uncategories

Samba Dashami: କାହିଁକି ପାଳନ କରାଯାଏ ଶାମ୍ବ ଦଶମୀ? କ’ଣ ରହିଛି ବିଶେଷତ୍ବ ଆସନ୍ତୁ ଜାଣିବା…

ପୌଷ ମାସ ଶୁକ୍ଳ ଦଶମୀ ତିଥିରେ ଶାମ୍ବ ଦଶମୀ ପାଳନ କରାଯାଇଥାଏ । ଯେପରି କୁମାରପୂର୍ଣ୍ଣିମାରେ କୁମାରୀମାନେ ଭଲ ବର ପାଇବାକୁ ଚନ୍ଦ୍ରଙ୍କୁ ପୁଜା କରିଥାନ୍ତି ସେହିପରି ସବୁବେଳେ ସ୍ବାସ୍ଥ୍ୟ ଭଲ ରହିବାକୁ ଶାମ୍ବ ଦଶମୀରେ ସୂର୍ଯ୍ୟଙ୍କୁ ପୂଜା କରାଯାଇଥାଏ...

ପୌଷ ମାସ ଶୁକ୍ଳ ଦଶମୀ ତିଥିରେ ଶାମ୍ବଦଶମୀ ପାଳନ କରାଯାଇଥାଏ । ଯେପରି କୁମାର ପୂର୍ଣ୍ଣିମାରେ କୁମାରୀମାନେ ଭଲ ବର ପାଇବାକୁ ଚନ୍ଦ୍ରଙ୍କୁ ପୁଜା କରିଥାନ୍ତି ସେହିପରି ସବୁବେଳେ ସ୍ବାସ୍ଥ୍ୟ ଭଲ ରହିବାକୁ ଶାମ୍ବ ଦଶମୀରେ ସୂର୍ଯ୍ୟଙ୍କୁ ପୂଜା କରାଯାଇଥାଏ ।

ଓଡ଼ିଆ ଘରେ ବର୍ଷର ବିଭିନ୍ନ ସମୟରେ ନାନା ପ୍ରକାର ପର୍ବପର୍ବାଣୀ ପାଳିତ ହୋଇଥାଏ । ଏଗୁଡ଼ିକ ମୁଖ୍ୟତଃ ବିଭିନ୍ନ ଭଗବାନଙ୍କୁ କେନ୍ଦ୍ର କରି ପାଳିତ ହୋଇଥାଏ। ଏହି ବିଭିନ୍ନତାକୁ ନେଇ ଲୋକେ  “ବାର ମାସରେ ତେର ପର୍ବ” ବୋଲି କହିଥାନ୍ତି । ‌ସେଥି ମଧ୍ୟରୁ ଶାମ୍ବଦଶମୀ ଅନ୍ୟତମ । ଏଥିରେ ଭଗବାନ ସୂର୍ଯ୍ୟ ଦେବଙ୍କୁ ପୂଜା କରାଯାଇଥାଏ ।

ଶାମ୍ବ ଦଶମୀର ଘଡ଼ଘଡ଼ା ତିଅଣ

କଥାରେ ଅଛି- ଶମ୍ବର ଦଶମୀରେ ମଣିଷ ଗୋଟିଏକୁ ପିଠା ଗୋଟିଏ ।” ଏପରି କହିବାର କାରଣ ହେଉଛି କୃଷିପ୍ରଧାନ ଓଡ଼ିଶାରେ ଶତଦିନେ ବିଭିନ୍ନ ପ୍ରକାରର ପନିପରିବା ଚାଷ କରାଯାଇଥାଏ। ଏହାସହ ଖାଦ୍ୟପେୟର ଅଭାବ ପରିଲକ୍ଷିତ ହୁଏ ନାହିଁ। ବିଶେଷ କରି ଏହି ପର୍ବରେ ସ୍ବତନ୍ତ୍ର ପ୍ରକାର ଘାଣ୍ଟ ତିଆରି କରାଯାଇଥାଏ। ଯାହାକୁ”ଘଡ଼ଘଡ଼ା ତିଅଣ” କୁହାଯାଏ । ଏହି ତିଅଣ ବିଭିନ୍ନ ପ୍ରକାର ପନିପରିବାରୁ ପ୍ରସ୍ତୁତ କରାଯାଇଥାଏ ।

କାହିଁକି କରାଯାଏ ପୂଜା?

