Odisha elephant death : ରାଜ୍ୟରେ ଥମୁନି ହାତୀ ମୃତ୍ୟୁ ହାର, ବିଦ୍ୟୁତ୍ ଆଘାତ ନହେଲେ ରେଳ ଧକ୍କାରେ ଯାଉଛି ଜୀବନ, ଜଙ୍ଗଲକୁ କବଜା କରି ସାରିଲାଣି ମଣିଷ

ମଣିଷ ସହିତ ହାତୀର ସମ୍ପର୍କ ଯୁଗ ଯୁଗର । ଜଙ୍ଗଲି ଜୀବ ହେଲେ ମଧ୍ୟ ହାତୀ ମଣିଷ ସଭ୍ୟତାର ଇତିହାସରେ ଏକ ପ୍ରମୁଖ ସ୍ଥାନ ଅଧିକାର କରିଛି । ସାଂସ୍କୃତିକ, ସାମାଜିକ, ଆଧ୍ୟାତ୍ମିକ କ୍ଷେତ୍ରରେ ହାତୀର ପରିଚୟ ସ୍ୱତନ୍ତ୍ର । ଆମ ସଂସ୍କୃତିର ବରେଣ୍ୟ ଦେବ ଗଜାନନଙ୍କ ମସ୍ତକରେ ହାତୀର ମୁଖମଣ୍ଡଳ ପ୍ରତିଫଳିତ । ରୁକ୍ ବେଦରେ ହାତୀଙ୍କ କଥା ସୁନ୍ଦର ଭାବେ ଉଲ୍ଲେଖ ରହିଛି । ରଥଯାତ୍ରାରେ ପୁରୀ ରାଜା ଛେରାପହଁରା ପାଇଁ ହାତୀ ପିଠିରେ ବସି ଯାଉଥିଲେ । ସେଥିପାଇଁ ତାଙ୍କୁ ଗଜପତି କୁହାଯାଏ । ତେବେ ବିଭିନ୍ନ କାରଣରୁ ହାତୀ ବଂଶ ଆଜି ସଙ୍କଟରେ । ହାତୀର ଏହି ପରିଚୟକୁ ନୂଆ ପୀଢ଼ିଙ୍କ ନିକଟରେ ପହଞ୍ଚାଇବା ଲକ୍ଷ୍ୟରେ ଓ ସଂରକ୍ଷଣର ସଚେତନତା ବାର୍ତ୍ତା ପ୍ରସାର ପାଇଁ ଚଳିତ ବର୍ଷ ହସ୍ତୀ ଦିବସ ପାଳନ କରାଯାଉଛି ।
ପୁରୀ ରଥଯାତ୍ରାରେ ହାତୀ
ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରାରେ ହାତୀ ଯୋଗଦେବା ଏକ ପରମ୍ପରା ଥିଲା । ପୁରୀ ରାଜା ଛେରାପହଁରା ପାଇଁ ହାତୀ ପିଠିରେ ବସି ଯାଉଥିଲେ । ସେଥିପାଇଁ ତାଙ୍କୁ ଗଜପତି କୁହାଯାଉଥିଲା । ସମୟ କ୍ରମେ ଏହି ପରମ୍ପରା ଧୀରେ ଧୀରେ ବଦଳିଲା । ରାଜା ସବାରିରେ ଛେରା ପହଁରା ପାଇଁ ଯିବାବେଳେ ତାଙ୍କ ଆଗରେ ହାତୀ ଯାଉଥିଲା । ପରେ ରଥଯାତ୍ରାରେ ପରମ୍ପରା ପାଳନ ପାଇଁ ନନ୍ଦନକାନନରୁ ଗୋଟିଏ ପୋଷା ହାତୀକୁ ପ୍ରତିବର୍ଷ ନିଆଯାଉଥିଲା । କିନ୍ତୁ ୧୯୯୭-୯୮ ରଥ ଯାତ୍ରାକୁ ନନ୍ଦନକାନନରୁ ଏକ ହାତୀକୁ ନିଆ ଯାଉଥିବା ବେଳେ ଭୁବନେଶ୍ୱର ପ୍ରେସ୍ ଛକ ନିକଟରେ ଅଘଟଣ ଘଟିଥିଲା । ହାତୀ ମାହୁନ୍ତକୁ କଚାଡ଼ି ଦୌଡ଼ିଥିଲା । ବହୁ କଷ୍ଟରେ ଉକ୍ତ ହାତୀକୁ ଆୟତ୍ତ କରାଯାଇଥିଲା । ସେବେଠାରୁ ପୁରୀ ରଥଯାତ୍ରାକୁ ଆଉ ନନ୍ଦନକାନନରୁ ହାତୀଙ୍କୁ ନିଆଯାଉନାହିଁ । ଏହି ପରମ୍ପରା ସେବେଠାରୁ ବନ୍ଦ ରହିଛି ।
ରାଜ୍ୟରେ ହାତୀ ସଂଖ୍ୟା ୨୦୯୮
୨୦୨୪ ହାତୀଗଣନା ଅନୁସାରେ ରାଜ୍ୟରେ ୨୦୯୮ ହାତୀ ଅଛନ୍ତି । ମୋଟ ୩୧୩ଟି ପ୍ରାପ୍ତ ବୟସ୍କ ଦନ୍ତା, ୧୩ଟି ପ୍ରାପ୍ତ ବୟସ୍କ ମାଖ୍ନା । ୭୪୮ ପ୍ରାପ୍ତ ବୟସ୍କ ମାଈ ହାତୀ । ୧୪୮ଟି ଯୁବ ଅଣ୍ଡିରା ହାତୀ ଓ ୨୮୨ଟି ଯୁବ ମାଈ ହାତୀ ଥିବା ବେଳେ ୨୦୯ଟି ଛୁଆ ହାତୀ ଅଛନ୍ତି । ୩୮୫ଟି ଶାବକଙ୍କୁ ହାତୀ ଗଣନାରେ ଠାବ କରାଯାଇଛି । ଅନୁଗୁଳ ସର୍କଲରେ ସର୍ବାଧିକ ୭୭୯ଟି ହାତୀଙ୍କୁ ଚିହ୍ନଟ କରାଯାଇଛି । ସର୍କଲ ଅଧୀନସ୍ଥ କେବଳ ଢ଼େଙ୍କାନାଳ ବନଖଣ୍ଡରେ ୨୩୯ ହାତୀ ଅଛନ୍ତି । ଆଠଗଡ଼ରେ ୧୭୮ଟି, ସାତକୋଶିଆରେ ୧୩୮ଟି, ଅନୁଗୁଳ ବନଖଣ୍ଡରେ ୧୧୯ଟି ହାତୀ ବୁଲୁଛନ୍ତି । ସର୍କଲ ତାଲିକା ଅନୁସାରେ ଦ୍ୱିତୀୟ ସର୍ବାଧିକ ୪୩୧ଟି ହାତୀ । କୋରାପୁଟର ରାୟଗଡ଼ାରେ ମାତ୍ର ୩୩ଟି ହାତୀ ମିଳିଛନ୍ତି । ଭବାନୀପାଟଣା ଜଙ୍ଗଲରେ ୭୦ ହାତୀ ବୁଲୁଛନ୍ତି । ରାଉରକେଲା ସର୍କଲରେ ୩୧୧, ବ୍ରହ୍ମପୁରରେ ୧୭୭, ସମ୍ବଲପୁରରେ ୧୫୭ ହାତୀ ଓ ଭୁବନେଶ୍ୱରରେ ୧୪୦ ହାତୀଙ୍କୁ ଚିହ୍ନଟ କରାଯାଇଥିଲା ।
