Odisha: ଓଡ଼ିଆଙ୍କ ପାରିଶ୍ରମିକ ସବୁଠୁ କମ୍: ଦିନକୁ ୨୯୨ ଟଙ୍କା, ଦିନ ମଜୁରିଆଙ୍କ ପାଉଣାଠୁ ବି କମ୍
ବିଶିଷ୍ଟ ଅର୍ଥନୀତିଜ୍ଞ ଇଏଫ୍ ସୁମାକର କହିଥିଲେ ‘ଛୋଟ ହେଉଛି ସୁନ୍ଦର’। ଛୋଟ ସଂସ୍ଥାଗୁଡ଼ିକ ହେଉଛି ଆମ ଅର୍ଥନୀତିର ମେରୁଦଣ୍ଡ। ଆମ ସମାଜର ଆତ୍ମା। ଦେଶର ବିଭିନ୍ନ ରାଜ୍ୟ ଭଳି ଓଡ଼ିଶାରେ ମଧ୍ୟ ଅନେକ ଛୋଟ ସଂସ୍ଥା ଗଢ଼ି ଉଠିଛି ଯାହା ଲକ୍ଷ ଲକ୍ଷ ଲୋକଙ୍କୁ ରୋଜଗାର ଦେଇଛି।

ଭୁବନେଶ୍ବର (ପ୍ରଭାତ ପଟ୍ଟନାୟକ): ବିଶିଷ୍ଟ ଅର୍ଥନୀତିଜ୍ଞ ଇଏଫ୍ ସୁମାକର କହିଥିଲେ ‘ଛୋଟ ହେଉଛି ସୁନ୍ଦର’। ଛୋଟ ସଂସ୍ଥାଗୁଡ଼ିକ ହେଉଛି ଆମ ଅର୍ଥନୀତିର ମେରୁଦଣ୍ଡ। ଆମ ସମାଜର ଆତ୍ମା। ଦେଶର ବିଭିନ୍ନ ରାଜ୍ୟ ଭଳି ଓଡ଼ିଶାରେ ମଧ୍ୟ ଅନେକ ଛୋଟ ସଂସ୍ଥା ଗଢ଼ି ଉଠିଛି ଯାହା ଲକ୍ଷ ଲକ୍ଷ ଲୋକଙ୍କୁ ରୋଜଗାର ଦେଇଛି। କିନ୍ତୁ ଏହି ସଂସ୍ଥାଗୁଡ଼ିକରେ କାମ କରୁଥିବା ଲୋକମାନଙ୍କ ଅବସ୍ଥା ନ କହିବା ଭଲ। ଦିନ ମଜୁରିଆଙ୍କଠାରୁ ମଧ୍ୟ ସେମାନେ କମ୍ ଦରମା ପାଉଛନ୍ତି। କୌଣସି ଆଇନ ଅଧୀନରେ ପଞ୍ଜୀକୃତ ହୋଇନଥିବା ଏହି ସଂସ୍ଥାଗୁଡ଼ିକରେ କାମ କରୁଥିବା ଓଡ଼ିଆମାନଙ୍କ ଦରମା ସାରା ଦେଶରେ ସବୁଠୁ କମ୍ ରହିଛି।
ଏକ ରିପୋର୍ଟ କହୁଛି ଯେ ଅଣ-ପଞ୍ଜୀକୃତ ସଂସ୍ଥାଗୁଡ଼ିକରେ କାମ କରୁଥିବା ଓଡ଼ିଆଙ୍କ ମୁଣ୍ଡପିଛା ବାର୍ଷିକ ଆୟ ହେଉଛି ମାତ୍ର ୧,୦୫,୩୩୫ ଟଙ୍କା। ଏତେ କମ୍ ପାରିଶ୍ରମିକ ଅନ୍ୟ କୌଣସି ରାଜ୍ୟର କର୍ମଚାରୀ ପାଉନାହାନ୍ତି। ଏ କ୍ଷେତ୍ରରେ ଜାତୀୟ ହାର ୧,୪୬,୫୫୦ ଟଙ୍କା ରହିିଛି। ଓଡ଼ିଆ କର୍ମଚାରୀମାନେ ତାଠାରୁ ୪୧,୨୧୫ ଟଙ୍କା କମ୍ ପାରିଶ୍ରମିକ ପାଉଛନ୍ତି। ସେମାନଙ୍କ ମାସିକ ରୋଜଗାର ହେଉଛି ୮,୭୭୭ ଟଙ୍କା। ଦୈନିକ ରୋଜଗାର ମାତ୍ର ୨୯୨ ଟଙ୍କା। ଦିନ ମଜୁରିଆଙ୍କ ପାଇଁ ସର୍ବନିମ୍ନ ଦୈନିକ ୪୦୦ ଟଙ୍କାର ମଜୁରୀ ପାଇଁ ଆଇନଗତ ବ୍ୟବସ୍ଥା ରହିଛି। କିନ୍ତୁ ଅଣ ପଞ୍ଜୀକୃତ ସଂସ୍ଥାର କର୍ମଚାରୀମାନଙ୍କ ପାଇଁ ସେଭଳି କୌଣସି ବ୍ୟବସ୍ଥା ନାହିଁ। ସେମାନେ ଦିନ ମଜୁରିଆଙ୍କଠାରୁ ମଧ୍ୟ ହୀନ।