BRICS Summit 2026: ବ୍ରିକ୍ସ ଶିଖର ସମ୍ମିଳନୀ; ମୋଦି-ଜିନ୍ପିଙ୍ଗ୍ ଭେଟ ଉପରେ ନଜର, ଦିଲ୍ଲୀରେ ପହଞ୍ଚିଲେ ପୁଟିନ୍

ନୂଆଦିଲ୍ଲୀ, ୧୧।୯: ଦୁଇଦିନିଆ ୧୮ତମ ବ୍ରିକ୍ସ ଶିଖର ସମ୍ମିଳନୀ ଆସନ୍ତା ୧୨ ତାରିଖରୁ ନୂଆଦିଲ୍ଲୀର ଭାରତ ମଣ୍ଡପମ୍ରେ ଆୟୋଜିତ ହେବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏଥିରେ ଅଧ୍ୟକ୍ଷତା କରିବେ । ଏଥିରେ ୧୧ ସଦସ୍ୟ ରାଷ୍ଟ୍ରର ନେତା ଯୋଗଦେବେ । ସମ୍ମିଳନୀରେ ସାମିଲ ହେବେ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଓ ଚୀନ୍ ରାଷ୍ଟ୍ରପତି ସି ଜିନ୍ପିଙ୍ଗ୍ । ରାଷ୍ଟ୍ରପତି ପୁଟିନ୍ଙ୍କ ଗସ୍ତ ନେଇ ପୂର୍ବରୁ କ୍ରେମ୍ଲିନ୍ ପକ୍ଷରୁ ସ୍ପଷ୍ଟ କରାଯାଇଥିଲା । ଗୁରୁବାର ଚୀନ୍ର ବିଦେଶ ମନ୍ତ୍ରଣାଳୟ ଜିନ୍ପିଙ୍ଗ୍ଙ୍କ ଭାରତ ଗସ୍ତ ବାବଦରେ ସ୍ପଷ୍ଟ କରିଛି । ପୁଟିନ୍ ଶୁକ୍ରବାର ନୂଆଦିଲ୍ଲୀରେ ପହଞ୍ଚିଛନ୍ତି । ଆଜି ସେ ମୋଦିଙ୍କ ସହ ଦ୍ୱିପାକ୍ଷିକ ବୈଠକ କରିବେ । ଇରାନ ରାଷ୍ଟ୍ରପତି ମସୁଦ ପେଜେଶକିଆନ ମଧ୍ୟ ଶୁକ୍ରବାର ମୋଦିଙ୍କ ସହ ବୈଠକ କରିବା ସମ୍ଭାବନା ରହିଛି । ବ୍ରିକ୍ସ ସମ୍ମିଳନୀରେ ଜିନ୍ପିଙ୍ଗ୍ଙ୍କ ଯୋଗଦାନ ବିଶେଷ ମହତ୍ତ୍ୱ ରଖୁଛି । କାରଣ ୨୦୨୦ରେ ଗଲୱାନ ଘାଟିରେ ରକ୍ତାକ୍ତ ସଙ୍ଘର୍ଷ ପରେ ପ୍ରଥମ ଥର ପାଇଁ ଜିନ୍ପିଙ୍ଗ୍ ଭାରତ ଆସୁଛନ୍ତି । ତାଙ୍କର ଏହି ଗସ୍ତ ଦୁଇଦେଶ ନିମନ୍ତେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ସମ୍ଭବତଃ ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି ଓ ଜିନ୍ପିଙ୍ଗ୍ ଦ୍ୱିପାକ୍ଷିକ ବୈଠକ କରିପାରନ୍ତି ।
