ବ୍ରସେଲ୍ସ/ୱାସିଂଟନ: ପଶ୍ଚିମ ରାଷ୍ଟ୍ରଙ୍କ ସୁରକ୍ଷା ସଙ୍ଗଠନ ‘ନାଟୋ’ର ମୂଳଦୁଆ ଏବେ ଦୋହଲିବାରେ ଲାଗିଛି। ଇରାନ ବିରୋଧରେ ଚାଲିଥିବା ଆମେରିକାର ଯୁଦ୍ଧ ପ୍ରୟାସକୁ ସମର୍ଥନ କରୁଥିବା ଏବଂ ବିରୋଧ କରୁଥିବା ଦେଶଗୁଡ଼ିକୁ ନେଇ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ‘ନଟି ଆଣ୍ଡ୍ ନାଇସ୍’ (ଅସହଯୋଗୀ ଏବଂ ଆଦର୍ଶ ସହଯୋଗୀ) ତାଲିକା ପ୍ରସ୍ତୁତ କରୁଥିବା ରିପୋର୍ଟ ପ୍ରକାଶ ପାଇଛି। ‘ପଲିଟିକୋ’ ରିପୋର୍ଟ ଅନୁଯାୟୀ, ୟୁରୋପୀୟ କୂଟନୀତିଜ୍ଞ ଏବଂ ଆମେରିକାର ଜଣେ ପ୍ରତିରକ୍ଷା ଅଧିକାରୀଙ୍କ ସୂତ୍ରରୁ ଜଣାପଡ଼ିଛି ଯେ, ଆମେରିକାର କାର୍ଯ୍ୟାନୁଷ୍ଠାନରେ ବାଧା ସୃଷ୍ଟି କରୁଥିବା ଦେଶଗୁଡ଼ିକୁ ଦଣ୍ଡିତ କରିବା ଏବଂ ‘ଆଦର୍ଶ ସହଯୋଗୀ’ ଦେଶଗୁଡ଼ିକୁ ପୁରସ୍କୃତ କରିବା ପାଇଁ ପ୍ରଶାସନ ପ୍ରସ୍ତୁତି ଚଳାଇଛି। ଏହି ପଦକ୍ଷେପ ନାଟୋର ପାରମ୍ପରିକ ନିୟମକୁ ସମ୍ପୂର୍ଣ୍ଣ ରୂପେ ବଦଳାଇ ଦେଇଛି, ଯେଉଁଠାରେ ଏବେ କେବଳ ଆମେରିକା ପ୍ରତି ବିଶ୍ୱସ୍ତ ରହୁଥିବା ଦେଶଗୁଡ଼ିକୁ ହିଁ ସାମରିକ ସୁରକ୍ଷା ଓ ପ୍ରତିରକ୍ଷା ଜ୍ଞାନକୌଶଳ ଯୋଗାଇ ଦିଆଯିବ।
ଏହି ‘ନଟି’ ବା ଖଳ
ତାଲିକାର ଆଗଧାଡ଼ିରେ ସ୍ପେନ୍, ଫ୍ରାନ୍ସ ଏବଂ ଇଟାଲୀ ରହିଛନ୍ତି, ଯେଉଁମାନେ କି ଟ୍ରମ୍ପଙ୍କ ମଧ୍ୟପ୍ରାଚ୍ୟ ନୀତିର ଘୋର ସମାଲୋଚନା କରିଛନ୍ତି। ସ୍ପେନ ସିଧାସଳଖ ଭାବେ ଆମେରିକାର ଯୁଦ୍ଧ ବିମାନଗୁଡ଼ିକୁ ନିଜ ଆକାଶମାର୍ଗ ଏବଂ ସାମରିକ ଘାଟି ବ୍ୟବହାର କରିବାକୁ ମନା କରିଦେଇଛି। ସେହିପରି ଫ୍ରାନ୍ସ ଏବଂ ବ୍ରିଟେନ ହର୍ମୁଜ ପ୍ରଣାଳୀରେ ଆମେରିକାର ନୌସେନା ଅବରୋଧକୁ ବିରୋଧ କରିଛନ୍ତି। ସେମାନଙ୍କ ଯୁକ୍ତି ଅନୁଯାୟୀ, ଏହି ଅବରୋଧ ଆନ୍ତର୍ଜାତୀୟ ସାମୁଦ୍ରିକ ଆଇନର ଉଲ୍ଲଂଘନ କରୁଛି ଏବଂ ବିଶ୍ୱ ଶକ୍ତି ବଜାରକୁ ସମ୍ପୂର୍ଣ୍ଣ ନଷ୍ଟ କରିଦେବାର ବିପଦ ରହିଛି। ଅନ୍ୟପଟେ, ପୋଲାଣ୍ଡ ଏବଂ ରୋମାନିଆ ଭଳି ଦେଶଗୁଡ଼ିକ ଆମେରିକା ପ୍ରତି ନିଜର ଅକୁଣ୍ଠ ସମର୍ଥନ ଜାରି ରଖିଥିବାରୁ ସେମାନଙ୍କୁ ‘ନାଇସ୍’ ବା ସହଯୋଗୀ ତାଲିକାରେ ରଖାଯାଇଛି। ପେଣ୍ଟାଗନ ଏବେ ଜର୍ମାନୀ କିମ୍ବା ସ୍ପେନ୍ରୁ ଆମେରିକୀୟ ସୈନ୍ୟ ପ୍ରତ୍ୟାହାର କରି
ସେମାନଙ୍କୁ ପୋଲାଣ୍ଡରେ ସ୍ଥାୟୀ ଭାବେ ନିୟୋଜିତ କରିବାକୁ ବିଚାର କରୁଛି।
ଆମେରିକାର ନୂତନ ଜାତୀୟ ପ୍ରତିରକ୍ଷା ରଣନୀତିରେ ମଧ୍ୟ ଏହି ପରିବର୍ତ୍ତନକୁ ଗୁରୁତ୍ୱ ଦିଆଯାଇଛି, ଯେଉଁଠାରେ କେବଳ ସେହି ଦେଶମାନଙ୍କୁ ପ୍ରାଥମିକତା ଦିଆଯିବ ଯେଉଁମାନେ ଆମେରିକାର ନେତୃତ୍ୱକୁ ଗ୍ରହଣ କରିବେ। ଟ୍ରମ୍ପ ପୂର୍ବରୁ ମଧ୍ୟ ନାଟୋରୁ ଓହରିଯିବାକୁ ଧମକ ଦେଇଥିଲେ। ଏହି ନୂତନ ତାଲିକା ଜରିଆରେ ଆମେରିକା ଇଉରୋପୀୟ ଦେଶଗୁଡ଼ିକ ଉପରେ ଚାପ ପକାଇବାକୁ ଚାହୁଁଛି। ଯେଉଁ ଦେଶଗୁଡ଼ିକ ଆମେରିକାକୁ ସହଯୋଗ କରିବେ ନାହିଁ, ସେମାନଙ୍କୁ ଏଫ୍-୩୫ ଯୁଦ୍ଧ ବିମାନ ଭଳି ଅତ୍ୟାଧୁନିକ ଜ୍ଞାନକୌଶଳ ବିକ୍ରି କରିବା ଉପରେ ପ୍ରତିବନ୍ଧକ ଲଗାଯାଇପାରେ। ବର୍ତ୍ତମାନ ଏହି ସ୍ଥିତି ଯୋଗୁଁ ଆମେରିକା ଏବଂ ତାର ପାରମ୍ପରିକ ୟୁରୋପୀୟ ସହଯୋଗୀଙ୍କ ମଧ୍ୟରେ ଫାଟ ଅଧିକ ଚଉଡ଼ା ହେବାରେ ଲାଗିଛି।
ସୌଜନ୍ୟ ସମ୍ବାଦ