ରାଜ୍ୟ

Puri Swargadwar: ସ୍ୱର୍ଗଦ୍ୱାରରେ ସରିଗଲା କାଠ ,୩ ଘଣ୍ଟା ଧରି ପଡ଼ିରହିଲେ ୨୫ରୁ ଊର୍ଦ୍ଧ୍ବ ଶବ

ପୁରୀ,୧୨ \୯ : ସ୍ୱର୍ଗଦ୍ୱାରରେ ସରିଗଲା କାଠ । ଦୀର୍ଘ ସାଢ଼େ ୩ ଘଣ୍ଟା ଶବ ଅପେକ୍ଷା କରିବା ପରେ ଆସିଲା କାଠ । ଶବ ପୋଡ଼ା ଆରମ୍ଭ ହେଲା । ରାତି ୧୦ଟା ବେଳକୁ ସମସ୍ତ ପିଣ୍ଡିରେ ଅପେକ୍ଷା କରିଥିବା ଶବରେ ଅଗ୍ନି ଲାଗିଥିଲା । ସେତେବେଳକୁ ପ୍ରାୟ ୨୫ରୁ ଅଧିକ ଶବ ପୋଡ଼ାଯିବାକୁ ଅପେକ୍ଷା କରିଥିଲେ । ଶବ ନେଇ ଆସିଥିବା ପରିଜନ ଲୋକେ ପ୍ରଶାସନିକ ଅବ୍ୟବସ୍ଥାକୁ ନେଇ ଅଶାନ୍ତି ଓ ଅସନ୍ତୋଷ ଝାଡ଼ିଥିଲେ । ସ୍ୱର୍ଗଦ୍ୱାରରେ କାଠ ସରିଯିବାରୁ ଶୁକ୍ରବାର ସନ୍ଧ୍ୟା ୬ଟାରୁ ରାତି ୯ଟା ୪୫ ପର୍ଯ୍ୟନ୍ତ ଶବ ପୋଡ଼ା ଅଟକି ଯାଇଥିଲା ।

ଏଭଳି ଅବ୍ୟବସ୍ଥା ଦୁଇ ମାସ ଭିତରେ ଦୁଇ ଥର ହେଲାଣି । ହଠାତ କାଠ ଖାଲି ହୋଇଯିବାରୁ ଶବ ନେଇ ଆସିଥିବା ପରିଜନ ଲୋକେ ସ୍ୱର୍ଗଦ୍ୱାର କର୍ମଚାରୀମାନଙ୍କ ଉପରେ ଅସନ୍ତୋଷ ବ୍ୟକ୍ତ କରିଥିଲେ । କର୍ମଚାରୀମାନେ କାଠ ଯୋଗାଉଥିବା ବନ ବିଭାଗକୁ ଦୋଷ ଦେଇଥିଲେ । ଏହି ସମୟରେ ପୁରୀ ଜିଲ୍ଲାପାଳଙ୍କ ଜଣେ ନିକଟ ସମ୍ପର୍କୀୟ ବୋଲି ପରିଚୟ ଦେଇ ଆସିଥିବାରୁ ଅବ୍ୟବସ୍ଥା ଦେଖି ଉପରିସ୍ଥ ଅଧିକାରୀଙ୍କୁ ଜଣାଇଥିଲେ । ସେହିପରି ଜଣେ ପୁଲିସ ଅଧିକାରୀଙ୍କ ନିକଟ ସମ୍ପର୍କୀୟ ମଧ୍ୟ ସମାନ ଅବ୍ୟବସ୍ଥାର ସାମ୍ନା କରି ଅସନ୍ତୋଷ ପ୍ରକାଶ କରିଥିଲେ । ବହୁ ହୋହଲ୍ଲା ପରେ ରାତି ପ୍ରାୟ ୯ଟା ୪୫ରେ ଗୋଟିଏ ଟ୍ରାକ୍ଟର କାଠ ଆଣି ସ୍ୱର୍ଗଦ୍ୱାରରେ ପହଞ୍ଚିଥିଲା । ଫଳରେ ଅପେକ୍ଷା କରିଥିବା ଶବ ପୋଡ଼ା ଆରମ୍ଭ ହୋଇଥିଲା ।

ସେପଟେ ପୂର୍ବ ଅବ୍ୟବସ୍ଥାକୁ ଦେଖି ବ୍ରହ୍ମଗିରିରୁ କାଠ ନେଇ ଆସିଥିବା ଲୋକେ ଏକ ମାତ୍ର ଶବ ଏହି ସମୟରେ ପୋଡ଼ି ପାରିଥିଲେ । ହେଲେ ରାତି ୧୦ଟା ସୁଦ୍ଧା ସ୍ୱର୍ଗଦ୍ୱାରକୁ ୮୦ରୁ ଅଧିକ ଶବ ଆସିଥିବା ବେଳେ ୨୫ରୁ ଅଧିକ କାଠ ଅଭାବ ସାଙ୍ଗକୁ ପିଣ୍ଡି ଅଭାବଜନିତ ଅପେକ୍ଷା କଷ୍ଟ ଭୋଗିଥିଲେ । ଏଠାରେ କହିରଖୁଛୁ ଯେ, ଗତ ଅଗଷ୍ଟ ୪ ତାରିଖରେ ସ୍ୱର୍ଗଦ୍ୱାରରେ କାଠ ସରିଯିବାରୁ ପ୍ରାୟ ୩୦ରୁ ଅଧିକ ଶବ ଦାହ ହୋଇନପାରି ୩ ଘଣ୍ଟାରୁ ଅଧିକ ସମୟ ପଡ଼ିରହିଥିଲା । ଶୁକ୍ରବାର ପୁଣି ଘଟଣାର ପୁନରାବୃତ୍ତି ପରେ ମଧ୍ୟ ପ୍ରାଶାସନିକ ଦାୟିତ୍ୱହୀନତା ସ୍ୱଷ୍ଟ ଜଣାପଡ଼ିଛି ।

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button