ରାଜ୍ୟ

Turmeric Cultivation: ହଳଦୀ ଚାଷର ଗାଁ ଶୁକଡୋଳା: ମହକୁଛି ସ୍ୱାବଲମ୍ବନର ବାସନା

‘ପ୍ରଥମେ ମାତ୍ର ଅଧା ଏକର ଜମିରେ ହଳଦୀ ଚାଷ କରିଥିଲି। ଜମି ପ୍ରସ୍ତୁତିଠାରୁ ଆରମ୍ଭ କରି ଗଛର ଯତ୍ନ ଓ ରକ୍ଷଣାବେକ୍ଷଣ ପର୍ଯ୍ୟନ୍ତ ବିଭିନ୍ନ କ୍ଷେତ୍ରରେ ଅଭିଜ୍ଞତା ମିଳିଲା। ପ୍ରଥମ ବର୍ଷର ଭଲ ଫଳାଫଳ ମନରେ ଆତ୍ମବିଶ୍ୱାସ ଭରିଦେଲା।

କେନ୍ଦୁଝର(ସୁବ୍ରତ ସ୍ବାଇଁ): ‘ପ୍ରଥମେ ମାତ୍ର ଅଧା ଏକର ଜମିରେ ହଳଦୀ ଚାଷ କରିଥିଲି। ଜମି ପ୍ରସ୍ତୁତିଠାରୁ ଆରମ୍ଭ କରି ଗଛର ଯତ୍ନ ଓ ରକ୍ଷଣାବେକ୍ଷଣ ପର୍ଯ୍ୟନ୍ତ ବିଭିନ୍ନ କ୍ଷେତ୍ରରେ ଅଭିଜ୍ଞତା ମିଳିଲା। ପ୍ରଥମ ବର୍ଷର ଭଲ ଫଳାଫଳ ମନରେ ଆତ୍ମବିଶ୍ୱାସ ଭରିଦେଲା। ଦ୍ବିତୀୟ ବର୍ଷ ଅର୍ଥାତ ୨୦୨୩ରେ ଏକ ଏକର ଜମିରେ ହଳଦୀ ଚାଷ କଲି। ଗତବର୍ଷ ଏହି ଚାଷରୁ ପ୍ରାୟ ଦେଢ଼ଲକ୍ଷ ଟଙ୍କା ଆୟ ହୋଇଛି’ ବୋଲି କହିଛନ୍ତି କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ୍‌ ଶୁକଡୋଳା ଗାଁର ମହିଳା ଚାଷୀ ଦାସରୀ ସାନ୍ତା। କେବଳ ଦାସରୀ ନୁହନ୍ତି, ଗାଁର ଅନ୍ୟ ମହିଳାମାନେ ମଧ୍ୟ ଏହି ଚାଷକୁ ଆପଣାଇ ଶୁକଡୋଳାକୁ ହଳଦୀ ଚାଷର ଗାଁ ଭାବେ ନୂତନ ପରିଚୟ ଦେଇଛନ୍ତି।

ଦାସରୀଙ୍କ ପରିବାରର ମୁଖ୍ୟ ଜୀବିକା ହେଉଛି କୃଷି। ସ୍ୱାମୀ, ଶ୍ୱଶୁର ଓ ମା’ଙ୍କ ସହ ସେ ରହୁଛନ୍ତି। ତିନି ପୁଅଝିଅଙ୍କ ପାଠପଢ଼ା ଓ ପରିବାରର ଖର୍ଚ୍ଚ ତୁଲାଇବା ଥିଲା ବଡ଼ ଦାୟିତ୍ୱ। ଝିଅ ଦଶମ, ପୁଅ ନବମ ଓ ସାନପୁଅ ଦ୍ୱିତୀୟ ଶ୍ରେଣୀରେ ପଢ଼ୁଛନ୍ତି। ପିଲାଙ୍କ ଭବିଷ୍ୟତ ଗଢ଼ିବା ସହ ପରିବାରକୁ ଆର୍ଥିକ ଭାବେ ସୁଦୃଢ଼ କରିବା ତାଙ୍କ ପାଇଁ ବଡ଼ ଆହ୍ୱାନ ଥିଲା। ଏବେ ହଳଦୀ ଚାଷରୁ ଲକ୍ଷାଧିକ ଟଙ୍କା ଆୟ କରି ଦାସରୀ ନିଜ ସଫଳତାକୁ ପ୍ରମାଣିତ କରିଛନ୍ତି। ଏହାଦ୍ବାରା ତାଙ୍କ ପରିବାରର ଆର୍ଥିକ ସ୍ଥିତି ସୁଦୃଢ଼ ହୋଇଛି। ଦାସରୀଙ୍କ ସଫଳତା କେବଳ ତାଙ୍କ ପରିବାର ମଧ୍ୟରେ ସୀମିତ ରହିନାହିଁ। ଗାଁର ଅନ୍ୟ ମହିଳାଙ୍କ ପାଇଁ ମଧ୍ୟ ଏହା ଉଦାହରଣ ପାଲଟିଛି। ନିଜ ଜମିରେ ହଳଦୀ ଚାଷ କରି ଭଲ ଆୟ କରିହେବ ବୋଲି ତାଙ୍କ ଅଭିଜ୍ଞତା ଅନ୍ୟ ଚାଷୀଙ୍କୁ ଉତ୍ସାହିତ କରିଛି। ଯେଉଁମାନେ ଦିନେ ନୂଆ ଚାଷ ପଦ୍ଧତି ଆପଣାଇବାକୁ ଦ୍ୱିଧା କରୁଥିଲେ, ସେମାନଙ୍କ ପାଇଁ ଏବେ ହଳଦୀ ଚାଷ ଏକ ଲାଭଜନକ ଜୀବିକା ହୋଇପାରିଛି। ଶୁକଡୋଳା, ନାଡ଼ପାଣି ଓ ବଡ଼କୁଳ ଗ୍ରାମର ୨୭୮ ଜଣ ମହିଳା ହଳଦୀ ଚାଷ କରୁଛନ୍ତି। ୨୦୨୬-୨୭ରେ ଉଦ୍ୟାନ କୃଷି ବିଭାଗ ପକ୍ଷରୁ ଆଳୁ, ପରିବା ଓ ମସଲା ଫସଲର ବିକାଶ ଯୋଜନା ଅଧୀନରେ ୮୦ ଜଣଙ୍କୁ ‘ସୁରୋମା’ କିସମର ୧୬୦ କ୍ୱିଣ୍ଟାଲ ହଳଦୀ ବିହନ ଯୋଗାଇ ଦିଆଯାଇଛି।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button