ଶାମ୍ବ ପୁରାଣ ମୁଖ୍ୟତଃ ସୂର୍ଯ୍ୟପୁରାଣରୁ ଆସିଛି। ଏହି ପୁରାଣରେ ଶାମ୍ବଦଶମୀର ତାତ୍ପର୍ଯ୍ୟ ବର୍ଣ୍ଣିତ ହୋଇଛି । କୃଷ୍ନଙ୍କ ପୁତ୍ର ଶାମ୍ବଙ୍କ ନାମଅନୁସାରେ ଏହି ଦଶମୀକୁ ଶାମ୍ବ ଦଶମୀ ବୋଲି କୁହାଯାଇଥାଏ। ସେହିଭଳି ଗାଁ ଗହଳରେ ଏହାକୁ ସମ୍ବର ଦଶମୀ ମଧ୍ୟ କୁହାଯାଇଥାଏ । ଶାମ୍ବଦଶମୀରେ ମହିଳାମାନେ ନିଜ ସନ୍ତାନସନ୍ତତିଙ୍କ ମଙ୍ଗଳ କାମନା କରି ନିଷ୍ଠାର ସହ ଏହି ପର୍ବ ପାଳନ କରିଥାଆନ୍ତି। କୃଷ୍ଣପୁତ୍ର ଶାମ୍ବ ଯେପରି ଦୁରାରୋଗ୍ୟ ବ୍ୟାଧିରୁ ମୁକ୍ତି ପାଇବା ପାଇଁ ସୁର୍ଯ୍ୟନାରାୟଣଙ୍କ ପୂଜା କରିଥିଲେ , ସେପରି ହିନ୍ଦୁନାରୀମାନେ ନିଜ ପରିବାରରେ ସମସ୍ତେ ସୁସ୍ଥ ରହିବା ପାଇଁ ଏହି ବ୍ରତ ବା ପୂଜା କରିଥାଆନ୍ତି।

ଶାମ୍ବ ଦଶମୀର ପୂଜାବିଧି

ଏହି ପର୍ବର ବିଶେଷତ୍ୱ ହେଉଛି ସୂର୍ଯ୍ୟଙ୍କର ଆକାଶରେ ତିନି ସ୍ଥିତିକୁ ଲକ୍ଷ୍ୟ କରି ଘରେ ତିନି ପ୍ରକାର ଧୂପ ବା ପୂଜା ଅନୁଷ୍ଠିତ ହୋଇଥାଏ । ହିନ୍ଦୁ ନାରୀମାନେ ଶୁଚିମନ୍ତ ହୋଇ ଏହି ମୂହୁର୍ତ୍ତରେ ଫଳମୂଳ ଓ ମିଷ୍ଟାନ୍ନ ଇତ୍ୟାଦି ନୈବେଦ୍ୟ ଭୋଗ ଦେଇଥାଆନ୍ତି। ବ୍ରାହ୍ମମୁହୂର୍ତ୍ତରେ ପୂଜାନୈବେଦ୍ୟ ବା ପ୍ରଥମ ଧୂପ ସୁର୍ଯ୍ୟନାରାୟଣଙ୍କୁ ଦିଆଯାଇଥାଏ। ମଧ୍ୟାହ୍ନରେ ମଧ୍ୟାହ୍ନ ସୂର୍ଯ୍ୟ ତେଜୋଦୀପ୍ତ ଭାସ୍କରଙ୍କୁ ଦ୍ୱିତୀୟ ଧୂପ ଦିଆଯାଏ। ଏହା ଶାମ୍ବ ଦଶମୀର ମୁଖ୍ୟ ଧୂପ ଭାବରେ ବିବେଚନା କରାଯାଇଥାଏ । ଏଥିରେ ଗଇଁଠା, ଅଟକାଳି, ବିଭିନ୍ନ ପ୍ରକାରର ପିଠା, ଖେଚୁଡ଼ି, ଘଡ଼ଘଡ଼ା ତିଅଣ ଆଦି ଭୋଗ ହୁଏ । ଶେଷଧୂପ ବା ତୃତୀୟ ଧୂପ ସନ୍ଧ୍ୟା ସମୟରେ ଦିଆଯାଇଥାଏ। ଏହି ଧୂପରେ ମଧ୍ୟ ଏଣ୍ଡୁରି, କାକରା, ମାଲପୁଆ, ଗଜା ଆଦି ନୈବେଦ୍ୟ ଅର୍ପଣ କରାଯାଇଥାଏ ।

