Satellite Data: ସାଟେଲାଇଟ୍ ପ୍ରଯୁକ୍ତିରେ କୃଷକଙ୍କ ପାଇଁ ଋଣ ପ୍ରକ୍ରିୟା ହେଲା ସହଜ
ଦୀର୍ଘ ଦିନ ଧରି ବ୍ୟାଙ୍କଗୁଡ଼ିକ କୃଷି ଋଣ ମଞ୍ଜୁରି ପାଇଁ କାଗଜପତ୍ର ଯାଞ୍ଚ ଓ କ୍ଷେତ୍ର ପରିଦର୍ଶନ ଉପରେ ନିର୍ଭର କରୁଥିଲେ। କିନ୍ତୁ ବର୍ତ୍ତମାନ ସାଟେଲାଇଟ୍ ଚିତ୍ର, କୃତ୍ରିମ ବୁଦ୍ଧିମତ୍ତା ଓ ଜିଓସ୍ପେସିଆଲ୍ ଆନାଲିଟିକ୍ସ ଯୋଗୁଁ ଏହି ପ୍ରକ୍ରିୟାରେ ବଡ଼ ପରିବର୍ତ୍ତନ ଆସିଛି।

ନୂଆଦିଲ୍ଲୀ: ଦୀର୍ଘ ଦିନ ଧରି ବ୍ୟାଙ୍କଗୁଡ଼ିକ କୃଷି ଋଣ ମଞ୍ଜୁରି ପାଇଁ କାଗଜପତ୍ର ଯାଞ୍ଚ ଓ କ୍ଷେତ୍ର ପରିଦର୍ଶନ ଉପରେ ନିର୍ଭର କରୁଥିଲେ। କିନ୍ତୁ ବର୍ତ୍ତମାନ ସାଟେଲାଇଟ୍ ଚିତ୍ର, କୃତ୍ରିମ ବୁଦ୍ଧିମତ୍ତା ଓ ଜିଓସ୍ପେସିଆଲ୍ ଆନାଲିଟିକ୍ସ ଯୋଗୁଁ ଏହି ପ୍ରକ୍ରିୟାରେ ବଡ଼ ପରିବର୍ତ୍ତନ ଆସିଛି। ଏବେ ଋଣ ଅଧିକାରୀଙ୍କ ସାମ୍ନାରେ କାଗଜପତ୍ର ବଦଳରେ ପ୍ରଥମେ ସାଟେଲାଇଟ୍ ଚିତ୍ର ଆସୁଛି, ଯାହା ଚାଷ ଜମିର ବାସ୍ତବ ସ୍ଥିତି ସମ୍ପର୍କରେ ଠିକ୍ ସୂଚନା ଦେଉଛି।ପୃଥିବୀଠାରୁ ଶହ ଶହ କିଲୋମିଟର ଉପରୁ ଉଠାଯାଇଥିବା ଏହି ଚିତ୍ରରେ ଗତ କିଛି ଋତୁରେ କେଉଁ ଫସଲ ଚାଷ ହୋଇଛି, ଫସଲର ସ୍ୱାସ୍ଥ୍ୟ, ଜଳସେଚନ ବ୍ୟବସ୍ଥା ଓ ଜମିର ଉତ୍ପାଦନ କ୍ଷମତା ପର୍ଯ୍ୟନ୍ତ ସବୁ ତଥ୍ୟ ମିଳୁଛି। ଫଳରେ ସପ୍ତାହ ସପ୍ତାହ ଅପେକ୍ଷା କରିବା ପରିବର୍ତ୍ତେ କୃଷକମାନଙ୍କ ଅଳ୍ପ ସମୟରେ ଋଣ ଅନୁମୋଦନ ପାଇପାରୁଛନ୍ତି।