ତୁଳନାତ୍ମକ ଦୃଷ୍ଟିରୁ ଦେଖିଲେ ଉତ୍ତରାଖଣ୍ଡ (୨,୧୪,୨୩୭ ଟଙ୍କା), କେରଳ (୧,୯୮,୨୦୪ ଟଙ୍କା), ତେଲେଙ୍ଗାନା (୧,୯୦,୩୯୦ ଟଙ୍କା), ତାମିଲନାଡ଼ୁ (୧,୬୮,୦୪୭ ଟଙ୍କା) ଓ ଗୁଜରାଟ (୧,୫୩,୧୨୨)ର ଅଣ ପଞ୍ଜୀକୃତ ସଂସ୍ଥାର କର୍ମଚାରୀମାନେ ଓଡ଼ିଆଙ୍କ ତୁଳନାରେ ଯଥେଷ୍ଟ ଅଧିକ ପାରିଶ୍ରମିକ ପାଉଛନ୍ତି।
ମୁଣ୍ଡପିଛା ମାତ୍ର ୧,୦୫,୩୩୫ ଟଙ୍କା
ଜାତୀୟ ହାରଠୁ ୪୧,୨୧୫ ଟଙ୍କା କମ୍
ରାଜ୍ୟର ଅଧିକାଂଶ ଛୋଟ ଅଣ-ପଞ୍ଜୀକୃତ ସଂସ୍ଥାରେ ହାତଗଣତି ଲୋକ କାମ କରୁଛନ୍ତି। ସାରା ଦେଶରେ ଏଭଳି ଛୋଟ ସଂସ୍ଥାଗୁଡ଼ିକ ଦ୍ବାରା ସୃଷ୍ଟି ହୋଇଥିବା ମୋଟ୍ ମୂଲ୍ୟ ଯୋଗ (ଜିଭିଏ) ପ୍ରତି ଓଡ଼ିଶାର ଅବଦାନ ୨.୩ ପ୍ରତିଶତ ଭଳି ନିମ୍ନ ସ୍ତରରେ ରହିଛି। ଜାତୀୟ ଅର୍ଥନୀତି ପ୍ରତି ରାଜ୍ୟ ଅର୍ଥନୀତିର ଅବଦାନ ୩ ପ୍ରତିଶତ ପାଖାପାଖି ରହୁଥିବା ବେଳେ ଏହି କ୍ଷେତ୍ରର ଅବଦାନ ତା’ଠାରୁ ମଧ୍ୟ କମ୍ ରହିଛି। ଅନ୍ୟ ରାଜ୍ୟଗୁଡ଼ିକରେ ନିଯୁକ୍ତି ଦିଆଯାଇଥିବା ଶ୍ରମିକଙ୍କ ସଂଖ୍ୟା ମଧ୍ୟ ଅଧିକ ରହୁଛି। ସେଭଳି ଶ୍ରମିକ ସଂଖ୍ୟା ପ୍ରତି ଓଡ଼ିଶାର ଅବଦାନ ମାତ୍ର ୨.୮ ପ୍ରତିଶତ ରହିଛି।
କର୍ମଚାରୀମାନଙ୍କ କମ୍ ପାରିଶ୍ରମିକ ରାଜ୍ୟରେ ଅଣ-ପଞ୍ଜୀକୃତ କ୍ଷୁଦ୍ର ସଂସ୍ଥାଗୁଡ଼ିକର ଦୁର୍ବଳ ଆର୍ଥିକ ସ୍ଥିତିକୁ ଦର୍ଶାଉଛି। ସେମାନଙ୍କ ଉତ୍ପାଦକତା ଓ ଆୟ କମ୍ ରହୁଛି। ବଡ଼ ଶିଳ୍ପ ସହିତ ସେମାନଙ୍କ ସମ୍ପର୍କ ଅତ୍ୟନ୍ତ ଦୁର୍ବଳ। କେବଳ ନିଜସ୍ବ ଉତ୍ସରୁ ମିଳୁଥିବା ପାଣ୍ଠି ଉପରେ ସେମାନେ ନିର୍ଭର କରୁଛନ୍ତି। ଅନ୍ୟାନ୍ୟ ସଂଗଠିତ ଆର୍ଥିକ ସୁବିଧା ଓ ଅତ୍ୟାଧୁନିକ ପ୍ରଯୁକ୍ତିରୁ ସେମାନେ ସମ୍ପୂର୍ଣ୍ଣ ବଞ୍ଚିତ। ସେଥିପାଇଁ ସେମାନେ ନିଜ କାରବାରକୁ ମଧ୍ୟ ବିସ୍ତାର କରିପାରୁନାହାନ୍ତି। ଛୋଟ ଛୋଟ ଦୋକାନ, କାରଖାନା, ପରିବହନ ସଂସ୍ଥା ଓ ରେସ୍ତୋରାଁ ଭଳି ଅଣ ପଞ୍ଜୀକୃତ ସଂସ୍ଥାଗୁଡ଼ିକରେ ରାଜ୍ୟର ଲକ୍ଷ ଲକ୍ଷ ଲୋକ କାମ କରୁଛନ୍ତି। ସେମାନେ କେବଳ ଅଳ୍ପ ପାରିଶ୍ରମିକ ପାଉନାହାନ୍ତି, ବରଂ ଅନ୍ୟାନ୍ୟ ସାମାଜିକ ସୁରକ୍ଷା ବ୍ୟବସ୍ଥାରୁ ମଧ୍ୟ ବଞ୍ଚିତ।
ଏ ସମ୍ପର୍କରେ ଅଜିମ୍ ପ୍ରେମ୍ଜୀ ବିଶ୍ବବିଦ୍ୟାଳୟର ଅର୍ଥନୀତି ପ୍ରଫେସର ଡକ୍ଟର ପ୍ରଭାସ ମିଶ୍ର କହିଛନ୍ତି ଯେ ଓଡ଼ିଶାରେ ଶସ୍ତାରେ କାମ କରିବାକୁ ଲୋକ ମିଳିଯାଆନ୍ତି। ଏହି ଧାରା କାଳ କାଳ ଧରି ଚାଲିଆସିଛି। କମ୍ପାନି ନିୟମ ଅଧୀନରେ ପଞ୍ଜୀକୃତ ନ ହୋଇ କାରବାର କରୁଥିବା ସଂସ୍ଥାଗୁଡ଼ିକରେ ଲକ୍ଷ ଲକ୍ଷ ଲୋକ କାମ କରୁଛନ୍ତି। ଏହି ସଂସ୍ଥାଗୁଡ଼ିକ ପାଖରେ ଆଗକୁ ବଢ଼ିବା ପାଇଁ ପୁଞ୍ଜି ନାହିଁ। ତେଣୁ ସେମାନେ ସ୍ବଳ୍ପ ସମ୍ବଳ ଭିତରେ ଯେତିକି ସମ୍ଭବ ଲୋକମାନଙ୍କୁ ଦରମା ଦେଉଛନ୍ତି। ଯଦି ସେମାନଙ୍କ ପାଖରେ ଅଧିକ ପୁଞ୍ଜି ପହଞ୍ଚିପାରିବ କିମ୍ବା ସେମାନେ ବଡ଼ ଶିଳ୍ପ ସହ ଯୋଡ଼ି ହୋଇପାରିବେ ତେବେ ସେମାନଙ୍କ ଆୟ ବଢ଼ିବ ଓ ସେମାନେ କର୍ମଚାରୀଙ୍କୁ ଅଧିକ ଦରମା ଦେଇପାରିବେ। ଦ୍ବିତୀୟ ବିଷୟଟି ହେଉଛି ରାଜ୍ୟରେ ଏଭଳି ବହୁ ଅନୁଷ୍ଠାନ ରହିଛି ଯେଉଁମାନେ ଜାଣିଶୁଣି ଲୋକଙ୍କୁ କମ୍ ଦରମା ଦେଉଛନ୍ତି। ସେମାନଙ୍କୁ ପଞ୍ଜୀକୃତ କରାଇବା ଓ ଆଇନରେ ଥିବା ବ୍ୟବସ୍ଥା ଅନୁସାରେ ସର୍ବନିମ୍ନ ମଜୁରୀ ଦେବା ପାଇଁ ସେମାନଙ୍କୁ ସଚେତନ କରିବାର ଆବଶ୍ୟକତା ରହିଛି। ତାହା ହେଲେ ଅଳ୍ପ ପାଉଣାର ଏହି ସମସ୍ୟା ଦୂର ହୋଇପାରିବ ବୋଲି ସେ କହିଛନ୍ତି।
ମୁଣ୍ଡପିଛା ପାରିଶ୍ରମିକ ସ୍ଥିତି (ଟଙ୍କାରେ)
ରାଜ୍ୟ ପାଉଣା (ବାର୍ଷିକ)
ଉତ୍ତରାଖଣ୍ଡ ୨,୧୪,୨୩୭
କେରଳ ୧,୯୮,୨୦୪
ତେଲେଙ୍ଗାନା ୧,୯୦,୩୯୦
ରାଜସ୍ଥାନ ୧,୬୯,୧୫୮
ତାମିଲନାଡୁ ୧,୬୮,୦୪୭
ହରିୟାଣା ୧,୬୭,୪୧୬
ଆନ୍ଧ୍ରପ୍ରଦେଶ ୧,୫୩,୮୮୮
ଗୁଜରାଟ ୧,୫୩,୧୨୨
ଓଡ଼ିଶା ୧,୦୫,୩୩୫
ସୌଜନ୍ୟ ସମ୍ବାଦ




