Plants growing: ବିନାମାଟିରେ ବଢ଼ୁଥିବା ଗଛ, ଘରକୁ କରେ ଶୁଦ୍ଧ ଓ ସବୁଜ

କେବଳ ବାହାର କାହିଁକି, ଘ‌ର ଭିତରେ ବି ସବୁଜିମାର ଆଦର ବଢ଼ିବାରେ ଲାଗିଛି। ଲୋକମାନେ ନିଜ ଘରକୁ ସୁନ୍ଦର, ସତେଜ ଓ ପ୍ରକୃତିସ୍ପର୍ଶୀ କରିବା ପାଇଁ ବିଭିନ୍ନ ପ୍ରକାରର ଇନ୍‌ଡୋର ପ୍ଲାଣ୍ଟ୍‌ ଲଗାଇବା ଦିଗରେ ଆକୃଷ୍ଟ ହେଉଛନ୍ତି। ସାଧାରଣତଃ ଅନେକଙ୍କ ଧାରଣା ଯେ ଗଛ ବଢ଼ିବା ପାଇଁ ମାଟି ଅତ୍ୟାବଶ୍ୟକ, କିନ୍ତୁ ଏମିତି କିଛି ଅଦ୍ଭୁତ ଗଛ ଅଛି, ଯାହା ଏହି ଧାରଣାକୁ ଭୁଲ ପ୍ରମାଣିତ କରିଛି। ଏହି ଗଛଗୁଡ଼ିକ ବିନାମାଟିରେ କେବଳ ପାଣି କିମ୍ବା ପବନରୁ ପୋଷକତତ୍ତ୍ୱ ଗ୍ରହଣ କରି ସହଜରେ ବଢ଼ିପାରନ୍ତି। ଏଗୁଡ଼ିକ କେବଳ ଘରର ଶୋଭା ବୃଦ୍ଧି କରନ୍ତିନି, ଅଧିକନ୍ତୁ କମ୍‌ ଯତ୍ନରେ ମଧ୍ୟ ଦୀର୍ଘ ସମୟ ପର୍ଯ୍ୟନ୍ତ ସତେଜ ରହନ୍ତି।

ମାଟିବିହୀନ ଗଛମାନଙ୍କ ମଧ୍ୟରୁ ‘ଲକି ବାମ୍ବୁ’ ବହୁତ ଲୋକପ୍ରିୟ। ନାମରେ ‘ବାମ୍ବୁ’ ଲାଗିଥିଲେ ମଧ୍ୟ ଏହା ପ୍ରକୃତରେ ବାଉଁଶ ପ୍ରଜାତିର ଗଛ ନୁହେଁ। ଏହି ଉଦ୍ଭିଦ ବଢ଼ିବା ପାଇଁ କେବଳ ପରିଷ୍କାର ପାଣି ଓ ପରୋକ୍ଷ ସୂର୍ଯ୍ୟାଲୋକ ଦରକାର ହୁଏ। ଫେଙ୍ଗ୍‌ଶୁଇ ଅନୁସାରେ, ଏହା ଘରକୁ ସକାରାତ୍ମକ ଶକ୍ତି ଓ ସମୃଦ୍ଧି ଆଣେ ବୋଲି ବିଶ୍ୱାସ କରାଯାଏ। ସେହିପରି ‘ମନି ପ୍ଲାଣ୍ଟ’ ଭାରତୀୟ ଘରଗୁଡ଼ିକରେ ବେଶ୍‌ ପରିଚିତ। କାଚର ବୋତଲ କିମ୍ବା ପାଣିଭରା ପାତ୍ରରେ ଏହା ବହୁତ ସୁନ୍ଦର ଭାବେ ବଢ଼ିଥାଏ। ଏହାର ସବୁଜ ହୃଦୟାକୃତି ପତ୍ର ଘରକୁ ଅଧିକ ଆକର୍ଷଣୀୟ ଓ ସତେଜ କରେ। ନିୟମିତ ଭାବେ ପାଣି ପରିବର୍ତ୍ତନ କରିଦେଲେ ଏହା ବର୍ଷବର୍ଷ ଧରି ସତେଜ ରହିପାରେ।

‘ସ୍ପାଇଡର୍‌ ପ୍ଲାଣ୍ଟ’, ‘ପିସ୍‌ ଲିଲି’ ଓ ‘ଫିଲୋଡେଣ୍ଡ୍ରନ୍’ ମଧ୍ୟ ଏହି ତାଲିକାର ଅନ୍ୟତମ ଲୋକପ୍ରିୟ ଗଛ। ଏହି ଗଛଗୁଡ଼ିକ ଘରର ସୌନ୍ଦର୍ଯ୍ୟ ବୃଦ୍ଧି କରିବା ସହ ଘରଭିତର ବାୟୁକୁ ବିଶୁଦ୍ଧ ରଖିବାରେ ମଧ୍ୟ ସହାୟକ ହୁଅନ୍ତି। ସବୁଠାରୁ ଆଶ୍ଚର୍ଯ୍ୟଜନକ ଗଛ ହେଉଛି ‘ଏୟାର ପ୍ଲାଣ୍ଟ’। ଏହାକୁ ବଢ଼ାଇବା ପାଇଁ ମାଟି କି ପାଣି ଦରକାର ପଡ଼େନାହିଁ। ଏହା ପବନରୁ ଆର୍ଦ୍ରତା ଓ ପୋଷକତତ୍ତ୍ୱ ଗ୍ରହଣ କରି ବଞ୍ଚିଥାଏ। କାଚର ପାତ୍ର କିମ୍ବା ଘର ସାଜସଜ୍ଜା ସାମଗ୍ରୀ ସହ ଏହାକୁ ରଖିଲେ ଘରକୁ ଏକ ଆଧୁନିକ ଓ ଆକର୍ଷଣୀୟ ଲୁକ୍‌ ମିଳେ।

ସୌଜନ୍ୟ ସମ୍ବାଦ