ଅନ୍ୟପଟେ ବ୍ରିକ୍ସ ସମ୍ମିଳନୀ ପାଇଁ ଦିଲ୍ଲୀରେ ପହଞ୍ଚିଛନ୍ତି ରୁଷ ରାଷ୍ଟ୍ରପତି ପୁଟିନ୍ । ତାଙ୍କ ବିମାନ ପାଲମ ବିମାନବନ୍ଦରରେ ଅବତରଣ କରିଥିଲା । ବିମାନ ବନ୍ଦରରେ ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ କୀର୍ତ୍ତୀ ବର୍ଦ୍ଧନ ସିଂହ ତାଙ୍କୁ ସ୍ବାଗତ କରିଥିଲେ । ହୋଟେଲ ଆଇଟିସି ମୌର୍ଯ୍ୟରେ ଅବସ୍ଥାନ କରୁଛନ୍ତି ପୁଟିନ୍ । ଆଜି ପୁଟିନ୍ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିବା କାର୍ଯ୍ୟକ୍ରମ ରହିଛି । ପୁଟିନଙ୍କ ଗସ୍ତ ପାଇଁ ରାଜଧାନୀରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଗତ ୯ ମାସ ମଧ୍ୟରେ ଏହା ପୁଟିନଙ୍କ ଦ୍ୱିତୀୟ ଭାରତ ଗସ୍ତ । ପୂର୍ବ ଗସ୍ତ ଡିସେମ୍ବର ୫, ୨୦୨୫ ରେ ସେ ଭାରତ ଆସିଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହିତ ତାଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ଦ୍ୱିପାକ୍ଷିକ ବୈଠକ ହେବାର କାର୍ଯ୍ୟକ୍ରମ ଅଛି । ଏହି ବୈଠକରେ ଭାରତ ଏବଂ ରୁଷ ମଧ୍ୟରେ ପ୍ରତିରକ୍ଷା, ଶକ୍ତି, ବାଣିଜ୍ୟ, ପ୍ରଯୁକ୍ତିବିଦ୍ୟା ଏବଂ ରଣନୈତିକ ସହଯୋଗ ସମ୍ପର୍କିତ ପ୍ରସଙ୍ଗ ଉପରେ ଆଲୋଚନା ହେବା ଆଶା କରାଯାଉଛି । ପ୍ରଧାନମନ୍ତ୍ରୀ ମୋଦୀ ଏବଂ ପୁଟିନ୍ ଶେଷ ଥର ପାଇଁ ଅଗଷ୍ଟ ୩୧ରେ ଏସ୍ ସିଓ ସମ୍ମିଳନୀ ସମୟରେ ସାକ୍ଷାତ କରିଥିଲେ । ସେହି ବୈଠକରେ ଦୁଇ ନେତା ରାଜନୈତିକ, ଅର୍ଥନୈତିକ, ପ୍ରତିରକ୍ଷା, ଶକ୍ତି, ମହାକାଶ ଏବଂ ଲୋକ-ଲୋକ ସମ୍ପର୍କ ସମେତ ଅନେକ କ୍ଷେତ୍ରରେ ଭାରତ-ରୁଷ ସହଯୋଗ ସମୀକ୍ଷା କରିଥିଲେ । ପୁଟିନଙ୍କ ପରେ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ ମଧ୍ୟ ଭାରତ ଆସିବେ । ପ୍ରାୟ ସାତ ବର୍ଷ ପରେ ଏହା ତାଙ୍କର ପ୍ରଥମ ଭାରତ ଗସ୍ତ । ବ୍ରିକ୍ସ ବୈଠକ ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ସି ଜିନ୍ପିଙ୍ଗ୍ଙ୍କ ମଧ୍ୟରେ ପୃଥକ ଦ୍ୱିପାକ୍ଷିକ ଆଲୋଚନା ମଧ୍ୟ ସ୍ଥିର ହୋଇଛି । ଏହି ଆଲୋଚନାରେ ଦୁଇ ଦେଶ ମଧ୍ୟରେ ବାଣିଜ୍ୟ ଏବଂ ସୀମା ପ୍ରସଙ୍ଗ ଗୁରୁତ୍ୱପୂର୍ଣ୍ଣ ହେବାର ସମ୍ଭାବନା ରହିଛି ।
ସୌଜନ୍ୟ ପ୍ରମେୟ




