ରାଜ୍ୟ

ATM cards and passbooks seized: ମ୍ୟୁଲ ଆକାଉଣ୍ଟ ଯାଞ୍ଚ ବେଳେ ପୁଳାପୁଳା ଏଟିଏମ୍ କାର୍ଡ ଓ ପାସବୁକ୍ ଜବତ: ବନ୍ଧା ହେଲେଣି ୧୫ ଠକ ଓ ଏଜେଣ୍ଟ

ସାଇବର୍‌ ଠକଙ୍କୁ ସାବାଡ଼ କରିବା ପାଇଁ ସ୍ବତନ୍ତ୍ର ଯୋଜନା କରିଛନ୍ତି ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଶୁଭେନ୍ଦୁ ପାତ୍ର। ସାଧାରଣ ଲୋକଙ୍କୁ ଚୂନ ଲଗାଇ ଲକ୍ଷ ଲକ୍ଷ ଟଙ୍କା ଠକି ନେଉଥିବା ସାଇବର୍‌ ଠକଙ୍କୁ ସାବାଡ଼ କରିବା ପାଇଁ ଆରକ୍ଷୀ ଅଧୀକ୍ଷକ...

ନୟାଗଡ଼: ସାଇବର୍‌ ଠକଙ୍କୁ ସାବାଡ଼ କରିବା ପାଇଁ ସ୍ବତନ୍ତ୍ର ଯୋଜନା କରିଛନ୍ତି ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଶୁଭେନ୍ଦୁ ପାତ୍ର। ସାଧାରଣ ଲୋକଙ୍କୁ ଚୂନ ଲଗାଇ ଲକ୍ଷ ଲକ୍ଷ ଟଙ୍କା ଠକି ନେଉଥିବା ସାଇବର୍‌ ଠକଙ୍କୁ ସାବାଡ଼ କରିବା ପାଇଁ ଆରକ୍ଷୀ ଅଧୀକ୍ଷକ ଶ୍ରୀ ପାତ୍ର ନିଜେ ସ୍ବତନ୍ତ୍ର ଭାବେ ସମସ୍ତ ମାମଲାର ତଦାରଖ କରୁଛନ୍ତି। ପ୍ରତି ଥାନାରେ ରୁଜୁ ହୋଇଥିବା ସାଇବର୍‌ ଠକେଇ ଜନିତ ମାମଲା ଓ ବିଶେଷ କରି କୁଖ୍ୟାତ ଠକ ସୋନୁ ନିଗମର ମୂଳ ପର୍ଯ୍ୟନ୍ତ ପହଞ୍ଚିବା ପାଇଁ ଆରକ୍ଷୀ ଅଧୀକ୍ଷକ ଜୋର୍‌ଦାର ପଦକ୍ଷେପ ନେବା ଆରମ୍ଭ କରିଛନ୍ତି। ସୋନୁ ନିଗମର ଚେର ଜିଲ୍ଲା ଓ ରାଜ୍ୟ ବାହାରେ ଥିବା ସାଇବର୍‌ ଥାନା ପୁଲିସ ଜାଣିବାକୁ ପାଇଛି। ସେମାନଙ୍କୁ ମଧ୍ୟ ନୋଟିସ୍‌ କରାଯାଇଥିବା ବେଳେ ସୋନୁ ଜରିଆରେ ଖୋଲାଯାଇଥିବା ମ୍ୟୁଲ୍‌ ଆକାଉଣ୍ଟଗୁଡ଼ିକର ମାଲିକମାନଙ୍କୁ ନୋଟିସ୍‌ କରାଯାଇ ପଚରାଉଚରା କରାଯାଉଥିବା ଜଣାପଡ଼ିଛି।

ମିଳିଥିବା ସୂଚନା ମୁତାବକ, ସୋନୁ ସମ୍ପର୍କରେ ଖୋଳତାଡ଼ କରାଯିବା ସମୟରେ ସାଇବର୍‌ ଥାନା ପୁଲିସକୁ ବହୁ ସୁରାକ ମିଳିଛି। ବର୍ତ୍ତମାନ ସୁଦ୍ଧା ଏହି ମାମଲାରେ ୧୫ ଜଣଙ୍କୁ ଗିରଫ କରାଯାଇଛି। ସେମାନେ ହେଲେ ସୋନୁ ନିଗମ ବିଶ୍ବାଳ, ରମେଶ ଡାକୁଆ, ଶଙ୍କର ଚୌଧୁରୀ, ମାନସ ନାୟକ, ସୁନୀଲ ସାହୁ, ଜ୍ୟୋତିରଞ୍ଜନ ନାୟକ, ଶ୍ରୀଧର ନାୟକ, ଚରଣ ନାୟକ, ସୁନେଲି ନାୟକ, ବିକାଶ ସାହୁ, ପୂର୍ଣ୍ଣଚନ୍ଦ୍ର ସାହୁ, ଶକ୍ତି ପ୍ରସାଦ କରଣ, ଧର୍ମେନ୍ଦ୍ର ନାୟକ, ଦିବାକାର ବିଶ୍ବାଳ ଓ ଚନ୍ଦନ ସ୍ବାଇଁ। ସେଥିମଧ୍ୟରୁ ତିନିଜଣ ରମେଶ ଡାକୁଆ, ଶ୍ରୀଧର ନାୟକ ଓ ବିକାଶ ସାହୁ ଓଡ଼ଗାଁ ଥାନା ଅଧୀନ ବିଭିନ୍ନ ଗାଁର ହୋଇଥିବା ବେଳେ ବାକି ୧୨ ଜଣ ଶରଣକୁଳ ଥାନା ଅଧୀନ ବିଭିନ୍ନ ଅଞ୍ଚଳର ବୋଲି ଜଣାପଡ଼ିଛି। ଆହୁରି ବହୁ ସାଇବର୍‌ ଠକ ଓ ବିଶେଷ କରି ଏଜେଣ୍ଟମାନଙ୍କ ଉପରେ ଏବେ ସାଇବର ଥାନା ପୁଲିସ ପକ୍ଷରୁ ନଜର ରଖାଯାଇଛି। ବିଶେଷ କରି ଶରଣକୁଳ ଅଞ୍ଚଳରେ ସାଇବର ଠକମାନଙ୍କର ନେଟ୍‌ୱର୍କ ଅଧିକ ରହିଥିବା ପୁଲିସ ଯାଞ୍ଚରୁ ଜାଣିବାକୁ ପାଇଛି। ଗୁରୁତ୍ବପୂର୍ଣ୍ଣ କଥା ଗିରଫ ହୋଇଥିବା ୧୫ ଜଣଙ୍କ ମଧ୍ୟରୁ ପ୍ରାୟ ୧୦ ଜଣ ହେଉଛନ୍ତି ଏଜେଣ୍ଟ। ସେମାନଙ୍କ ନିକଟରୁ ଠକେଇ ହୋଇଥିବା ୨୦ ଲକ୍ଷ ଟଙ୍କା, ଲାପ୍‌ଟପ୍, ମୋବାଇଲ, ପୁଳାପୁଳା ଏଟିଏମ୍ କାର୍ଡ, ଚେକ୍ ବୁକ୍, ଫିଙ୍ଗର ପ୍ରିଣ୍ଟ ମେସିନ ଓ ଏଟିଏମ୍ ସ୍ବାପ୍ ମେସିନ ପ୍ରମୁଖ ଜବତ ହୋଇଛି।

ପଚରାଉଚରା କରିବାରୁ ଜଣାପଡ଼ିଛି ଯେ, ଅନଲାଇନରେ ଏହି ଫିଙ୍ଗର ପ୍ରିଣ୍ଟ ମେସିନ୍‌ ଜରିଆରେ ସେମାନେ ଅନ୍ୟ ଲୋକମାନଙ୍କର ବ୍ୟାଙ୍କ୍ ଆକାଉଣ୍ଟ ଖୋଲନ୍ତି। ସେମାନଙ୍କୁ ୫୦୦-୧୦୦୦ ଟଙ୍କା ଦେଇ ସେମାନଙ୍କ ବ୍ୟାଙ୍କ୍ ପାସବୁକ୍ ଓ ଏଟିଏମ୍ କାର୍ଡକୁ ଏହି ଠକମାନେ ନିଜ ପାଖରେ ରଖନ୍ତି। ଟଙ୍କା ଆସିଲେ ଏଜେଣ୍ଟମାନେ ସେମାନଙ୍କଠାରୁ ଓଟିପି ଆଣି ଟଙ୍କା ଉଠାଇ ନିଅନ୍ତି। ଏପଟେ ଆକାଉଣ୍ଟ ଖୋଲି ବେଫିକର ରହିଥିବା ଗ୍ରାହକମାନେ ଠକେଇ ସମ୍ପର୍କରେ କିଛି ବି ଜାଣିପାରନ୍ତି ନାହିଁ। ଏ ନେଇ ସାଇବର୍‌ ଥାନା ଡିଏସ୍‌ପି ଭାବଗ୍ରାହୀ ରାଉତ କୁହନ୍ତି ଯେ, ସାଇବର ଥାନାରେ ମ୍ୟୁଲ୍‌ ଆକାଉଣ୍ଟକୁ ନେଇ ସମୁଦାୟ ୧୬ଟି ମାମଲା ରୁଜୁ କରାଯାଇଛି। ପ୍ରାୟ ଦୁଇ ହଜାରରୁ ଅଧିକ ମ୍ୟୁଲ୍‌ ଆକାଉଣ୍ଟକୁ ଯାଞ୍ଚ କରାଯାଇ ଠକ ଓ ବ୍ୟାଙ୍କ୍ ଆକାଉଣ୍ଟ ଖୋଲାଇଥିବା ଏଜେଣ୍ଟମାନଙ୍କ ସମ୍ପର୍କରେ ତଥ୍ୟ ଯୋଗାଡ଼ କରାଯାଉଛି। ଆଗକୁ ମଧ୍ୟ ଗିରଫଦାରୀ ପ୍ରକ୍ରିୟା ଜାରି ରହିବ।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button