କ’ଣ ରହିଛି ପୌରାଣିକ ଗାଥା

କଥିତ ଅଛି ଶ୍ରୀକୃଷ୍ଣଙ୍କ ପୁତ୍ରମାନଙ୍କ ମଧ୍ୟରୁ ଜାମ୍ବବତୀଙ୍କ ଗର୍ଭଜାତ ଶାମ୍ବ ଅତ୍ୟନ୍ତ ସୁନ୍ଦର ଥିଲେ । ଏକଦା ଅନ୍ତଃପୁର ମଧ୍ୟରେ ଶ୍ରୀକୃଷ୍ଣ ସତ୍ୟଭାମାଙ୍କ ସହ ପ୍ରେମାଳାପରେ ମଗ୍ନଥିବା ବେଳେ ଶ୍ରୀକୃଷ୍ଣ ଦ୍ୱାର ଦେଶରେ ଶାମ୍ବଙ୍କୁ ଜଗାଇ କାହାକୁ ଅନ୍ତଃପୁରକୁ ନ ଛାଡ଼ିବା ପାଇଁ ଆଦେଶ ଦେଇଥିଲେ। ସେହି ସମୟରେ ମହର୍ଷି ଦୁର୍ବାସା ଦ୍ୱାରଦେଶରେ ଉପନୀତ ହେଇ ଶ୍ରୀକୃଷ୍ଣଙ୍କ ଦର୍ଶନ ଅପେକ୍ଷାରେ ଥିଲେ ।

ମହର୍ଷି ଆସୁଥିବାର ଦେଖି ଶାମ୍ବ ଭୟଭୀତ ହୋଇ ଶ୍ରୀକୃଷ୍ଣଙ୍କୁ ଡାକି ଦେଲେ। ଏଥିରେ  ଶ୍ରୀକୃଷ୍ଣ ରାଗିଯାଇ ଶାମ୍ବଙ୍କୁ କୁଷ୍ଠ ରୋଗ ହେବା ନିମନ୍ତେ ଅଭିଶାପ ଦେଇଥିଲେ। ପୁତ୍ରକୁ ଅଭିଶାପ ଦେଇ ଶ୍ରୀକୃଷ୍ଣ ଅନୁତପ୍ତ ହୋଇ ଦୁର୍ବାସାଙ୍କୁ ପୁତ୍ର ଶାମ୍ବର କୁଷ୍ଠ ମୁକ୍ତି ଉପାୟ ପଚାରିବାରୁ ଦୁର୍ବାସା ଶାମ୍ବଙ୍କୁ ସୂର୍ଯ୍ୟପୂଜା କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ପରେ ଦେବର୍ଷି ନାରଦଙ୍କ ସହ ଶାମ୍ବ ପୁଣ୍ୟଧାମ ଚନ୍ଦ୍ରଭାଗା ତୀରରେ ପୂଜା କରିଥିଲେ ।

ସେଠାରେ ସେ  ସୂର୍ଯ୍ୟଙ୍କ ଆରାଧନା  କରିବାରେ ଲାଗିପଡ଼ିଥିଲେ। ଶାମ୍ବ ଚନ୍ଦ୍ରଭାଗା ନଦୀକୂଳରେ ତପସ୍ୟା କରି ସୂର୍ଯ୍ୟନାରାୟଣ ପ୍ରଭୁ ଆଦିତ୍ୟ ନାରାୟଣଙ୍କର ଏକ ମଣି ବିଗ୍ରହ ପାଇଥିଲେ । ପରେ  ତାଙ୍କରି ଆର୍ଶୀବାଦ ବଳରେ ଶାମ୍ବ ଦୁରାରୋଗ୍ୟ ବ୍ୟାଧିରୁ ମୁକ୍ତ ହୋଇ ପୁଣି ସୁନ୍ଦର ଶରୀର ଲାଭ କରିଥିଲେ ।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button