ରାଜ୍ୟ

Odisha scientist: ବିଶ୍ୱର ଶ୍ରେଷ୍ଠ ୨% ବୈଜ୍ଞାନିକ ତାଲିକାରେ ସ୍ଥାନ ପାଇଲେ ଓଡ଼ିଆ ପୁଅ

ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟର ପଦାର୍ଥ ବିଜ୍ଞାନ ବିଭାଗର ସହକାରୀ ଅଧ୍ୟାପକ ଡ. ସିଦ୍ଧେଶ୍ୱର ବେହେରା ଏକ ଗୌରବମୟ ସଫଳତା ହାସଲ କରିଛନ୍ତି। ଷ୍ଟାନଫୋର୍ଡ ବିଶ୍ୱବିଦ୍ୟାଳୟ ଏବଂ ଏଲସେଭିୟର ଦ୍ୱାରା ପ୍ରକାଶିତ ବିଶ୍ୱର ଶ୍ରେଷ୍ଠ...

ଭୁବନେଶ୍ବର: ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ (ଭିସୁଟ୍)ର ପଦାର୍ଥ ବିଜ୍ଞାନ ବିଭାଗର ସହକାରୀ ଅଧ୍ୟାପକ ଡ. ସିଦ୍ଧେଶ୍ୱର ବେହେରା ଏକ ଗୌରବମୟ ସଫଳତା ହାସଲ କରିଛନ୍ତି। ଷ୍ଟାନଫୋର୍ଡ ବିଶ୍ୱବିଦ୍ୟାଳୟ ଏବଂ ଏଲସେଭିୟର ଦ୍ୱାରା ପ୍ରକାଶିତ ବିଶ୍ୱର ଶ୍ରେଷ୍ଠ ୨% ବୈଜ୍ଞାନିକ ତାଲିକାରେ ସେ ସ୍ଥାନ ପାଇଛନ୍ତି। ଲଗାତାର ଦ୍ବିତୀୟ ବର୍ଷ ପାଇଁ ସେ ଏ ସଫଳତା ଅର୍ଜନ କରିଛନ୍ତି l ଏହି ସମ୍ମାନଜନକ ଗ୍ଲୋବାଲ୍ ମାନ୍ୟତା ବିଜ୍ଞାନ ଜଗତ ପ୍ରତି ଡ. ବେହେରାଙ୍କ ଅସାଧାରଣ ଅବଦାନକୁ ପ୍ରତିପାଦିତ କରୁଛି।

‘ଫିଜିକ୍ସ ଆଣ୍ଡ ଆଷ୍ଟ୍ରୋନୋମି’ ମଧ୍ୟରେ ‘ମ୍ୟାଥେମାଟିକାଲ୍ ଫିଜିକ୍ସ’ ଉପବିଭାଗରେ ଗବେଷଣାରତ ଡ. ବେହେରା ନିଜ ଉପବିଭାଗରେ ବିଶ୍ୱସ୍ତରରେ ୫୬ ତମ ମାନ୍ୟତା ଏବଂ ସମଗ୍ର ବିଶ୍ୱରେ ୧,୦୯,୩৮୫ ତମ ସ୍ଥାନ ହାସଲ କରିଛନ୍ତି। ତାଙ୍କର ପ୍ରଭାବଶାଳୀ ଗବେଷଣା ମେଟ୍ରିକ୍ସରେ ଏକ H-index 9 ଏବଂ Hm-index 5 ରହିଛି।

ଗଞ୍ଜାମଜିଲ୍ଲା ଆସିକା ବ୍ଲକ ଅନ୍ତର୍ଗତ ଋଷିପୁର ଗ୍ରାମର ବାସିନ୍ଦା ଡ. ବେହେରା ହେଉଛନ୍ତି ପିତା ଦେବରାଜ ବେହେରା ଏବଂ ମାତା କୁନ୍ତଳା କୁମାରୀ ବେହେରାଙ୍କ ସନ୍ତାନ। ତାଙ୍କର ଏହି ଗୌରବମୟ ଶିକ୍ଷାଗତ ଯାତ୍ରା ଗୁଣ୍ଠପଡ଼ାସ୍ଥିତ ଜଗଦଳପୁର ହାଇସ୍କୁଲ୍‌ରୁ ଆରମ୍ଭ ହୋଇଥିଲା। ଏହାପରେ ସେ ହିଞ୍ଜିଳିକାଟୁ ସାଇନ୍ସ କଲେଜରୁ +୨ ବିଜ୍ଞାନ ଏବଂ ବି.ଏସସି (B.Sc.) ଶିକ୍ଷା ସମାପ୍ତ କରି ୨୦୧୧ ମସିହାରେ ସ୍ନାତକ ହାସଲ କରିଥିଲେ। ପରବର୍ତ୍ତୀ ସମୟରେ ସେ ୨୦୧୩ରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରୁ ଏମ.ଏସସି ଏବଂ ୨୦୨୩ରେ ଭିସୁଟ୍‌ରୁ ପଦାର୍ଥ ବିଜ୍ଞାନରେ ପିଏଚ୍.ଡି (Ph.D.) ଡିଗ୍ରି ହାସଲ କରିଥିଲେ।

ଡ. ବେହେରା ୨୦୧୪ ମସିହାରୁ ଭିସୁଟ୍‌ର ଶିକ୍ଷାଦାନ ଏବଂ ଗବେଷଣା କ୍ଷେତ୍ରରେ ନିୟୋଜିତ ଅଛନ୍ତି। ନିଜର ଶିକ୍ଷାଦାନ କାର୍ଯ୍ୟକାଳ ମଧ୍ୟରେ ସେ ଅନେକ ୟୁଜି/ପିଜି ପାଠ୍ୟକ୍ରମରେ ଶିକ୍ଷାଦାନ କରିବା ସହ ଏମ.ଏସସି ପ୍ରୋଜେକ୍ଟ ଏବଂ ପିଏଚ୍.ଡି ସ୍କଲାରମାନଙ୍କୁ ‘ନନ୍‌ଲିନିୟର୍ PDEs’, ‘ନନ୍‌ଲିନିୟର୍ ଡାଇନାମିକ୍ସ’, ‘ସଲିଟନ୍ ଥିଓରୀ’ ଏବଂ ‘କମ୍ପ୍ୟୁଟେସନାଲ୍ ଫିଜିକ୍ସ’ ଭଳି ଅତ୍ୟାଧୁନିକ ବିଷୟଗୁଡ଼ିକରେ ଗବେଷଣା ମାର୍ଗଦର୍ଶନ କରିଛନ୍ତି।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button