତ ।
ରାଜ୍ୟର ବିଭିନ୍ନ ଜିଲ୍ଲାରେ ମୋଟ ୭,୩୪୪ଟି ଶିକ୍ଷକ ପଦବି ପୂରଣ କରାଯିବ। ପ୍ରତି ନିଯୁକ୍ତ ଶିକ୍ଷକଙ୍କୁ ମାସିକ୨୭,୨୦୦ ଟଙ୍କାଦରମା ପ୍ରଦାନ କରାଯିବ। ଏହି ନିଯୁକ୍ତି ପାଇଁ ସମଗ୍ର ଶିକ୍ଷା ପାଣ୍ଠିରୁ ବାର୍ଷିକ ପ୍ରାୟ୨୨୭ କୋଟି ୫୩ ଲକ୍ଷ ୭୯ ହଜାର ୨୦୦ ଟଙ୍କାଖର୍ଚ୍ଚ ହେବ।
ରାଜ୍ୟରେ ଏହି ନୀତିକୁ କାର୍ଯ୍ୟକାରୀ କରିବା ଏବଂ ‘ପ୍ରାରମ୍ଭିକ ଶିଶୁ ଯତ୍ନ ଓ ଶିକ୍ଷା’ (ECCE) କୁ ଅଧିକ ସୁଦୃଢ଼ କରିବା ପାଇଁ ଏହି ଶିକ୍ଷକ ପଦବି ସୃଷ୍ଟି କରାଯାଇଛି। ଅଙ୍ଗନବାଡ଼ି ପରେ ସିଧା ପ୍ରଥମ ଶ୍ରେଣୀକୁ ନ ଯାଇ, ଶିଶୁମାନେ ଯେପରି ଶିଶୁ ବାଟିକାରେ ଉପଯୁକ୍ତ ଶିକ୍ଷା ଓ ଯତ୍ନ ପାଇପାରିବେ, ସେଥିପାଇଁ ଶିକ୍ଷକଙ୍କୁ ଗୁରୁତ୍ୱ ଦିଆଯାଇଛି।
ଅର୍ଥ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ, ଏହି ନିଯୁକ୍ତି ପ୍ରକ୍ରିୟା ସରକାରଙ୍କ ନିର୍ଦ୍ଧାରିତ ମାର୍ଗଦର୍ଶିକା ଏବଂ ‘ସମଗ୍ର ଶିକ୍ଷା’ ବଜେଟ୍ ଅନୁଯାୟୀ ହେବ। ନିର୍ଦ୍ଧାରିତ ବଜେଟ୍ ବ୍ୟତୀତ ଅଧିକ ଖର୍ଚ୍ଚ କରିବାକୁ ହେଲେ ପୂର୍ବରୁ ଅନୁମତି ନେବାକୁ ପଡ଼ିବ।
ରାଜ୍ୟର ପ୍ରାୟ ୪୫ ହଜାର ବିଦ୍ୟାଳୟରେ ଶିଶୁ ବାଟିକା ଚାଲୁଥିବା ବେଳେ, ଏହି ନୂତନ ଶିକ୍ଷକ ନିଯୁକ୍ତି ପିଲାଙ୍କ ଶିକ୍ଷାଦାନ କ୍ଷେତ୍ରରେ ସହାୟକ ହେବ ବୋଲି ଆଶା କରାଯାଉଛି।
ସୌଜନ୍ୟ Prameya News7