ମୃତ୍ୟୁହାରରେ ରୋକ ଲାଗୁନି
ରାଜ୍ୟରେ ହାତୀ ମୃତ୍ୟୁ ହାରରେ ରୋକ ଲାଗୁନି । ଯେତିକି ହାତୀ ଓଡ଼ିଶାରେ ମୃତ୍ୟୁ ବରଣ କରୁଛନ୍ତି, ସେମାନଙ୍କର ହାରାହାରି ହିସାବକୁ ଯଦି ଆମେ ଦେଖିବା ତା’ହେଲେ ୧୯୯୦ରୁ ୨୦୦୦, ୧୦ ବର୍ଷ ଭିତରେ ବର୍ଷକୁ ହାରାହାରି ୩୩ଟି ହାତୀ ମୃତ୍ୟୁ ବରଣ କରୁଥିଲେ । ୨୦୦୦ରୁ ୨୦୧୦ ମସିହା ୧୦ ବର୍ଷ ଭିତରେ ହାରାହାରି ବର୍ଷକୁ ୪୬ଟି ହାତୀ ମୃତ୍ୟୁ ବରଣ କରୁଥିଲେ । ୨୦୧୦ରୁ ୨୦୨୦ ପର୍ଯ୍ୟନ୍ତ ବର୍ଷକୁ ହାରାହାରି ୭୫ଟି ହାତୀ ମୃତ୍ୟୁ ବରଣ କରୁଥିଲେ । ହେଲେ ଚଳିତବର୍ଷ ହାତୀ ମୃତ୍ୟୁରେ ସାମାନ୍ୟ ହ୍ରାସ ପାଇଛି । ଏବେ କିଛିମାସ ଧରି ମାସକୁ ୫ରୁ ୬ ହାତୀ ମୃତ୍ୟୁବରଣ କରୁଛନ୍ତି । କେତେବେଳେ ହାତୀଦାନ୍ତ ଶିକାରୀମାନେ ଗୁଳିକରି ଓ ତୀରମାଡ଼ କରି ଜୀବନ ନେଇଛନ୍ତି ତ କିଏ କଦଳୀଗଛରେ, ପାଚିଲା ପଣସରେ ବିଷ ଇଞ୍ଜେକ୍ଟ କରି ହାତୀଙ୍କ ଜୀବନ ନେଇଛନ୍ତି । କେଉଁଠି ବିଦ୍ୟୁତ୍ ଆଘାତରେ ତ ଆଉ କେଉଁଠି ଟ୍ରେନ୍ ଓ ଗାଡ଼ି ଧକ୍କାରେ ହାତୀ ମୃତ୍ୟୁମୁଖରେ ପଡ଼ୁଛନ୍ତି । ଯେଉଁଭଳି ଭାବରେ ହାତୀ ମୃତ୍ୟୁର ଗ୍ରାଫ ବଢିବାରେ ଲାଗିଛି ଆଗାମୀ କିଛି ବର୍ଷ ଭିତରେ ଓଡ଼ିଶାରେ ହାତୀ ବଂଶ ନିପାତ ହୋଇଯିବେ ବୋଲି ବନ୍ୟପ୍ରାଣୀ ବିଶେଷଜ୍ଞମାନେ ଆଶଙ୍କା ପ୍ରକାଶ କଲେଣି ।
ଜନବସତି ମୁହାଁ କାହିଁକି?
