ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ଆର୍ଆଣ୍ଡ୍ବି ଡିଭିଜନ୍-୧ କାର୍ଯ୍ୟାଳୟରେ ୯ କୋଟି ୨୪ ଲକ୍ଷରୁ ଅଧିକ ଟଙ୍କା ଆତ୍ମସାତ୍ ମାମଲାରେ ଓଡ଼ିଶା ଭିଜିଲାନ୍ସ ଆଉ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ଟ୍ରେଜେରି କର୍ମଚାରୀ ମଧ୍ୟ ଅଛନ୍ତି। ସେମାନେ ହେଲେ ଭୁବନେଶ୍ୱର ଜିଲ୍ଲାଟ୍ରେଜେରି କାର୍ଯ୍ୟାଳୟର ବରିଷ୍ଠ ହିସାବରକ୍ଷକ କୃଷ୍ଣଚନ୍ଦ୍ର ବେହେରା, ପୁରୀଆର୍ଆଣ୍ଡ୍ବି ଡିଭିଜନ୍ର ବରିଷ୍ଠ ସହାୟକ ବିଶ୍ୱନାଥ ଦାସ ଏବଂ ଭୁବନେଶ୍ୱର ଆର୍ଆଣ୍ଡ୍ବି ଡିଭିଜନ୍-୧ କାର୍ଯ୍ୟାଳୟର ପିଅନ କୁମୁଦ ସାହୁ। ଗିରଫ ପରେ ସେମାନଙ୍କୁ ଭୁବନେଶ୍ୱରସ୍ଥିତ ସ୍ୱତନ୍ତ୍ର ଭିଜିଲାନ୍ସ ଅଦାଲତରେ ହାଜର କରାଯାଇଛି।
ଏହି ମାମଲାରେ ଆର୍ଆଣ୍ଡ୍ବି ଡିଭିଜନ୍-୧ର ଅଧୀକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ ମୋଟ ୯,୨୪,୧୦,୧୯୩ ଟଙ୍କାର ସରକାରୀ ଅର୍ଥ ଆତ୍ମସାତ୍ ହୋଇଥିବା ଅଭିଯୋଗରହିଛି। ଏହା ପୂର୍ବରୁ ୨୭ ସେପ୍ଟେମ୍ବର ୨୦୨୬ରେ ଏହି ମାମଲାର ମୁଖ୍ୟ ଅଭିଯୁକ୍ତ ବନଲତା ମହାନ୍ତି (ସେକ୍ସନ ଅଫିସର) ଏବଂ ବିଭୁଦତ୍ତ ନାୟକ (ଜୁନିୟର ଆସିଷ୍ଟାଣ୍ଟ)ଙ୍କ ସମେତ ୬ ଜଣଙ୍କୁ ଗିରଫ କରାଯାଇ ଜେଲ୍ ହାଜତକୁ ପଠାଯାଇଥିଲା।
ଏହି ଘଟଣାରେ ଭୁବନେଶ୍ୱର ଭିଜିଲାନ୍ସ ଥାନାରେ କେସ୍ ନମ୍ବର ୨୧/୨୦୨୬ ରୁଜୁ ହୋଇଛି। ଏଥିରେ ଦୁର୍ନୀତି ନିବାରଣ (ସଂଶୋଧନ) ଆଇନ, ୨୦୧୮ର ଧାରା ୧୩(୨) ସହ ୧୩(୧)(କ) ଏବଂ ଭାରତୀୟ ନ୍ୟାୟ ସଂହିତା (ବିଏନ୍ଏସ୍)ର ବିଭିନ୍ନ ଧାରା ଅନୁଯାୟୀ ମାମଲା ରୁଜୁ କରାଯାଇଛି।
ଟ୍ରେଜେରି କର୍ମଚାରୀଙ୍କୁ ଟଙ୍କା ଦେଇଥିବା ଅଭିଯୋଗ
ଭିଜିଲାନ୍ସର ତଦନ୍ତ ଅନୁଯାୟୀ, ମାମଲାର ମୁଖ୍ୟ ଅଭିଯୁକ୍ତ ବିଭୁଦତ୍ତ ନାୟକ ୨୦୨୫ ମାର୍ଚ୍ଚରୁ ୨୦୨୬ ଜୁଲାଇ ମଧ୍ୟରେ ୧୧ ଥରରେ ଫୋନ୍ପେ ଜରିଆରେ ବରିଷ୍ଠ ହିସାବରକ୍ଷକ କୃଷ୍ଣଚନ୍ଦ୍ର ବେହେରାଙ୍କୁ ମୋଟ ୩ ଲକ୍ଷ ୯୦ ହଜାର ଟଙ୍କା ପଠାଇଥିଲେ। ଜାଲ୍ ଓ ଜାଲିଆତିପୂର୍ଣ୍ଣ ବିଲ୍ଗୁଡ଼ିକୁ କୌଣସି ଆପତ୍ତି ନ ଉଠାଇ ପାସ୍ କରାଇବା ପାଇଁ ଏହି ଟଙ୍କା ଦିଆଯାଇଥିବା ତଦନ୍ତରୁ ଜଣାପଡ଼ିଥିବା ଭିଜିଲାନ୍ସ ପକ୍ଷରୁ କୁହାଯାଇଛି।