ପୂର୍ବରୁ କୃଷି ଋଣ ପ୍ରଦାନ ପ୍ରକ୍ରିୟା ବହୁତ ସମୟସାପେକ୍ଷ ଥିଲା। କୃଷକଙ୍କୁ ବିଭିନ୍ନ କାଗଜପତ୍ର ଦାଖଲ କରିବାକୁ ପଡ଼ୁଥିଲା ଏବଂ ବ୍ୟାଙ୍କ ଅଧିକାରୀମାନେ କ୍ଷେତ୍ର ପରିଦର୍ଶନ କରି ନିଷ୍ପତ୍ତି ନେଉଥିଲେ। ଏହି ବ୍ୟବସ୍ଥା ଅନେକ ସମୟରେ ଅନୁମାନ ଓ ସୀମିତ ତଥ୍ୟ ଉପରେ ନିର୍ଭର କରୁଥିଲା। ଭାରତ ସରକାରଙ୍କ ୨୦୨୪-୨୫ ଆର୍ଥିକ ସର୍ଭେ ଅନୁସାରେ, କୃଷି ଓ ସମ୍ପର୍କିତ କ୍ଷେତ୍ର ଦେଶର ଜିଡିପିର ପ୍ରାୟ ୧୬ ପ୍ରତିଶତ ଅବଦାନ ରଖୁଥିବା ବେଳେ ୪୬.୧ ପ୍ରତିଶତ ଲୋକ ଏହା ଉପରେ ନିର୍ଭରଶୀଳ। ତଥାପି ଦେଶର ପ୍ରାୟ ୮୫ ପ୍ରତିଶତ କ୍ଷୁଦ୍ର ଓ ପ୍ରାନ୍ତିକ କୃଷକଙ୍କ ମଧ୍ୟରୁ ୧୫ କୋଟିରୁ ଅଧିକ କୃଷକ ଏବେ ମଧ୍ୟ ପ୍ରତିଷ୍ଠାନଗତ ଋଣ ସୁବିଧାରୁ ବଞ୍ଚିତ। ଏବେ ସାଟେଲାଇଟ୍ ତଥ୍ୟ ବ୍ୟାଙ୍କଗୁଡ଼ିକୁ ଜମିର ବାସ୍ତବ ସ୍ଥିତି, ଫସଲ, ଉତ୍ପାଦନ କ୍ଷମତା ଓ ଜଳସେଚନ ବ୍ୟବସ୍ଥା ବିଷୟରେ ଠିକ୍ ଚିତ୍ର ଦେଉଛି। ଏହା ଫଳରେ ଅନୁମାନ ବଦଳରେ ବାସ୍ତବ ତଥ୍ୟ ଆଧାରରେ ଋଣ ମଞ୍ଜୁରି ସମ୍ଭବ ହେଉଛି।
ସାଟସ୍ୟୁର୍ର ପ୍ରଯୁକ୍ତି
୨୦୧୭ରେ ବେଙ୍ଗାଲୁରୁରେ ପୂର୍ବତନ ଇସ୍ରୋ ବୈଜ୍ଞାନିକ ପ୍ରତୀପ ବସୁ ଓ ରଶ୍ମିତ ସିଂହ ସୁଖମାନୀଙ୍କ ଦ୍ୱାରା ପ୍ରତିଷ୍ଠିତ ସାଟ୍ସ୍ୟୁର୍ ସାଟେଲାଇଟ୍ ଚିତ୍ର ଓ ଏ ଆଇ ବ୍ୟବହାର କରି କୃଷି, ଜଳବାୟୁ ଏବଂ ଆର୍ଥିକ ସେବା କ୍ଷେତ୍ରକୁ ଡାଟା ଆଧାରିତ ସମାଧାନ ଦେଉଛି। ଏହି ପ୍ଲାଟଫର୍ମ ଫସଲର ପ୍ରକାର, ଚାଷ ଜମିର ପରିମାଣ, ବୁଣା ଓ ଅମଳ ସମୟ, ଫସଲର