ରୁଷୀୟ ଫଟୋଗ୍ରାଫର୍ ଜୁଲିଆ ବୁରୁଲେଭା ଭାରତ ଭ୍ରମଣରେ ଆସି ରାଜସ୍ଥାନରେ ଏକ ଫଟୋସୁଟ୍ କରିଥିଲେ, ଯାହାକୁ ନେଇ ଏବେ ବିବାଦ ସୃଷ୍ଟି ହୋଇଛି। ଜୟପୁରରେ କିଛି ସପ୍ତାହ ବୁଲିବା ଭିତରେ ଏହାର ରଙ୍ଗିନ ଦୃଶ୍ୟପଟ ତାଙ୍କୁ ଅଭିଭୂତ କରିଦେଇଥିଲା। ସେଥିରୁ ସେ ରାଜସ୍ଥାନୀ ସ୍ଥାପତ୍ୟ ଶୈଳୀର ଫାଟକ ସମ୍ମୁଖରେ ହାତୀର ଏପରି ଫଟୋ ଉଠାଇବାର ପରିକଳ୍ପନା କରିଥିଲେ। ଏହି ହାତୀର ରଙ୍ଗକୁ ଫଟୋସପ୍ ଅଥବା ଏଆଇ ସାହାଯ୍ୟରେ ଗୋଲାପି ରଙ୍ଗରେ ବଦଳାଇ ଦିଆଯାଇନାହିଁ। ବରଂ ହାତୀକୁ ରଙ୍ଗେଇବା ପାଇଁ ଅବିର ବୋଳାଯାଇଥିଲା।
ହାତୀ ଉପରେ ବସିବା ପାଇଁ ଜଣେ ସାହସିକ ମଡେଲ୍ ଖୋଜିବାକୁ ମଧ୍ୟ ଫଟୋଗ୍ରାଫର୍ଙ୍କୁ ସଂଘର୍ଷ କରିବାକୁ ପଡ଼ିଥିଲା। ନିକଟରେ ଏହି ଫଟୋଗୁଡ଼ିକ ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହେବା ପରେ କିଛି ଲୋକ ଏଭଳି କଳାତ୍ମକ ଅଭିବ୍ୟକ୍ତିକୁ ପ୍ରଶଂସା କରୁଥିବା ବେଳେ ଅନେକ ଲୋକ ଏହାକୁ ହାତୀ ପ୍ରତି ନିଷ୍ଠୁରତା ବୋଲି କହି ସମାଲୋଚନା କରୁଛନ୍ତି। ଗତ ବର୍ଷ ଡିସେମ୍ବରରେ ଏହି ଫଟୋସୁଟ୍ ହୋଇଥିବା ବେଳେ ‘ଚଞ୍ଚଲ’ ନାମକ ହାତୀଟି ଗତ ମାସ ୭୦ ବର୍ଷ ବୟସରେ ମୃତ୍ୟୁବରଣ କରିଥିବାରୁ ଏହି ଫଟୋସୁଟ୍ ଅଧିକ ବିବାଦୀୟ ହୋଇପଡ଼ିଛି। ତେବେ ବାର୍ଦ୍ଧକ୍ୟ କାରଣରୁ ଚଞ୍ଚଲର ମୃତ୍ୟୁ ହୋଇଛି ବୋଲି ଏହାର ମାହୁନ୍ତ ପ୍ରକାଶ କରିଛନ୍ତି।
ସୌଜନ୍ୟ ସମ୍ବାଦ
