Ravi Kishan: ସଫଳତା ପାଇବା ପାଇଁ ଅନେକ ସଂଘର୍ଷ କରିଛି ଛାତିକୁ ପଥର କରି ଥଟ୍ଟାମଜାକୁ ସହି ଯାଇଛି: ରବି କିଶନ
ଅଭିନୟରୁ ଆରମ୍ଭ କରି ରାଜନୀତି ପର୍ଯ୍ୟନ୍ତ ରବି କିଶନ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। କିନ୍ତୁ ଏହି ସଫଳତା ପଛରେ ତାଙ୍କର ରହିଛି ଦୀର୍ଘ ୩୪ ବର୍ଷର କଠିନ ସଂଘର୍ଷ।

ନୂଆଦିଲ୍ଲୀ: ଭୋଜପୁରୀ ଓ ହିନ୍ଦୀ ସିନେମାର ଜଣାଶୁଣା ଅଭିନେତା ତଥା ନେତା ରବି କିଶନ ଏବେ ରିଆଲିଟି ସୋ’ ‘ଅଲାୟାନ୍ସ’ରେ ପ୍ରତିଯୋଗୀ ଭାବେ ନଜର ଆସୁଛନ୍ତି। ଏହି ସୋ’ରେ ସେ ଝିଅଙ୍କ ସହ ଯୋଗଦେଇ ନିଜର ଦୀର୍ଘ ସଂଘର୍ଷମୟ ଯାତ୍ରା ବିଷୟରେ ଖୋଲାଖୋଲି ଆଲୋଚନା କରିଛନ୍ତି। ଅଭିନୟରୁ ଆରମ୍ଭ କରି ରାଜନୀତି ପର୍ଯ୍ୟନ୍ତ ରବି କିଶନ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। କିନ୍ତୁ ଏହି ସଫଳତା ପଛରେ ରହିଛି ଦୀର୍ଘ ୩୪ ବର୍ଷର କଠିନ ସଂଘର୍ଷ।
ରବି କିଶନ ତାଙ୍କ ସଂଘର୍ଷମୟ ଜୀବନକୁ ବଖାଣି କହିଛନ୍ତି, “ମୋ ଜୀବନରେ ଏପରି ଅନେକ ଲୋକଙ୍କୁ ଦେଖିଛି, ଯେଉଁମାନେ ମୋର ମଜାକ ଉଡ଼ାଉଥିଲେ। ଫିଲ୍ମ ଜଗତ ପାଇଁ ମୁଁ ନିଜକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ କରି ରଖିଥିଲି। “ମୋର ସ୍ୱର ଭଲ ଥିଲା। ମୁଁ ଘୋଡ଼ା ଚଢ଼ିବା, ଆକ୍ସନ୍ କରିବା ଜାଣିଥିଲି। ଉର୍ଦ୍ଦୁ ଓ ହିନ୍ଦୀ ଭାଷା ଉପରେ ଭଲ ଦକ୍ଷତା ଥିଲା। ଥିଏଟର କରିଥିଲି, ନୃତ୍ୟ ମଧ୍ୟ ଶିଖିଥିଲି। ମୁଁ ଫିଲ୍ମ ପାଇଁ ସବୁଦିଗରୁ ପ୍ରସ୍ତୁତ ଥିଲି, ତଥାପି ପଛରେ ରହିଗଲି। ସେତେବେଳେ ନିଜକୁ କହୁଥିଲି, ସେମାନଙ୍କ ସମୟ ଆସିଛି, ମୋର ମଧ୍ୟ ଆସିବ। କିନ୍ତୁ ଜାଣି ନଥିଲି ଯେ, ମୋର ସମୟ ଆସିବାକୁ ୩୪ ବର୍ଷ ଲାଗିଯିବ ।
ଧୀରେଧୀରେ ଲୋକେ ମୋ ଅଭିନୟକୁ ପସନ୍ଦ କରିବା ଆରମ୍ଭ କଲେ। “୩୪ ବର୍ଷ ପରେ ମୁଁ ସଫଳତା ପାଇଲି। ସେହି ବର୍ଷ ମୁଁ ଶ୍ରେଷ୍ଠ ଅଭିନେତାର ସମସ୍ତ ପୁରସ୍କାର ଜିତିଥିଲି। ଯେଉଁ ମଞ୍ଚକୁ ମୋତେ କେବେ ଡକାଯାଉ ନଥିଲା, ସେଠାରେ ମୋତେ ସମ୍ମାନ ସହ ଆମନ୍ତ୍ରଣ କରାଗଲା। ଯେଉଁମାନେ ମୋର ମଜାକ ଉଡ଼ାଉଥିଲେ, ସେମାନେ ଆଜି ମୋ ସଫଳତାକୁ ସ୍ୱୀକାର କରୁଛନ୍ତି।”
ରବି କିଶନଙ୍କ ଏହି ସଂଘର୍ଷର କାହାଣୀ ଶୁଣି ସୋ’ର ଅନ୍ୟ ପ୍ରତିଯୋଗୀମାନେ ମଧ୍ୟ ବେଶ୍ ପ୍ରଭାବିତ ହୋଇଥିଲେ। ରବି କିଶନ ୧୯୯୦ ମସିହାର ଆରମ୍ଭରେ ‘ପୀତାମ୍ବର’, ‘ଆତଙ୍କ’, ‘ଆର୍ମି’ ଏବଂ ‘ଜଖ୍ମୀ ଦିଲ୍’ ଭଳି ହିନ୍ଦୀ ଫିଲ୍ମ ମାଧ୍ୟମରେ ଅଭିନୟ ଜୀବନ ଆରମ୍ଭ କରିଥିଲେ। ପରେ ସେ ଅନେକ ହିନ୍ଦୀ ଫିଲ୍ମରେ କାମ କରିଥିଲେ। ତେବେ ତାଙ୍କୁ ପ୍ରକୃତ ସୁପରଷ୍ଟାରର ପରିଚୟ ଦେଇଥିଲା ଭୋଜପୁରୀ ସିନେମା। ଆଜି ସେ ଉଭୟ ଅଭିନୟ ଓ ରାଜନୀତିରେ ଭଲ ନାମ କମାଇ ପାରିଛନ୍ତି।
ସୌଜନ୍ୟ ସମ୍ବାଦ




