Student Union Election: ରାଜ୍ୟର ୩୪୮ କଲେଜରେ ୮୩୨୫ ନାମାଙ୍କନ, ଆଜି ନୋମିନେସନ୍ ପ୍ରତ୍ୟାହାର, ଅପରାହ୍ନ ୩ଟାରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା

ଭୁବନେଶ୍ୱର,୧୦/୧୦: ୮ ବର୍ଷ ପରେ ଛାତ୍ର ସଂସଦ ନିର୍ବାଚନ ହେଉଛି । ଆଜି (ଶୁକ୍ରବାର) ଆଶାୟୀ ପ୍ରାର୍ଥୀମାନେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଅପରାହ୍ନରେ ପ୍ରାର୍ଥୀପତ୍ର ଯାଞ୍ଚ ପରେ ସଂଧ୍ୟାରେ ବୈଧ ନାମାଙ୍କନ ପ୍ରକାଶ ପାଇଥିଲା । ଆଜି ପ୍ରାର୍ଥୀପତ୍ର ପ୍ରତ୍ୟାହାର ପାଇଁ ସୁଯୋଗ ପ୍ରଦାନ କରାଯାଇଛି । ସକାଳ ୧୦ଟାରୁ ଅପରାହ୍ନ ୧ଟା ମଧ୍ୟରେ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରି ନେଇପାରିବେ । ଅପରାହ୍ନ ୩ଟାରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ । କେଉଁ ପଦବିରେ କେତେ ଜଣ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି ତାହା ସ୍ପଷ୍ଟ ହେବ ।
ସରକାରୀ ତଥ୍ୟ ଅନୁଯାୟୀ, ୩୪୮ଟି କଲେଜରେ ବିଭିନ୍ନ ପଦବି ପାଇଁ ୮ ହଜାର ୩୨୫ ଜଣ ପ୍ରାର୍ଥୀ ନାମାଙ୍କନ ଭରିଛନ୍ତି । ଏଥିରୁ ପ୍ରାର୍ଥୀ ପତ୍ର ଯାଞ୍ଚ ପରେ ୧୧୭୫ ଜଣଙ୍କ ପ୍ରାର୍ଥୀପତ୍ରକୁ ଅବୈଧ କରାଯାଇଛି । ବାକି ୭ ହଜାର ୧୬୮ ଜଣଙ୍କ ପ୍ରାର୍ଥୀପତ୍ର ବୈଧ ରହିଥିବା ଜଣାପଡ଼ିଛି । ରାଜ୍ୟର ୧୩ଟି ବିଶ୍ୱବିଦ୍ୟାଳୟର ୩୬୧ ଜଣ ନାମାଙ୍କନ ଭରିଛନ୍ତି । ଏଥିରୁ ୩୨୦ ଜଣଙ୍କ ପ୍ରାର୍ଥୀପତ୍ର ବୈଧ ହୋଇଥିବା ବେଳେ ବାକି ୪୧ଜଣଙ୍କର ବାତିଲ କରାଯାଇଛି । ମୋଟ୍ ୮ହଜାର ୬୮୬ ଜଣ ନାମାଙ୍କନ ଭରିଛନ୍ତି । ଏଥିରୁ ୭ ହଜାର ୪୮୮ ଜଣଙ୍କ ନାମାଙ୍କନ ବୈଧ ହୋଇଛି । କଲେଜସ୍ତରରେ ୧୬୨୦ ଜଣ ଓ ବିଶ୍ୱବିଦ୍ୟାଳୟସ୍ତରରେ ୩୩ ଜଣ ପ୍ରାର୍ଥୀ ର୍ନିଦ୍ୱନ୍ଦ୍ୱରେ ବିଜୟୀ ହୋଇଛନ୍ତି । ଅର୍ଥାତ୍ ମୋଟ୍ ୧୬୫୩ ଜଣ ର୍ନିଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି । ନାମାଙ୍କନ ଭରିଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୧୧୪୯ ଜଣ ସଭାପତି ପଦବି ପାଇଁ ବୈଧ ପ୍ରାର୍ଥୀ ହୋଇଛନ୍ତି । ସାଧାରଣ ସଂପାଦକ ପଦବି ପାଇଁ ୭୫୮ଜଣ ପ୍ରାର୍ଥୀଙ୍କ ନାମାଙ୍କନ କାଏମ ରହିଛି । ସେହିପରି ୮୬୯ ଜଣ ଉପସଭାପତି ଓ ସହକାରୀ ସାଧାରଣ ସଂପାଦକ ପଦବି ପାଇଁ ୪୬ ଜଣଙ୍କ ନାମାଙ୍କନ ବୈଧ ହୋଇଛି ।
ଶୁକ୍ରବାର ନାମାଙ୍କନ ସମୟରେ ବିଭିନ୍ନ କଲେଜ, ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ଛାତ୍ରଛାତ୍ରୀ ଓ ପ୍ରାର୍ଥୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଥିଲା । ଶୋଭାଯାତ୍ରାରେ ସମସ୍ତ ଛାତ୍ର ସଂଗଠନ ନିଜର ପତିଆରା ଦେଖାଇଥିଲେ । ସମ୍ବଲପୁରୀ ବାଜା, ଘଣ୍ଟୁଆଠୁ ଆରମ୍ଭ କରି ଲୋକନୃତ୍ୟ କଳାକାରଙ୍କୁ ନେଇ ଶୋଭାଯାତ୍ରାରେ ବାହାରିଥିଲେ ଆଶାୟୀ ପ୍ରାର୍ଥୀ । ସମର୍ଥକଙ୍କ ସହ ନାମାଙ୍କନ କେନ୍ଦ୍ରକୁ ଯାଇ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଆଜି ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପରେ ନିର୍ବାଚନ ପ୍ରଚାର ଜୋରଦାର ଜମିବ । ପ୍ରଚାର ପାଇଁ ପ୍ରାର୍ଥୀଙ୍କ ହାତରେ ମାତ୍ର ୪ଦିନ ସମୟ ରହିଛି ।
ସୌଜନ୍ୟ ପ୍ରମେୟ




