ଦେଶ ବିଦେଶ

Ebola terror in Africa: ଆଫ୍ରିକାରେ ଇବୋଲା ଆତଙ୍କ: ସ୍ଥିତି ସମୀକ୍ଷା କଲା ଭାରତ

ନୂଆଦିଲ୍ଲୀ: ଆଫ୍ରିକାର କିଛି ଅଂଶରେ ଏବେ ଇବୋଲା ଭାଇରସ୍‌ ଆତଙ୍କ ଖେଳାଇଛି। ଏହି ସ୍ବାସ୍ଥ୍ୟ ସମସ୍ୟାକୁ ନେଇ ସାରା ବିଶ୍ବରେ ଚିନ୍ତା ପ୍ରକଟ କରାଯାଇଛି। ଭାରତ ସରକାର ମଧ୍ୟ ଉପୁଜିଥିବା ସ୍ଥିତି ଉପରେ କଡ଼ା ନଜର ରଖିଛନ୍ତି। ଦେଶରେ ଏହି ଭାଇରସ୍‌ର ସମ୍ଭାବ୍ୟ ପ୍ରବେଶକୁ ଏଡ଼ାଇବା ପାଇଁ ନିରୀକ୍ଷଣ ଉପରେ ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ଗୁରୁତ୍ବାରୋପ କରିଛନ୍ତି। ସ୍ବାସ୍ଥ୍ୟ ମନ୍ତ୍ରାଳୟ ଅଧିକାରୀମାନେ କହିଛନ୍ତି, ଏନ୍‌ସିଡିସି (ନ୍ୟାସନାଲ ସେଣ୍ଟର ଫର୍ ଡିଜିଜ୍ କଣ୍ଟ୍ରୋଲ୍) ବାସ୍ତବ ସ୍ଥିତିକୁ ଅତି ଭଲଭାବେ ଯାଞ୍ଚ କରୁଛି ଏବଂ ଦେଶରେ କୌଣସିି ପ୍ରକାର ସମ୍ଭାବ୍ୟ ଇବୋଲା ମାମଲା ଚିହ୍ନଟ ହେଲେ ତାହାକୁ କିଭଳି ମୁକାବିଲା କରାଯିବ ସେ ନେଇ ପ୍ରସ୍ତୁତି ସଂପର୍କରେ ଆକଳନ ପାଇଁ ଏକ ସମୀକ୍ଷା ବୈଠକ ହୋଇଛି। ଇବୋଲା ଅତି ସାଂଘାତିକ ଓ ଘାତକ ଭୂତାଣୁ। ଏହି ଭାଇରସ୍‌ ସଂକ୍ରମିତ ଲୋକ ଓ ପଶୁମାନଙ୍କର ରକ୍ତ, ଶରୀରର ବିଭିନ୍ନ ତରଳ ପଦାର୍ଥ ଏବଂ ଟିସୁ ସହ ସିଧାସଳଖ ସଂସ୍ପର୍ଶରେ ଆସି‌ଲେ ବ୍ୟାପି ଥାଏ।

ଉଲ୍ଲେଖଯୋଗ୍ୟ, ଉଗାଣ୍ଡା ଓ ଡେମୋକ୍ରାଟିକ୍‌ ରିପବ୍ଲିକ୍‌ ଅଫ୍‌ କଙ୍ଗୋରେ ୩୦୦ରୁ ଅଧିକ ଇବୋଲା ସନ୍ଦିଗ୍ଧ ମାମଲା ଚିହ୍ନଟ ହେଲାଣି। ଏମାନଙ୍କ ମଧ୍ୟରୁ ପାଖାପାଖି ୯୦ ଲୋକଙ୍କର ମୃତ୍ୟୁ ହେବା ପରେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ହୁ) ଏହାକୁ ଜନସ୍ବାସ୍ଥ୍ୟ ପାଇଁ ଅନ୍ତର୍ଜାତୀୟ ସ୍ତରରେ ଏକ ଚିନ୍ତାର ବିଷୟ ବୋଲି ଘୋଷଣା କରିଛି। ଇବୋଲାରେ ସଂକ୍ରମିତ ହେଲେ କ୍ଳାନ୍ତି ଅନୁଭବ ହୋଇଥାଏ। ଏଥିସହିତ ପ୍ରବଳ ଜ୍ବର, ମାଂସପେଶୀରେ ଯନ୍ତ୍ରଣା, ମୁଣ୍ଡବିନ୍ଧା, ଗଳାରେ ପୀଡ଼ା, ଝାଡ଼ାବାନ୍ତି ଓ ପେଟରେ ଯନ୍ତ୍ରଣା, ଯକୃତ, ବୃକକ୍‌ ଆଦିରେ ସମସ୍ୟା ଦେଖାଦେଇଥାଏ।

 

 

 

ସୌଜନ୍ୟ ସମ୍ବାଦ

Show More
Back to top button