ମାଆ ଓ ସମ୍ପର୍କୀୟଙ୍କ ବ୍ୟାଙ୍କ ଖାତା ବ୍ୟବହାର
ତଦନ୍ତରୁ ଜଣାପଡ଼ିଛି ଯେ, ବିଶ୍ୱନାଥ ଦାସ ପୂର୍ବରୁ ଭୁବନେଶ୍ୱର ଆର୍ଆଣ୍ଡ୍ବି ଡିଭିଜନ୍-୧ରେ ଜୁନିୟର ଆସିଷ୍ଟାଣ୍ଟ ଭାବେ କାମ କରୁଥିବା ସମୟରେ ନିଜ ମାଆଙ୍କ ବ୍ୟାଙ୍କ ଖାତା, ନିଜ ବ୍ୟାଙ୍କ ଖାତା ଏବଂ ଜଣେ ସମ୍ପର୍କୀୟ କାହ୍ନୁଚରଣ ବେହେରାଙ୍କ ବ୍ୟାଙ୍କ ଖାତାର ବିବରଣୀ ବନଲତା ମହାନ୍ତି ଓ ବିଭୁଦତ୍ତ ନାୟକଙ୍କୁ ଦେଇଥିଲେ।
ଏହି ଖାତାଗୁଡ଼ିକରେ ଅସ୍ଥାୟୀ ଗ୍ରାଚ୍ୟୁଇଟି, ବ୍ୟବହାର ହୋଇନଥିବା ଛୁଟି ବାବଦ ଦରମା ଏବଂ ଅନ୍ୟାନ୍ୟ ଖର୍ଚ୍ଚ ଆଳରେ ଆତ୍ମସାତ୍ ଟଙ୍କା ଜମା କରାଯାଇଥିଲା।
ତଦନ୍ତରେ ଏପର୍ଯ୍ୟନ୍ତ ଜଣାପଡ଼ିଛି ଯେ, ବିଶ୍ୱନାଥ ଦାସଙ୍କ ମାଆ ନୟନା ଦାସଙ୍କ ଖାତାରେ ପ୍ରାୟ ୫୦ ଲକ୍ଷ ଟଙ୍କା, ସମ୍ପର୍କୀୟ କାହ୍ନୁଚରଣ ବେହେରାଙ୍କ ଖାତାରେ ୧୫ ଲକ୍ଷ ଟଙ୍କା ଏବଂ ବିଶ୍ୱନାଥଙ୍କ ନିଜ ଖାତାରେ ୩୭ ଲକ୍ଷ ଟଙ୍କା ଜମା ହୋଇଥିଲା। ଏହି ଟଙ୍କା ପାଇବା ପରେ ବିଶ୍ୱନାଥ ଏହାର କିଛି ଅଂଶ ଫୋନ୍ପେ ଜରିଆରେ ବିଭୁଦତ୍ତ ନାୟକ ଓ ବନଲତା ମହାନ୍ତିଙ୍କ ବ୍ୟାଙ୍କ ଖାତାକୁ ପଠାଇଥିବା ବେଳେ ଅବଶିଷ୍ଟ ଟଙ୍କା ନଗଦ ଆକାରରେ ଉଠାଇଥିବା ଅଭିଯୋଗ ହୋଇଛି।
ପତ୍ନୀଙ୍କ ବ୍ୟାଙ୍କ ଖାତାକୁବ୍ୟବହାର
ସେହିପରି, ଭୁବନେଶ୍ୱର ଆର୍ଆଣ୍ଡ୍ବି ଡିଭିଜନ୍-୧ କାର୍ଯ୍ୟାଳୟର ପିଅନ କୁମୁଦ ସାହୁ ମଧ୍ୟ ଏହି ଜାଲିଆତିରେ ସମ୍ପୃକ୍ତ ଥିବା ଅଭିଯୋଗ ହୋଇଛି। ସେ ନିଜ ପତ୍ନୀ ବିଜୁଳି ସାହୁଙ୍କ ବ୍ୟାଙ୍କ ଖାତାର ବିବରଣୀ ମୁଖ୍ୟ ଅଭିଯୁକ୍ତ ବାଣଲତା ମହାନ୍ତି ଓ ବିଭୁଦତ୍ତ ନାୟକଙ୍କୁ ଦେଇଥିଲେ।
ଏହି ଖାତାରେ ଅସ୍ଥାୟୀ ଗ୍ରାଚ୍ୟୁଇଟି ବାବଦରେ ୧୧ ଲକ୍ଷ ୨୫ ହଜାର ୧୨୦ ଟଙ୍କା ଜମା ହୋଇଥିଲା। ପରେ କୁମୁଦ ସାହୁ ଏହି ଟଙ୍କାକୁ ନିଜ ବ୍ୟାଙ୍କ ଖାତାକୁ ସ୍ଥାନାନ୍ତର କରି ତିନିଟି କିସ୍ତିରେ ନଗଦ ଟଙ୍କା ଉଠାଇଥିବା ଏବଂ ମୁଖ୍ୟ ଅଭିଯୁକ୍ତ ଦ୍ୱୟଙ୍କ ସହ ମିଶି ଏହାକୁ ଆତ୍ମସାତ୍ କରିଥିବା ଭିଜିଲାନ୍ସ ଅଭିଯୋଗ କରିଛି।
ଏହି ବହୁକୋଟି ଟଙ୍କାର ଆର୍ଥିକ ଜାଲିଆତି ମାମଲାରେ ଅଧିକ ତଥ୍ୟ ଜାଣିବା ପାଇଁ ଭିଜିଲାନ୍ସର ତଦନ୍ତ ଜାରି ରହିଛି।
ସୌଜନ୍ୟ ସମ୍ବାଦ