ହାତୀ ସ୍ଥଳଭାଗରେ ବାସ କରୁଥିବା ବୃହତ୍ତମ ତୃଣଭୋଜି ପ୍ରାଣୀ । ଏକ ପ୍ରାପ୍ତ ବୟସ୍କ ହାତୀର ଦୈନଦିନ ଖାଦ୍ୟର ଚାହିଦା ପାଇଁ ତାକୁ ଦୈନିକ ୧୭ରୁ ୧୮ ଘଣ୍ଟା ବିନିଯୋଗ କରିବାକୁ ପଡ଼ିଥାଏ । ୫୦ରୁ ୬୦ କିସମର ବୃକ୍ଷଲତାରୁ ହାତୀ ତା’ର ଖାଦ୍ୟ ସଂଗ୍ରହ କରିଥାଏ । ଜଙ୍ଗଲର ଶାନ୍ତ ପରିବେଶ ମଧ୍ୟରେ ହାତୀଙ୍କୁ ବିଚରଣ କରିବାକୁ ଭଲଲାଗେ । ଜଙ୍ଗଲରେ ଖାଦ୍ୟାଭାବ ଦେଖାଦେଲେ ହାତୀମାନେ ବାଧ୍ୟ ହୋଇ ଖାଦ୍ୟ ଅନ୍ୱେଷଣରେ ଜନବସତି ମୁହାଁ ହେଉଛନ୍ତି । ମଣିଷଙ୍କ ଜଙ୍ଗଲ ମଧ୍ୟରେ ଅବାଧ ଚଳପ୍ରଚଳ ଯୋଗୁଁ ହାତୀ ଶାନ୍ତିରେ ରହି ପାରୁନାହାନ୍ତି । ଅନେକ ଜଙ୍ଗଲରେ ବନବିଭାଗ ପକ୍ଷରୁ ଇକୋ ଟୁରିଜିମ୍ର ବ୍ୟବସ୍ଥା କରାଯାଇଛି । କିନ୍ତୁ ଇକୋ ଟୁରିଜିମ୍ ନାଁରେ ଜଙ୍ଗଲ ମଧ୍ୟରେ ମାସ୍ ଟୁରିଜିମ୍ ଚାଲିଛି । ପର୍ଯ୍ୟଟକମାନେ ଜଙ୍ଗଲ ମଧ୍ୟରେ ଡେକ୍ (ମ୍ୟୁଜିକ୍) ବଜାଇ ମନୋରଞ୍ଜନ କରୁଛନ୍ତି । ଫଳରେ ହାତୀଙ୍କ ଉପରେ ଏହା ପ୍ରଭାବ ପକାଉଛି । ଜଙ୍ଗଲ ଜମିରୁ ଖଣିଜପଦାର୍ଥ ଉତ୍ତୋଳନ ଓ କଳକାରଖାନା ସ୍ଥାପନ ଦ୍ୱାରା ଘଞ୍ଚ ଜଙ୍ଗଲ କ୍ଷୟ ହେବାଯୋଗୁ ହାତୀମାନଙ୍କ ଆବାସସ୍ଥଳୀ ବହୁ ମାତ୍ରାରେ ସଙ୍କୁଚିତ ହୋଇ ଯାଇଛି । ଏଥିସହିତ ନୂତନ ରାଜପଥ ଓ ରେଳପଥ ନିର୍ମାଣ ଯୋଗୁଁ ମଧ୍ୟ ଜଙ୍ଗଲ କ୍ଷୟ ହେଉଛି । ବିଶେଷକରି ଜଙ୍ଗଲ ମଧ୍ୟରେ ଅଣଜଙ୍ଗଲ କାର୍ଯ୍ୟକଳାପ ଯୋଗୁଁ ହାତୀମାନେ ବସବାସ କରୁଥିବା ନିଜ ଆବାସସ୍ଥଳୀ ଛାଡ଼ି ଅନ୍ୟ ଜଙ୍ଗଲ ଏବଂ ଜନବସତି ମୁହାଁ ହେଉଛନ୍ତି । ଫଳରେ ବହୁ ସମୟରେ ହାତୀ ବିଦ୍ୟୁତ୍ ଆଘାତ ଏବଂ ରେଳ ଧକ୍କାରେ ପ୍ରାଣ ହରାଉଥିବା ଦେଖିବାକୁ ମିଳୁଛି । ହାତୀ ଆକ୍ରମଣରେ ମଣିଷଙ୍କ ଜୀବନ ଯାଉଥିବା ବେଳେ ମଣିଷ ଆକ୍ରୋଶର ଶିକାର ହେଉଛି ହାତୀ । ବେଙ୍ଗାଲୁରସ୍ଥିତ ଆଇଆଇଏସ୍ ଗବେଷକଙ୍କ କହିବା ଅନୁଯାୟୀ, ଓଡ଼ିଶାରେ ଥିବା ଜଙ୍ଗଲ ପରିମାଣ ଯେତିକି, ସେଥିରେ ପ୍ରାୟ ୧୭୦୦ ହାତୀ ରହିପାରିବେ । ତେଣୁ ଜଙ୍ଗଲ ପରିମାଣ କମ୍ ଥିବାରୁ ଓ ଖାଦ୍ୟାଭାବ ଯୋଗୁଁ ହାତୀ ଜନବସତି ମୁହାଁ ହେଉଛନ୍ତି । ତେଣୁ ରାଜ୍ୟରେ ଅଧିକ ଜଙ୍ଗଲ ସୃଷ୍ଟି କରାଯିବା ସହ ଲୋକଙ୍କୁ ଅଧିକ ସଚେତନ କରାଇବା ଜରୁରୀ ହୋଇପଡ଼ିଛି ।
ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ
ମାଈ ହାତୀ ସାଧାରଣତଃ ୧୨ ବର୍ଷ ବୟସ ହେଲେ ଗର୍ଭଧାରଣ କ୍ଷମତାପ୍ରାପ୍ତ ହୋଇଥାଏ । ଗର୍ଭବତୀ ହେବାର ୨୨ ମାସରେ ହାତୀ ଛୁଆ ଜନ୍ମ ଦେଇଥାଏ । ହାତୀ ଛୁଆ ଜନ୍ମ ହେବାବେଳେ ତା’ର ଓଜନ ପ୍ରାୟ ୫୫ରୁ ୬୦ କିଲୋ ହୋଇଥାଏ ଓ ଉଚ୍ଚତା ପ୍ରାୟ ୩ ଫୁଟ ହୋଇଥାଏ । ଜନ୍ମ ହେବା ସମୟରେ ହାତୀ ମାଂସ ପିଣ୍ଡୁଳା ଭଳି ହୋଇଥାଏ । ମା’ ହାତୀ ତାକୁ କାନରେ ବାରମ୍ବାର ବିଞ୍ଚିବା ପରେ ଧୀରେ ଧୀରେ ଛୁଆ ହାତୀ ଉଠିବାକୁ ଚେଷ୍ଟା କରେ । କିଛିଘଣ୍ଟା ମଧ୍ୟରେ ହାତୀ ଛୁଆଟି ସଂପୂର୍ଣ୍ଣ ଛିଡ଼ା ହୋଇଥାଏ ଓ ମା’ ହାତୀଠାରୁ କ୍ଷୀର ପିଇବା ଆରମ୍ଭ କରିଥାଏ । ପ୍ରାୟ ବର୍ଷକ ପର୍ଯ୍ୟନ୍ତ ହାତୀ ଛୁଆକୁ କ୍ଷୀର ପିଇବାକୁ ଦେଇଥାଏ । ଏହାପରେ ମା’ ହାତୀ ଛୁଆକୁ ବିଭିନ୍ନ ପ୍ରକାର ଲତା, ଘାସ ଓ କଁଳିଆ ଡାଳପତ୍ର ଖାଇବା ସିଖାଇଥାଏ । ଧୀରେଧୀରେ ପଲ ସହ ବୁଲି ଖାଇପିଇ ବଡ଼ ହୋଇଥାଏ । ହାତୀ ସାଧାରଣତଃ ୭୦ରୁ ୭୫ ବର୍ଷ ବୟସ ପର୍ଯ୍ୟନ୍ତ ବଞ୍ଚିଥାଏ । ଗୋଟିଏ ମାଈ ହାତୀ ତା’ ଜୀବନକାଳ ମଧ୍ୟରେ ୧୨ରୁ ୧୩ଟି ପର୍ଯ୍ୟନ୍ତ ଛୁଆ ଜନ୍ମ ଦେଇଥାଏ ।
ଦଳପତି ଇସାରା ଅମାନ୍ୟ କଲେ ବିଦା
