ଜାତୀୟ

BRICS Summit 2026 ; ବ୍ରିକ୍ସ ସମ୍ମିଳନୀ ପାଇଁ କଡ଼ା ସୁରକ୍ଷା ; ପୁଟିନଙ୍କ ପାଇଁ ଅଭେଦ୍ୟ ଦୁର୍ଗ

ନୂଆଦିଲ୍ଲୀ,୧୧/୦୯ : ବ୍ରିକ୍ସ ଶିଖର ସମ୍ମିଳନୀରେ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ଏବଂ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ଭାରତ ଗସ୍ତକୁ ଦୃଷ୍ଟିରେ ରଖି ଦିଲ୍ଲୀରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ପୁଟିନଙ୍କ ପାଇଁ ଚାରି ସ୍ତରୀୟ ସୁରକ୍ଷା ବଳୟ ଏବଂ ଜିନପିଙ୍ଗଙ୍କ ପାଇଁ ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା ହୋଇଛି । ଏଥିସହ ସୁରକ୍ଷା ଏଜେନ୍ସି ହୋଟେଲ ଏବଂ ଏହାର କର୍ମଚାରୀଙ୍କ କଡ଼ାକଡ଼ି ଯାଞ୍ଚ କରିଛି । ଏହି ଦୁଇ ଅତିଥି ବ୍ୟବହାର କରିବାକୁ ଥିବା ରାସ୍ତାରେ ସୁରକ୍ଷା ବ୍ୟବସ୍ଥାର ଅଭ୍ୟାସ କରାଯାଇଛି । ବରିଷ୍ଠ ପୁଲିସ ଅଧିକାରୀ, କମାଣ୍ଡୋ ଏବଂ ଅର୍ଦ୍ଧସାମରିକ ବାହିନୀର କର୍ମଚାରୀମାନେ ହୋଟେଲ ଏବଂ ମୁଖ୍ୟ ରାସ୍ତାଗୁଡ଼ିକରେ ସୁରକ୍ଷା ଦାୟିତ୍ୱରେ ଅଛନ୍ତି ।

ପୁଟିନ୍ ମୌର୍ଯ୍ୟ ହୋଟେଲରେ ରହିଥିବାରୁ ସେହି ହୋଟେଲକୁ ଏକ ଅଭେଦ୍ୟ ଦୁର୍ଗରେ ପରିଣତ କରାଯାଇଛି । ରୁଷ୍ ରାଷ୍ଟ୍ରପତିଙ୍କ ପାଇଁ ହୋଇଥିବା ୪ ସ୍ତରୀୟ ସୁରକ୍ଷା ବଳୟ ମଧ୍ୟରୁ ପ୍ରଥମ ସ୍ତରରେ ସିପିଟି ବା କ୍ଲୋଜ୍ ପ୍ରୋଟେକ୍ସନ ଟିମ୍ ରହିବେ । ଏହି ଟିମ୍ ପୁଟିନଙ୍କ ନିକଟତର ସୁରକ୍ଷା ସୁନିଶ୍ଚିତ କରିବେ । ଦ୍ୱିତୀୟ ସ୍ତରଟି ହେଉଛି ଆଭ୍ୟନ୍ତରୀଣ ବା ହୋଟେଲ ଭିତର ସୁରକ୍ଷା । ଏହି ଦାୟିତ୍ୱ ଦିଲ୍ଲୀ ପୁଲିସକୁ ଦିଆଯାଇଛି । ପୁଟିନଙ୍କ ସୁରକ୍ଷା ପାଇଁ ତୃତୀୟ ବଳୟରେ ଦିଲ୍ଲୀ ପୁଲିସ, କମାଣ୍ଡୋ ଏବଂ ଅର୍ଦ୍ଧସାମରିକ ବାହିନୀର କର୍ମଚାରୀ ଅଛନ୍ତି । ଚତୁର୍ଥ ସ୍ତର ସୁରକ୍ଷା ସ୍ଥାନୀୟ ପୁଲିସ ଦ୍ୱାରା ପରିଚାଳିତ ହେଉଛି । ହୋଟେଲ ବାହାରେ ଏବଂ ଆଖପାଖ ଅଞ୍ଚଳରେ ବ୍ୟାପକ ପୁଲିସ ମୁତୟନ ହୋଇଛନ୍ତି । ଏହାବାଦ୍ ପୁଟିନ୍ ତାଙ୍କ ସହ ଆଣିଥିବା ନିଜସ୍ୱ ସୁରକ୍ଷା ଟିମ୍ ମଧ୍ୟ ଅଛନ୍ତି । ତାଙ୍କ ସହିତ ପ୍ରାୟ ୨୫ରୁ ୩୦ ଜଣ କମାଣ୍ଡୋ ଏବଂ ସୁରକ୍ଷା କର୍ମଚାରୀ ଆସିଛନ୍ତି । ସେହିପରି ଜିନପିଙ୍ଗଙ୍କ ସୁରକ୍ଷା ପାଇଁ ମଧ୍ୟ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଜିନପିଙ୍ଗଙ୍କ ସୁରକ୍ଷା ଦାୟିତ୍ୱ ଦିଲ୍ଲୀ ପୁଲିସର ସ୍ପେଶାଲ ସେଲକୁ ଦିଆଯାଇଛି ।

ବ୍ରିକ୍ସ ସମ୍ମିଳନୀରେ ଯୋଗଦେବାକୁ ଥିବା ଅନ୍ୟ ବିଦେଶୀ ନେତା ଯେଉଁ ହୋଟେଲରେ ରହଣି କରିବେ ସେଠାରେ ମଧ୍ୟ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ହୋଇଛି । ଏହି ହୋଟେଲଗୁଡ଼ିକର ସାମଗ୍ରିକ ସୁରକ୍ଷା ସ୍ୱତନ୍ତ୍ର ସିପି (କ୍ରାଇମ୍) ପାହ୍ୟାର ବରିଷ୍ଠ ଅଧିକାରଙ୍କ ଦ୍ୱାରା ତଦାରଖ ହେବ । ଭାରତ ମଣ୍ଡପମରେ ଦିଲ୍ଲୀ ପୁଲିସର ସୁରକ୍ଷା ବ୍ୟବସ୍ଥାର ନେତୃତ୍ୱ ସ୍ୱତନ୍ତ୍ର ପୁଲିସ କମିଶନର ନେବେ । ସୁରକ୍ଷା ବ୍ୟବସ୍ଥାକୁ ପ୍ରଭାବଶାଳୀ କରିବା ଲାଗି ଦିଲ୍ଲୀକୁ ବିଭିନ୍ନ କ୍ଷେତ୍ରରେ ବିଭକ୍ତ କରାଯାଇଛି । ପ୍ରତ୍ୟେକ କ୍ଷେତ୍ରରେ ଜଣେ ଡିସିପି କିମ୍ବା ଅତିରିକ୍ତ ଡିସିପି ପାହ୍ୟାର ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି ।

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button