ସ୍ୱାସ୍ଥ୍ୟ, ଉତ୍ପାଦନ ଧାରା ସହ ବର୍ଷା, ତାପମାତ୍ରା, ଭୂତଳ ଜଳ, ବାୟୁ ଗୁଣବତ୍ତା ଭଳି ଜଳବାୟୁ ସମ୍ବନ୍ଧୀୟ ସୂଚନାକୁ ମଧ୍ୟ ବିଶ୍ଳେଷଣ କରେ। ସାଟ୍ସ୍ୟୁର୍ର ପ୍ରଡକ୍ଟ ବିଭାଗର ଉପସଭାପତି ବିଶାଲ ଥିରୁଭେଦୁଲାଙ୍କ କହିବା ଅନୁସାରେ, କମ୍ପାନି କୃଷି ତଥ୍ୟ ସହ ସଡ଼କ, ବଜାର, ରେଳ ସଂଯୋଗ, ଜନସଂଖ୍ୟା ଓ ଗ୍ରାମୀଣ ଆର୍ଥିକ ସ୍ଥିତି ଭଳି ସାମାଜିକ-ଆର୍ଥିକ ସୂଚକକୁ ମଧ୍ୟ ଯୋଡ଼ିଥାଏ। ଏହା ବ୍ୟାଙ୍କଗୁଡ଼ିକୁ କେବଳ ଜମି ନୁହେଁ, ସମଗ୍ର ଅଞ୍ଚଳର ଋଣ ସମ୍ଭାବନା ବୁଝିବାରେ ସହାୟକ ହେଉଛି।
ସାଟ୍ସ୍ୟୁର୍ସାଟେଲାଇଟ୍ ତଥ୍ୟ ଆଧାରରେ ପ୍ରତ୍ୟେକ ଚାଷ ଜମିର ଡିଜିଟାଲ୍ ଟ୍ୱିନ୍ ପ୍ରସ୍ତୁତ କରି ଖରିଫ, ରବି ଓ ଗ୍ରୀଷ୍ମ ଋତୁର ଫସଲକୁ ନିରନ୍ତର ନଜରରେ ରଖେ। ଏହି ତଥ୍ୟକୁ ବିଶ୍ଳେଷଣ କରି ପ୍ରତ୍ୟେକ ଜମି ପାଇଁ ରିସ୍କ ସ୍କୋର ପ୍ରସ୍ତୁତ କରାଯାଏ, ଯାହା ସାଟ୍ସ୍ୟୁର୍ ରିପୋର୍ଟ ମାଧ୍ୟମରେ ବ୍ୟାଙ୍କଗୁଡ଼ିକୁ ଦିଆଯାଏ। ଷ୍ଟ୍ରେଟ୍ ଥ୍ରଉ ପୋସେସିଙ୍ଗ୍ ପ୍ରଯୁକ୍ତି ଯୋଗୁଁ ପୂର୍ବରୁ ୧୫ରୁ ୩୦ ଦିନ ଲାଗୁଥିବା ଋଣ ପ୍ରକ୍ରିୟା ବର୍ତ୍ତମାନ ୩୦ ମିନିଟ୍ରୁ ଏକ ଘଣ୍ଟା ମଧ୍ୟରେ ସମ୍ପୂର୍ଣ୍ଣ ହେଉଛି। ଏପର୍ଯ୍ୟନ୍ତ ସାଟ୍ସ୍ୟୁର୍ ୧୫ ଲକ୍ଷରୁ ଅଧିକ କୃଷିଜମିର ବିଶ୍ଳେଷଣ କରିଥିବା ବେଳେ ପ୍ରାୟ ୧.