ହାତୀ ସାଧାରଣତଃ ପଲ ପଲ ହୋଇ ଏ ଜଙ୍ଗଲରୁ ସେ ଜଙ୍ଗଲକୁ ଯାଆସ କରିଥାନ୍ତି । ପଲ ଭିତରେ ସବୁଠାରୁ ବୟସ୍କ ମାଈ ହାତୀ ହିଁ ଦଳପତି ହୋଇଥାଏ । ଦଳପତି ଇସାରାରେ ହାତୀପଲ ଯାତାୟାତ କରିଥାନ୍ତି । ଦଳ ଭିତରେ ଥିବା ଦନ୍ତା ହାତୀ ବି ଦଳପତିର ଇସାରାରେ ସବୁଠାରୁ ପଛରେ ଯାଇଥାନ୍ତି । ନଦୀନାଳ ପାରି ସମୟରେ ମଧ୍ୟ ଦଳପତି ହାତୀ ଆଗରେ ଯାଇଥାଏ । ଅନ୍ୟ ହାତୀମାନେ ଦଳ ଭିତରେ ଥିବା ଛୁଆ ହାତୀଙ୍କୁ ମଝିରେ ରଖି ନଦୀ ଓ ନାଳ ପାରି ହୋଇଥାନ୍ତି । ଏପରିକି ହାତୀ କରିଡ଼ର ଦେଇ ଏ ଜଙ୍ଗଲରୁ ସେ ଜଙ୍ଗଲକୁ ଯାତାୟାତ କରିଥାନ୍ତି । ଯଦି ଦଳପତିର ଇସାରାକୁ କେହି ଅମାନ୍ୟ କରେ ତେବେ ତାକୁ ଦଣ୍ଡିତ ହେବାକୁ ପଡ଼ିଥାଏ । ଦଳରୁ ତାକୁ ବିଦା କରି ଦିଆ ଯାଇଥାଏ । ବିଶେଷକରି ଦନ୍ତା ହାତୀ ହିଁ ଏଭଳି ଅମାନ୍ୟ ହୋଇ ଦଳରୁ ବିଦା ହୋଇଥାନ୍ତି । ଯାହାକୁ ଗୋଠଛଡ଼ା ଦନ୍ତା ବୋଲି କୁହାଯାଏ ।
ଘୋଷଣାରେ ୧୪ କରିଡ଼ର
ହାତୀମାନେ ଗୋଟିଏ ଜଙ୍ଗଲରୁ ଅନ୍ୟ ଜଙ୍ଗଲକୁ ଖାଦ୍ୟ ଅନ୍ୱେଷଣରେ ଯାତାୟତ କରିଥାନ୍ତି । ଯେପରି ଚନ୍ଦକାରୁ ଆଠଗଡ଼, ଶିମିଳିପାଳରୁ ହଦଗଡ଼, ସାତକୋଶିଆରୁ ରେଢ଼ାଖୋଲ, ଢେଙ୍କାନାଳରୁ କେନ୍ଦୁଝର ଜିଲ୍ଲା ଜଙ୍ଗଲ, ଘୁମୁସର ବନଖଣ୍ଡରୁ ନୟାଗଡ଼ ଜିଲ୍ଲା ଆଦି ଚଳପ୍ରଚଳ କରୁଛନ୍ତି । କିନ୍ତୁ ବିବିଧ କାରଣରୁ ଏହି ଚଲାପଥଗୁଡିକ ବନ୍ଦ ହୋଇଗଲାଣି । ୨୦୧୦ରେ ଓଡିଶା ସରକାର ୧୪ଟି ହାତୀ କରିଡର ଚିହ୍ନଟ କରିଥିଲେ । ୧୫ଟି ଡିଭିଜନ୍ରେ ୧୪ଟି ହାତୀ କରିଡ଼ରର ଲମ୍ବ ଓ ଚୌଡ଼ାକୁ ମିଶାଇ ସମୁଦାୟ ୮୭୦.୬୧ ବର୍ଗ କିଲୋମିଟର । ଚିହ୍ନଟ ହାତୀ କରିଡ଼ର ପାଇଁ ଜଙ୍ଗଲ ବିଭାଗ ୫୪ କୋଟିର ଏକ ବ୍ୟୟ ଅଟକଳ କରିଥିଲା । ହେଲେ ସେହି ଯୋଜନା ଏବେ ଶୀତଳ ଭଣ୍ଡାରରେ । ଖଣି ଓ ଶିଳ୍ପ କାରଖାନାମାନଙ୍କର ଲବି ଆଗରେ ହାତୀ କରିଡର ଯୋଜନା ସତେ ଯେପରି ହଜିଯାଇଛି । ଆଜି ପର୍ଯ୍ୟନ୍ତ କୌଣସି ବି ହାତୀ କରିଡ଼ର ମାନ୍ୟତାପ୍ରାପ୍ତ ହୋଇନାହିଁ ।
ପରଦାରେ ଗଜରାଜ
ହଲିଉଡରୁ ଟଲିଉଡ ଯାଏ ଗଜରାଜଙ୍କୁ ନେଇ ଅନେକ କାହାଣୀ ଚିତ୍ରିତ କରାଯାଇଛି ପରଦାରେ । ଏମିତିରେ ତ ଅନେକ ସିନେମାରେ ଗଜରାଜଙ୍କ ପ୍ରବେଶ ହୋଇଛି ମାତ୍ର ତାଙ୍କ ଉପରେ ହେଉଥିବା ଆକ୍ରମଣ, ଜଙ୍ଗଲରେ ଗଜରାଜଙ୍କ ଶିକାର ଏବଂ ହାତୀ ଦାନ୍ତ ଚାଲାଣକୁ ନେଇ ବହୁତ ଗୁଡ଼ିଏ ସିନେମା ବିଭିନ୍ନ ଭାଷାରେ ଦେଖିବାକୁ ମିଳିଛି । ବିଶେଷକରି ସର୍ବଭାରତୀୟସ୍ତରରେ ଅନେକ ସିନେମାରେ ବିଭିନ୍ନ ସର୍କସ୍, ମେଳା ମହୋତ୍ସବ ଗଜରାଜ ଦୃଶ୍ୟମାନ ହୋଇଛନ୍ତି । ଏହାଛଡ଼ା ବିଭିନ୍ନ ଐତିହାସିକ ପୃଷ୍ଠଭୂମି ଆଧାରିତ ସିନେମାରେ ଗଜରାଜଙ୍କୁ ଭିନ୍ନ ଭିନ୍ନ ଉପାୟରେ ବ୍ୟବହାର କରାଯାଇଛି । କିନ୍ତୁ ଯେତେବେଳେ ଭାରତୀୟ ସିନେମାରେ ଗଜରାଜଙ୍କୁ ନେଇ ଚର୍ଚ୍ଚା ହୁଏ ସେତେବେଳେ ଆମେ ରାଜେଶ ଖାନ୍ନାଙ୍କ କ୍ଲାସିକ୍ ହିଟ୍ ହିନ୍ଦୀ ସିନେମା ‘ହାଥୀ ମେରା ସାଥୀ’ ପାଖକୁ ଫେରିଯାଉ । ଏହାପରେ ମିଠୁନଙ୍କ ‘ମେଁ ଔର ମେରା ହାଥୀ’ଠୁ ଆରମ୍ଭ କରି ଏବେ ବିଦ୍ୟୁତ୍ ଜମାୱାଲ୍ଙ୍କ ‘ଜଙ୍ଗଲୀ’, ରାଣା ଡଗୁବତୀଙ୍କ ‘ହାଥୀ ମେରା ସାଥୀ’ ଏବଂ ‘ବୀରାପ୍ପାନ୍’ ପର୍ଯ୍ୟନ୍ତ ଅନେକ କାହାଣୀରେ ଗଜରାଜ ଆସିଛନ୍ତି ପରଦା ଉପରକୁ । ଏହାଛଡ଼ା ଭାରତର ଅନେକ ଆଞ୍ଚଳିକ ସିନେମାରେ ବି ଗଜରାଜଙ୍କ କାହାଣୀକୁ ନେଇ ସିନେମା ହୋଇଛି । ଦିନକୁ ଦିନ ଗଜରାଜଙ୍କ ସଙ୍କଟ ହେବା ଖବରର ଶିରୋନାମା ପାଲଟିଥିବାବେଳେ ଚଳଚ୍ଚିତ୍ର ସଚେତନତାର ଏକ ବଡ଼ ମାଧ୍ୟମ ।
ସୌଜନ୍ୟ ପ୍ରମେୟ