୯୫ ଲକ୍ଷ ଗ୍ରାମ ଉପରେ ନଜର ରଖିଛି। କମ୍ପାନିର ଲକ୍ଷ୍ୟ ହେଉଛି ଋଣ ପ୍ରକ୍ରିୟାକୁ ଅଧିକ ଦ୍ରୁତ, ଠିକ୍ ଓ ସ୍ୱଚ୍ଛ କରିବା ସହ ଆର୍ଥିକ ସମାବେଶକୁ ବଢ଼ାଇବ। ବିହନ ବୁଣିବା, ସାର କିଣିବା କିମ୍ବା ଅମଳ ପୂର୍ବରୁ ଟଙ୍କାର ଆବଶ୍ୟକତା ଥାଏ। ତେଣୁ ଦ୍ରୁତ ଋଣ ମିଳିଲେ କୃଷକମାନେ ସମୟ ଅନୁଯାୟୀ କୃଷି କାର୍ଯ୍ୟ କରିପାରୁଛନ୍ତି ଏବଂ ପୂର୍ବରୁ ଔପଚାରିକ ଋଣ ବ୍ୟବସ୍ଥାରୁ ବଞ୍ଚିତ ଥିବା କୃଷକମାନେ ମଧ୍ୟ ନୂଆ ସୁଯୋଗ ପାଉଛନ୍ତି।
ଜଳବାୟୁ ବିପଦ ମୂଲ୍ୟାଙ୍କନରେ ମଧ୍ୟ ସହାୟକ
ବିଶାଲ ଥିରୁଭେଦୁଲାଙ୍କ ଅନୁସାରେ, ୨୦୨୫ର ପ୍ରଥମ ୯ ମାସରେ ଅତ୍ୟଧିକ ପାଣିପାଗ ଯୋଗୁଁ ୯.୪୭ ମିଲିୟନ୍ ହେକ୍ଟର କୃଷିଜମି ପ୍ରଭାବିତ ହୋଇଥିଲା, ଯାହା ୨୦୨୨ ତୁଳନାରେ ପ୍ରାୟ ଚାରିଗୁଣ ଅଧିକ ଥିଲା। କୃଷି ଋଣ କ୍ଷେତ୍ରରେ ଜଳବାୟୁ ପରିବର୍ତ୍ତନ ଏବେ ସବୁଠାରୁ ବଡ଼ ବିପଦ।
ସାଟେଲାଇଟ୍ ତଥ୍ୟ ବ୍ୟାଙ୍କଗୁଡ଼ିକୁ ଜଳବାୟୁ ବିପଦ, ଋଣ ପୋର୍ଟଫୋଲିଓର ସ୍ଥିତି ଓ ଫସଲ ବୀମା ସହ ଭଲ ସମନ୍ୱୟ କରିବାରେ ସହାୟତା କରୁଛି। କମ୍ପାନି ଆର୍ ବି ଆଇ ଇନୋଭେସନ୍ ହବ୍ ସହ ମଧ୍ୟ କାମ କରୁଛି, ଯାହା ଭାରତର ଆର୍ଥିକ ବ୍ୟବସ୍ଥାରେ ନବସୃଜନକୁ ପ୍ରୋତ୍ସାହନ ଦେଉଛି। ମୋଟକଥା, ସାଟେଲାଇଟ୍ ପ୍ରଯୁକ୍ତି କୃଷକ କିମ୍ବା ବ୍ୟାଙ୍କର ବିକଳ୍ପ ନୁହେଁ, ବରଂ ଉଭୟଙ୍କୁ ଅଧିକ ଠିକ୍ ଓ ତଥ୍ୟଭିତ୍ତିକ ନିଷ୍ପତ୍ତି ନେବାରେ ସହଯୋଗ କରୁଛି। ଭବିଷ୍ୟତରେ ଅଧିକ ବ୍ୟାଙ୍କ ଏହି ପ୍ରଯୁକ୍ତିକୁ ଅପଣାଇଲେ, କୃଷି ଋଣ ବ୍ୟବସ୍ଥା ଆହୁରି ଦ୍ରୁତ, ସ୍ୱଚ୍ଛ ଓ ସମାବେଶୀ ହେବ।
ସୌଜନ୍ୟ ସମ୍ବାଦ




